ଭୁବନେଶ୍ୱର : ରାଜ୍ୟରେ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପାଇଁ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଆଇନ ୨୦୨୧ର ବିଲ୍ ଆସିବ। ବିଧାନସଭାକୁ ଏହି କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ଅବଗତ କରିଛନ୍ତି।
କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ। ଏଥିରେ ରହିଛି କ୍ରୀଡ଼ା ଭିତ୍ତିଭୂମି ବିକାଶ ଏବଂ ରାଉରକେଲାରେ ଆନ୍ତର୍ଜାତୀୟ ମାନର ହକି ଷ୍ଟାଡ଼ିୟମ ନିର୍ମାଣ। କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ମୋଟ ୩୬୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଆସନ୍ତା ୧୬ ମାସ ଭିତରେ ଏହି ପ୍ରକଳ୍ପ ଶେଷ ହେବ। ସେହିପରି ଓଡ଼ିଶା ଭେଷଜ ନିୟନ୍ତ୍ରଣାଳୟର ସେବା ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ ନିୟମ ୨୦୨୦ରେ ମୋହର ବାଜିଛି।
ଓଡ଼ିଶା ଭେଷଜ ମନ୍ତ୍ରାଳୟର ସର୍ବାଧିକ ୯୭ ଟି ପଦବୀକୁ ମଞ୍ଜୁରି ମିଳିଛି। ସେହିପରି ଜନଜାତି ବର୍ଗରେ ପିଲାଙ୍କୁ ସେମାନଙ୍କର ମାତୃଭାଷାରେ ପାଠ ପଢ଼ାଇବା ପାଇଁ ଠିକାରେ ନିଯୁକ୍ତି ହୋଇଥିବା ୧୦୦ ପଦବୀକୁ ନିୟମିତ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଏଥିସହିତ ଖାଉଟି ସାମଗ୍ରୀ ଯୋଗାଉଥିବା ବେସରକାରୀ ଡିଲରଙ୍କ ଲାଇସେନ୍ସକୁ ଆଗାମୀ ୬ ମାସ ପାଇଁ ବୃଦ୍ଧି କରାଯାଇଛି। ସେହିପରି ଖଣିଜ ପଦାର୍ଥ ନିୟମ ୨୦୦୭ର ସଂଶୋଧନ ପ୍ରସ୍ତାବରେ ମଧ୍ୟ ବାଜିଛି କ୍ୟାବିନେଟ ମୋହର।