30.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶ୫ ରାଜ୍ୟରେ ଭୀଷଣ ବର୍ଷା; ୭୨ ଘଣ୍ଟାରେ ୭୬ ମୃତ

୫ ରାଜ୍ୟରେ ଭୀଷଣ ବର୍ଷା; ୭୨ ଘଣ୍ଟାରେ ୭୬ ମୃତ

ନୂଆଦିଲ୍ଲୀ: ଉତ୍ତର ଭାରତର ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ୩ ଦିନ ଧରି ଭୀଷଣ ବର୍ଷା ଲାଗି ରହିବା ଫଳରେ ବହୁ ଧନଜୀବନ କ୍ଷୟକ୍ଷତି ହେବା ସହିତ ଜନଜୀବନ ବ୍ୟାହତ ହୋଇପଡ଼ିଛି । ୭୨ ଘଣ୍ଟା ମଧ୍ୟରେ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ୭୬ ଜଣଙ୍କର ମୃତ୍ୟୁ ଘଟିଛି । ଉତ୍ତର ପ୍ରଦେଶରେ ୩୪, ହିମାଚଳରେ ୨୦, ଜମ୍ମୁ-କଶ୍ମୀରରେ ୧୫, ଦିଲ୍ଲୀରେ ୫ ଏବଂ ରାଜସ୍ଥାନ ଓ ହରିଆଣାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ହିମାଚଳ ପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯ ସ୍ଥାନରେ ଭୂସ୍ଖଳନ ହୋଇଛି । ବ୍ୟାସନଦୀର ବନ୍ୟା ସ୍ରୋତରେ ବିଲ୍ଡିଂ ଭାସିଯାଇଥିବା ବେଳେ ବ୍ରିଜ୍ ଭୁଶୁଡ଼ି ପଡ଼ିଛି । ସେହିପରି ଉତ୍ତରାଖଣ୍ଡର ଉତ୍ତରକାଶୀରେ ମଧ୍ୟପ୍ରଦେଶର ଟ୍ୟୁରିଷ୍ଟ ବାହନ ଉପରେ ପାହାଡ଼ରୁ ପଥର ଖସିବା ଫଳରେ ଇନ୍ଦୋରର ଚାରିଜଣ ଟ୍ୟୁରିଷ୍ଟ୍‌ଙ୍କ ମୃତ୍ୟୁ ଘଟିଛି । ସେହିପରି ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀରରେ ପାଗରେ କିଛିଟା ସୁଧାର ହେବାରୁ ୪ ଦିନ ପରେ ଅମରନାଥ ଯାତ୍ରା ପୁଣି ଆରମ୍ଭ ହୋଇଛି । ଦିଲ୍ଲୀରେ ଯୁମନା ନଦୀର ଜଳସ୍ତର ବିପଦ ସଂକେତ ପାର୍ କରିଛି । ଫଳରେ ତଳିଆ ଅଞ୍ଚଳରେ ବନ୍ୟା ବିପଦ ବୃଦ୍ଧି ପାଇଛି । ଲୋକମାନଙ୍କୁ ସ୍ଥାନ ଛାଡ଼ି ସୁରକ୍ଷିତ ଅଞ୍ଚଳକୁ ଯିବା ପାଇଁ କୁହାଯାଇଛି । ଦିଲ୍ଲୀରେ ଗତ ୩ ଦିନ ଧରି ଭୀଷଣ ବର୍ଷା ଲାଗିରହିବା ଫଳରେ ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି । ମଙ୍ଗଳବାର ସକାଳେ ଶେରଶାହ ରୋଡ୍ ନିକଟରେ ସଡ଼କର ଏକ ଅଂଶ ଧସିଯିବା ଫଳରେ ଇଣ୍ଡିଆ ଗେଟ୍‌ରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତାଗୁଡ଼ିକରେ ପାଣି ଭର୍ତ୍ତି ହୋଇଯିବା ଫଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି ।

ହିମାଚଳ ପ୍ରଦେଶର ଚନ୍ଦ୍ରନାଳରେ ୩୦୦ ଏବଂ ମଣିମହେଶରେ ୨୦୦ ଲୋକ ଫସିରହିଛନ୍ତି । ଚନ୍ଦ୍ରନାଳରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ସକାଳ ପାଞ୍ଚଟାରୁ ରେସ୍‌କ୍ୟୁ ଅପରେସନ୍ ଜାରି ରହିଛି । ଉତ୍ତରପ୍ରଦେଶର ସହାରନପୁର ମଧ୍ୟ ଦେଇ ଯାଇଥିବା ଢ଼ମଲା ଓ ପାବନ୍ଧୋଇ ନଦୀରେ ବନ୍ୟା ଆସିଛି । ବନ୍ୟାଜଳ ଲୋକଙ୍କ ଘରେ ପଶିଯାଇଛି । ମୁରାଦାବାଦରେ ରେଳ ଟ୍ରାକ୍‌ରେ ପାଣି ଭର୍ତ୍ତି ହେବା ଫଳରେ ବିଭିନ୍ନ ରୁଟ୍‌ରେ ୩୨ ଟ୍ରେନ୍ ଚଳାଚଳ ରଦ୍ଦ କରାଯାଇଛି । ହରିଆଣାରେ ଯମୁନା ନଦୀର ପାଣି ଗାଁଗୁଡ଼ିକରେ ପଶିଛି । ଯମୁନା ନଗର ବ୍ୟତୀତ କର୍ନାଲ୍ ଏବଂ ପାନିପତର ଗାଁଗୁଡ଼ିକରେ ଏହି ବନ୍ୟାଜଳ ପହଞ୍ଚିଛି । ପାନିପତରେ ଏକ ଗୋଶାଳା ବନ୍ୟାଜଳରେ ବୁଡ଼ିଯିବା ଫଳରେ କେତେକ ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking