ଶ୍ରୀନଗର: ଆଜକୁ ଏକ ସପ୍ତାହ ପୂର୍ବେ ଜମ୍ମୁ-କଶ୍ମୀରସ୍ଥିତ ଅମରନାଥ ଗୁମ୍ଫା ନିକଟରେ ଘଟିିଥିବା ବାଦଲଫଟା ବର୍ଷା ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ ଜଣ ନିଖୋଜ ଥିଲେ । ତେବେ ଗୁରୁବାର ସୁଦ୍ଧା ଏହି ଘଟଣାରେ କେହି ନିଖୋଜ ନାହାନ୍ତି ବୋଲି ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ସ୍ପଷ୍ଟ କରିଛନ୍ତି । ଫଳରେ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରାଯାଇଥିବା ସେ କହିଛନ୍ତି । ସୂଚନାଯୋଗ୍ୟ ନିଖୋଜ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ପ୍ରଶାସନ ହେଲପ୍ଲାଇନକୁ ପ୍ରାୟ ୨୦୦ ଫୋନକଲ ଆସିଥିଲା । ଫଳରେ ତିନି ଚାରିଦିନ ପର୍ଯ୍ୟନ୍ତ ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବାକୁ ସେନା ସହାୟତାରେ ଉଦ୍ଧାରକାରୀ ଦଳ ଲାଗିପଡିଥିଲେ ।
ବର୍ତ୍ତମାନ ସବୁ ନିଖୋଜ ବ୍ୟକ୍ତି ଠାବ ହୋଇସାରିଥିବା ଶ୍ରୀ ସିହ୍ନା କହିଛନ୍ତି । ଅପରପକ୍ଷରେ ଆହତ ୫୫ ଜଣଙ୍କୁ ସେତେବେଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ସୁଦ୍ଧା ୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨ ଜଣ ଏବେମଧ୍ୟ ଶ୍ରୀନଗରସ୍ଥିତ ମେଡିକାଲରେ ଚିକିତ୍ସାଧୀନ ଥିବା କୁହାଯାଇଛି । ପ୍ରତ୍ୟେକ ଅମରନାଥ ଯାତ୍ରୀଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା କରାଯାଇଛି। ଏହାସତ୍ତ୍ୱେ ମୃତ ଯାତ୍ରୀଙ୍କୁ ପ୍ରଶାସନ ପକ୍ଷରୁ ଅଧିକ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଶ୍ରୀ ସିହ୍ନା କହିଛନ୍ତି ।