ଝାରସୁଗୁଡା: ରାଜ୍ୟ ରାଜନୀତିର ବରିଷ୍ଠ ନେତା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ବ୍ରଜରାଜନଗରରେ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସଭାସ୍ଥଳକୁ ଯିବାକୁ ଗାଡିରୁ ଓହ୍ଲାଇବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ପାଇଁ ଫୁଲମାଳ ଦିଆଯାଇଥିଲା । ଏହି ସମୟରେ ହଠାତ ଏକ ଗୁଳି ଆସି ଛାତିରେ ବାଜିଥିଲା । ଯାହା ରାଜ୍ୟବାସୀଙ୍କଠାରୁ ଛଡାଇ ନେଲା ସେମାନଙ୍କ ପ୍ରିୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ । ପୋଲିସ ଭାବରେ କାର୍ଯ୍ୟରତ ଜଣେ ଏଏସଆଇଙ୍କ ଗୁଳିରେ ମୃତ୍ୟୁବରଣ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏଭଳି ଏକ ଘଟଣା ଏବେ ସାରା ରାଜନୀତି ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
୧୯୬୨ ମସିହା ଜାନୁୟାରୀ ୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ନବକିଶୋର ଦାସ । ବାପାଙ୍କଠାରୁ ଗୁରୁଜ୍ଞାନ ପାଇ ୨୦୦୯ରେ ସେ ରାଜନୀତିରେ ପାଦ ଦେଇଥିଲେ । ପ୍ରଥମେ ବିଧାନସଭାର ଜଣେ ସଦସ୍ୟ ଭାବରେ ସେ କଂଗ୍ରେସ ଦଳ ସହ ଆରମ୍ଭ କରିଥିଲେ ରାଜନୀତି କ୍ୟାରିୟର । ପରେ ଗୋଟିଏ ପରେ ଗୋଟିଏ ସଫଳତା ତାଙ୍କୁ ରାଜନୀତି ଜଗତରେ ଚିହ୍ନା ଚେହେରା କରି ଦେଇଥିଲା । ଲଗାତାର ଦୁଇ ଥର ଝାରସୁଗୁଡା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ଜଣେ ଟାଣୁଆ ଏବଂ ପୁରୁଖା ନେତା ଭାବରେ ସେ ଦାୟିତ୍ୱ ତୁଲାଇଥିଲେ । ୨୦୦୯ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ନବକିଶୋର ଦାସ । କିନ୍ତୁ ପରେ ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଆଉ ଦଳରେ ଯୋଗ ଦେଉ ଦେଉ ସେ ପାଲଟି ଯାଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ୨୦୧୯ ମସିହାରେ ତାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଭାବରେ ଦାୟିତ୍ୱ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜନୀତି କ୍ଷେତ୍ରରେ ତାଙ୍କର ଏହି ସଫଳତା ତାଙ୍କୁ ଜଣେ କ୍ୟାବିନେଟ ମନ୍ତ୍ରୀ ଭାବରେ ମଧ୍ୟ ପରିଚୟ ଦେଇଛି ।
ତେବେ ନବ ଦାସଙ୍କ ଏହି ରାଜନୀତି ଆଉ ସଫଳତା ତାଙ୍କ ଅଜାଣତରେ ଅନେକ ଶତୃ ସୃଷ୍ଟି କରିସାରିଥିଲା । ଯାହାର ଅନ୍ତ ଖୁବ ଭୟଙ୍କର ରୂପ ନେଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ଆସିବା ଖୁସିରେ ଜୟ ଜୟକାରରେ କମ୍ପି ଉଠୁଥିବା ଗାନ୍ଧିଛକ କିନ୍ତୁ ଏଏସଆଇ ଗୋପାଳ ଦାସର ଗୋଟିଏ ଗୁଳିରେ ଏକଦମ ଶାନ୍ତ ପଡିଗଲା । କାରଣ ଏହି ଗୁଳି ସିଧା ନବ ଦାସଙ୍କ ବକ୍ଷ ଭେଦ କରିଥିଲା । ତେବେ ସ୍ୱତନ୍ତ୍ର ଡାକ୍ତରୀ ଟିମର ଚିକିତ୍ସା ଜାରି ରହିଥିବା ବେଳେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ପ୍ରାଣତ୍ୟାଗ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତେବେ ହତ୍ୟାକାରୀ ଗୋପାଳ ଦାସ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀ ରହିଥିଲେ । ତେଣୁ ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିକାଣ୍ଡ ହୋଇଛି ବୋଲି ସନ୍ଦେହ କରାଯାଉଛି । ତାଙ୍କର ମୃତ୍ୟୁ ଆଜି ସାରା ରାଜନୀତି ଜଗତରେ ଶୋକର ଛାୟା ଖେଳାଇ ଦେଇଛି ଏବଂ ସୃଷ୍ଟି ହୋଇଛି ଏକ ଅପୂରଣୀୟ କ୍ଷତି ।
କିଛି ଦିନ ତଳେ ମହାରାଷ୍ଟ୍ରର ଶନିସିଙ୍ଗନାପୁରରେ ତ୍ରିବେଣୀ ଅମାବାସ୍ୟା ତିଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଶନି ଦେବଙ୍କୁ ସୁନା କଳସ ଦାନ କରିଥିଲେ ।ନିଜ ନାମକୁ ଗୋପନ ରଖି ପ୍ରାୟ ଏକ କେଜିର ସୁନା ଏବଂ ୫ କେଜି ରୂପାରେ ନିର୍ମିତ କଳସ ମନ୍ଦିରକୁ ସେ ଦାନ କରିଥିଲେ । କୋଟିଏ ଟଙ୍କାର ସୁନା ଓ ରୂପାର କଳସ ଶନିବାର ଶନିଦେବଙ୍କୁ ଦାନ କରି ରିଷ୍ଟ ଖଣ୍ଡନ କରିବା ପାଇଁ ଉଦ୍ୟମ କରିଥିବା ଦେଖାଯାଇଥିଲା । ଯାହାକୁ ନେଇ ରାଜନୀତି ବେଶ ଚର୍ଚ୍ଚାରେ ସେ ଥିଲେ । ହେଲେ ଶନିଦେବଙ୍କ କୋପ ଦୃଷ୍ଟିରୁ ସେ ବର୍ତ୍ତି ପାରିଲେ ନାହିଁ । ଏକଦା ନିଜ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀଙ୍କ ଗୁଳିରେ ହିଁ ସେ ଟଳିପଡିଲେ । ହତ୍ୟାକାରୀ ଏଏସଆଇ ଗୋପାଳ ଦାସ କାହିଁକି ଏଭଳି କାଣ୍ଡ ଘଟାଇଲା, ତାହାର ରହସ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ।