17.1 C
Bhubaneswar
Friday, January 10, 2025
Homeଓଡିଶାହେରାପଞ୍ଚମୀରେ ମା ଲକ୍ଷ୍ମୀ ସାନ୍ତାଣି ଭାଙ୍ଗିଲେ ନନ୍ଦିଘୋଷ ରଥ

ହେରାପଞ୍ଚମୀରେ ମା ଲକ୍ଷ୍ମୀ ସାନ୍ତାଣି ଭାଙ୍ଗିଲେ ନନ୍ଦିଘୋଷ ରଥ

ପୁରୀ : ଆଜି ପବିତ୍ର ହେରା ପଞ୍ଚମୀ ଶ୍ରୀ ଗୁଣ୍ଡିଚା ଯାତ୍ରା ର ପଞ୍ଚମ ଦିବସ ଷଷ୍ଠୀ ତିଥି। ଆଜି ବଡ଼ଠାକୁରଙ୍କ ପରିବାର ଲୀଳା ଯାହାଙ୍କ ପାଇଁ ଶ୍ରୀକ୍ଷେତ୍ରର ‘ଶ୍ରୀ’ ଆଜି ରୋଷ କରିଛନ୍ତି। ଶ୍ରୀମନ୍ଦିରରେ ଏକୁଟିଆ ସ୍ତ୍ରୀକୁ ଛାଡ଼ି ଭାଇଭଉଣୀକୁ ଘେନି କାଳିଆ ଠାକୁର ଗୁଣ୍ଡିଚାଘରେ। ଆଜି ଅଭିମାନିନୀ ମା ମହଲଷ୍ମୀ ନନ୍ଦିଘୋଷ ରଥର ଖଣ୍ଡେ କାଠ ଭାଙ୍ଗିଥିଲେ। ମହାପ୍ରଭୁଙ୍କ ଦର୍ଶନ ନପାଇ ରାଗ ଜର୍ଜରିତା ମା ମହଲଷ୍ମୀ ଅଧର ଚୁମ୍ବିତ ଆଜ୍ଞାମାଳ ପାଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ। ସେପଟେ ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରରେ ସକାଳଧୂପ ସରିବାପରେ ଆଜ୍ଞାମାଳ ଆସି ତିନି ରଥର ଦକ୍ଷିଣମୋଡ କରାଯିବ। ଏବେ ଆଡପ ମଣ୍ଡପରେ ମହାପ୍ରଭୁ ମାନବୀୟ ଲୀଳା କରୁଛନ୍ତି। ପରିବାରରେ ଯେପରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡା ଏବଂ ରାଗ ଅଭାମାନ ରହିଥାଏ ଆଜିର ହେରାପଞ୍ଚମୀ ନୀତି ତାର ଏକ ଉଦାହରଣ ସଦୃଶ। ନବଦିନାତ୍ମକ ଘୋଷଯାତ୍ରାର ଆଡପମଣ୍ଡପ ବିଜେ ଚତୁର୍ଦ୍ଧାବିଗ୍ରହଙ୍କ ଆଜି ପଞ୍ଚମ ଦିନ। ଆଜିର ଦିନରେ ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ପବିତ୍ର ହେରାପଞ୍ଚମୀ ନୀତି। ମହାପ୍ରଭୁ ଶ୍ରୀଜଗନ୍ନାଥ ନବଦିନାତ୍ମକ ଘୋଷଯାତ୍ରାରେ ନିଜ ପ୍ରାଣପ୍ରିୟା ପତ୍ନୀ ମା ମହାଲଷ୍ମୀଙ୍କୁ ଛାଡି ଜନ୍ମବେଦୀକୁ ଆସିଥିବାରୁ ମା ମହଲଷ୍ମୀ ଅଭିମାନ କରିଥିଲେ। ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ। ମହାଲକ୍ଷ୍ମୀ ବ୍ୟସ୍ତ ବିବ୍ରତ ହୋଇପଡିଛନ୍ତି। ଆଜି ମା ସାନ୍ତାଣି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ସେପଟେ ମହାଲକ୍ଷ୍ମୀଙ୍କ ଆଗମନ ଖବର ପହଞ୍ଚିବା ପରେ ମହାପ୍ରଭୁ ଗତକାଲି ବନକଲାଗି ହୋଇଥିଲେ। ରଥଯାତ୍ରା ପାଳନ ଅବସରରେ ହେରାପଞ୍ଚମୀ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ।
ତେବେ ମହାଲକ୍ଷ୍ମୀଙ୍କ କ୍ରୋଧ ଜର୍ଜରିତ ରୂପ ଦେଖି ମହାପ୍ରଭୁଙ୍କ ସେବକମାନେ ଗୁଣ୍ଡିଚା ମନ୍ଦିରର ମୁଖ୍ୟଦ୍ୱାର ବନ୍ଦ କରିଦେଇଥିଲେ। ନାକଚଣା ବାଟ ଦେଇ ଜଗମୋହନକୁ ଯାଇ ବିମଳାଙ୍କ ପ୍ରଦତ୍ତ କର୍ପୁରରେ ଲକ୍ଷ୍ମୀ ଆଳତି କରନ୍ତି। ପତ୍ନୀଙ୍କ ରାଗ ଶାନ୍ତ କରିବା ପାଇଁ ମହାପ୍ରଭୁ ଦୁଇଦିନ ମଧ୍ୟରେ ଫେରିଯିବାର ପ୍ରତିଶ୍ରୁତି ଦେଇ ରଥ ଦକ୍ଷିଣ ମୋଡ଼ କରିବା ନିମନ୍ତେ ବରାଦ କରିଥାନ୍ତି। ଲୋକାଚାର ଦୃଷ୍ଟିରୁ ଜଗନ୍ନାଥ ଲକ୍ଷ୍ମୀଙ୍କୁ ସିଂହାସନ ପାଖକୁ ନ ନେବାରୁ କ୍ରୋଧ ଜର୍ଜରିତା ପତ୍ନୀ ରଥର କିଛି ଅଂଶ ଭାଙ୍ଗି ଦେଇ ହେରାଗୌରୀ ସାହି ବାଟେ ଫେରି ଆସିଥିଲେ ଶ୍ରୀମନ୍ଦିରକୁ।
ପରମ୍ପରା ଅନୁଯାୟୀ ପ୍ରଭୁ ଶ୍ରୀଜଗନ୍ନାଥ କୃଷ୍ଣ ଭାବରେ ଜ୍ୟେଷ୍ଠ ଶୁକ୍ଲ ଏକାଦଶୀ ଦିନ ଲକ୍ଷ୍ମୀ ସ୍ୱରୁପା ରୁକ୍ମଣୀଙ୍କୁ ବିବାହ କରିଥାନ୍ତି। ଶୁକ୍ଲ ଚତୁଦର୍ଶୀ ରାତ୍ରରେ ତାଙ୍କର ଚତୁର୍ଥୀ ହୋମ ହୋଇଥାଏ। କିନ୍ତୁ ମହାପ୍ରଭୁ ଚତୁର୍ଥୀ ସ୍ନାନ କରିବାକୁ ଯାଇ ଗୋପ୍ୟ ହୋଇଯାଇଥାନ୍ତି, ମାତା ଲକ୍ଷ୍ମୀଙ୍କ ସହ ଆଉ ଦେଖା ସାକ୍ଷାତ ହୁଏ ନାହିଁ। ଏପଟେ ମହାପ୍ରଭୁଙ୍କୁ ସ୍ନାନ ପରେ ଜ୍ୱରାଗ୍ରସ୍ତ ହୋଇ ଅଣସର ଘରେ ରହିବାକୁ ପଡିଥାଏ ଓ ପରେ ପରେ ନବଯୌବନ ଦର୍ଶନ ଦେଇ ବଡଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଭଦ୍ରାଙ୍କୁ ନେଇ ଲକ୍ଷ ଲକ୍ଷ ଭକ୍ତ ଗହଣରେ ଗୁଣ୍ଡିଚା ରାଣୀ ଘରକୁ ଘୋଷଯାତ୍ରାରେ ବାହାରି ପଡନ୍ତି। ଏଥିରେ ମହାଲକ୍ଷ୍ମୀ କ୍ରୋଧିତ ହୋଇ ଏକ ସାଧାରଣ ଲୌକିକ ନାରୀ ରୂପେ ନିଜ ଦୁଃଖ ସମ୍ପର୍କରେ ଶ୍ରୀକ୍ଷେତ୍ର ରାଜେଶ୍ଵରୀ ମା ବିମଳାଙ୍କୁ କହିଥାନ୍ତି। ଏହାପରେ ବିମଳା ଦେବୀ ଲକ୍ଷ୍ମୀଙ୍କୁ ସାନ୍ତ୍ୱନା ଦେବାକୁ ଯାଇ କହିଥିଲେ-ସ୍ୱାମୀ ଯଦି ବିବେକ ଶୂନ୍ୟ ହୋଇ ଅକରଣୀୟକୁ କରଣୀୟ ବୋଲି ମନେ କରନ୍ତି, ତେବେ ତାଙ୍କୁ ଉଚ୍ଚାରିତ କରିବାକୁ ପଡିଥାଏ। ତେଣୁ ତୁମେ ମୋହଚୂର୍ଣ୍ଣ ନେଇ ସ୍ୱାମୀଙ୍କ ନିକଟକୁ ଯିବା ଉଚିତ୍। ଏହା ପରେ ମା ବିମଳାଙ୍କ ପରାମର୍ଶ କ୍ରମେ ମା ଭଗବତୀ କଲ୍ୟାଣ ମୟୀ ରଥ ଯାତ୍ରାର ପଞ୍ଚମ ଦିନ ଆଜିର ପବିତ୍ର ଦିବସ ହେରା ପଞ୍ଚମୀ ରେ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥିଲେ।
ଶ୍ରୀମନ୍ଦିର ନୀତି ମୁତାବକ ପ୍ରଥମେ ଶ୍ରୀମନ୍ଦିର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀଙ୍କୁ ପାଳିଆ ମହାଜନମାନେ ମାଜଣା କରିଥିଲେ। ତା’ ପରେ ବନକ ଲାଗି, ପାଟ ଓ ଅଳଙ୍କାର ଲାଗି ହୋଇଥିଲା। ପାଳିଆ ମେକାପ, ପ୍ରତିହାରୀ ଓ ମୁଦୁଲି ଦେଇଥିବା ପନ୍ତି ଭୋଗ ପୂଜାପଣ୍ଡା କରିଥିଲେ। ଏହାପରେ ମହାଜନ ସେବକ ମାନେ ଲକ୍ଷ୍ମୀଙ୍କୁ ନେଇ ବଟବୃକ୍ଷ ତଳେ ଥିବା ବିମାନରେ ବିଜେ କରିଥିଲେ। ବିମାନବଡ଼୍ରୁମାନେ ବିମାନ କାନ୍ଧେଇ, ଘଣ୍ଟ, କାହାଳୀ ବାଜା, ଛତାର ଛତ୍ର ସହ ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ଗୁଣ୍ଡିଚା ଘର ସାମନାରେ ଶ୍ରୀଜଗନ୍ନାଥଙ୍କ ରଥ ପାଖରେ ଠିଆ ହୋଇଥିଲେ। ଏଠାରେ ପତି ମହାପାତ୍ର ପ୍ରସାଦ ଲାଗି ବନ୍ଦାପନା ଓ ଚାମର ଆଲଟ ହୋଇଥିଲା। ଘଷା ବିଡ଼ିଆ ଓ ଦହିପଟି ମଣୋହି କରାଯାଇଥିଲା। ଏ ମଧ୍ୟରେ ଗୁଣ୍ଡିଚା ଘରେ ତିନିବାଡ଼ରେ ସର୍ବାଙ୍ଗ ପରେ ବେଶ ହୋଇ ଓ ସଂଧ୍ୟାଧୂପ ଉଠି ପୂଜାପଣ୍ଡା ପୂଜାରେ ବସିଥିଲେ।
ଲକ୍ଷ୍ମୀ ରଥ ପାଖରୁ ଜଗମୋହନ ଜୟ ବିଜୟ ଦ୍ୱାରକୁ ଆସିଥିଲେ। ପତି ମହାପାତ୍ର ସିଂହାସନ ଉପରକୁ ଉଠି ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ଲକ୍ଷ୍ମୀଙ୍କୁ ଦେଲା ପରେ ପୂଜାପଣ୍ଡା ପୂଜା ବଢ଼ାଇ ଧୂପ ଦୀପ ଦେଇ ଟେରା ପକାଇଥିଲେ। ଲକ୍ଷ୍ମୀଙ୍କ ବିମାନକୁ ଜଗମୋହନରୁ ନାକଚଣା ଦ୍ୱାର ଦେଇ ତେନ୍ତୁଳିଗଛ ପାଖରେ ରଖାଯାଏ। ସେଠାରେ ଭିତରଚ୍ଛ ମହାପାତ୍ର ଗରାବଡ଼ୁଠାରୁ ହାତୁଆଣି ନେଇ ବନ୍ଦାପନା କରି ଦହିପଟି ମଣୋହି କରିଥିଲେ। ଏହାପରେ ତାଙ୍କର ବିମାନକୁ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ନିଆଯାଇଥିଲା। ପ୍ରେମର ସୂଚକ ଭାବର ସୂଚକ ରୂପରେ ନନ୍ଦିଘୋସ ରଥର ହଂସ ପଟାରୁ ଗୋଟିଏ ଅଂଶ କୁ ସେବକଙ୍କ ଭିତରୁ ଜଣେ ଭାଙ୍ଗି ଦେବା ପରେ ହେରାଗୌରୀ ସାହି ଦେଇ ବଡ଼ ଦେଉଳକୁ ବିଜେ କରିଥିଲେ। ମା ଲକ୍ଷ୍ମୀ ଶ୍ରୀ ମନ୍ଦିରରୁ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଗୁପ୍ତରେ ଯାଇ ଏକାନ୍ତରେ ଦର୍ଶନ କରି ମୋହାଞ୍ଜନରେ ପ୍ରଭୁଙ୍କୁ ମୁଗ୍ଧ କରିବାରେ ସଫଳ ହେବାପରେ ଏହାର ପରଦିନ ଅର୍ଥାତ ଆସନ୍ତା କାଲି ପ୍ରତ୍ୟାବର୍ତ୍ତନ ପାଇଁ ରଥକୁ ଦକ୍ଷିଣାଭିମୁଖି କରିବା ନିମନ୍ତେ ଆଦେଶ ଦିଆଯାଇଥାଏ। ଫଳରେ ହେରାପଞ୍ଚମୀର ପରଦିନ ପ୍ରଭୁଙ୍କର ଆଜ୍ଞାମାଳ ଦିଆଯାଇ ରଥ ଦକ୍ଷିଣ ମୋଡ କରା ଯାଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking