37.1 C
Bhubaneswar
Saturday, May 18, 2024
Homeଓଡିଶାପ୍ରେମିକାକୁ ମାରି ପ୍ରେମିକ ଫେରାର୍‌, ସକାଳୁ ଯାଉଥିଲେ, ରାତିରେ ଫେରୁଥିଲେ

ପ୍ରେମିକାକୁ ମାରି ପ୍ରେମିକ ଫେରାର୍‌, ସକାଳୁ ଯାଉଥିଲେ, ରାତିରେ ଫେରୁଥିଲେ

ଭୁବନେଶ୍ୱର: କିଛିଦିନର ନୀରବତା ପରେ ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଯାଇଛି । ଭରତପୁର ଥାନା ଅନ୍ତର୍ଗତ ରୁଚିକା ମାର୍କେଟ୍ ନିକଟ ମହାବୀର ବସ୍ତିରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ହତ୍ୟା କରିଛନ୍ତି । ଘର ଭିତରେ ହତ୍ୟା କରିବା ପରେ ସେ ବାହାର ପଟୁ ଗ୍ରିଲ୍‌ରେ ତାଲା ପକାଇଦେଇ ଫେରାର୍ ହୋଇଯାଇଛନ୍ତି । ମୃତକ କିମ୍ବା ଅଭିଯୁକ୍ତଙ୍କ ପରିଚୟ ଜଣାପଡ଼ିନଥିବାବେଳେ ଉଭୟ ଏଠାରେ ୧୦ଦିନ ହେବ ଆସି ରହୁଥିବା ସ୍ଥାନୀୟଲୋକେ କହିଛନ୍ତି । ଏସମ୍ପର୍କରେ ଜାଣିବା ପରେ ବସ୍ତିବାସିନ୍ଦା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି ।

ଏନେଇ ଭରତପୁର ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଦେଇଛି । ଏସମ୍ପର୍କରେ ଭରତପୁର ଜୋନ୍ ଏସିପି ଭରତ ସାହୁ କହିଛନ୍ତି, ଯୁବତୀଙ୍କୁ ତାଙ୍କ ସମ୍ପର୍କୀୟ ଯୁବକ ଜଣକ ହତ୍ୟା କରି ଫେରାର୍ ହୋଇଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେଣୁ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛୁ । ଫେରାର୍ ଯୁବକଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ସେ କହିଛନ୍ତି । ସୂଚନା ଅନୁଯାୟୀ, ମହାବୀରବସ୍ତିରେ ତପସ୍ୱିନୀ ଦାସ ନାମ୍ନୀ ଜଣେ ମହିଳା ରୁହନ୍ତି । ତାଙ୍କ ଘର ପାଖରେ ସେ ଆଉ ଏକ ଘର ନିର୍ମାଣ କରିଛନ୍ତି । ୧୦ଦିନ ତଳେ ଜଣେ ୩୦ରୁ ୩୨ବର୍ଷୀୟ ଯୁବକ ଓ ଜଣେ ୨୦ରୁ ୨୨ବର୍ଷୀୟା ଯୁବତୀ ତାଙ୍କ ପାଖକୁ ଆସିଥିଲେ ।

ଦୁହେଁ ନିଜକୁ ସ୍ୱାମୀ-ସ୍ତ୍ରୀ ପରିଚୟ ଦେଇ ଜାଗମରାରୁ ଆସିଥିବା କହିଥିଲେ । ହେଲେ ସେମାନେ ସ୍ୱାମୀ-ସ୍ତ୍ରୀ ପରିବର୍ତ୍ତେ ପ୍ରେମିକ-ପ୍ରେମିକା ଦେଖାଯାଉଥିଲେ । ଯୁବତୀ ଜଣକ କମ୍‌ବୟସର ହୋଇଥିବାବେଳେ ମୁଣ୍ଡରେ ସିନ୍ଦୁର କି ହାତରେ ଶଙ୍କା ପିନ୍ଧିନଥିଲେ । ସେମାନେ ଘର ଭଡ଼ା ସୂତ୍ରରେ ଦେବା ପାଇଁ ତପସ୍ୱିନୀଙ୍କୁ ନିବେଦନ କରିଥିଲେ । ହେଲେ ତପସ୍ୱିନୀ ତାଙ୍କୁ ପରିଚୟପତ୍ର ମାଗିବାରୁ ସେମାନେ ପରେ ଦେଇଦେବୁ ବୋଲି କହିଥିଲେ । ଏହାପରେ ସେ ତାଙ୍କୁ ଘର ଦେଇଥିଲେ । ଉଭୟ ଯୁବକ ଓ ଯୁବତୀ ସେଠାରେ ରହିଥିଲେ ବି ପଡ଼ୋଶୀଙ୍କ ସହ କେବେ ବି କଥାବାର୍ତ୍ତା ହେଉନଥିଲେ । ଏକ ବାଇକ୍‌ରେ ସକାଳ ୯ଟାରୁ ଘରୁ ବାହାରି ଯାଉଥିଲେ ।

ପରେ ରାତି ୮ଟାକୁ ଫେରୁଥିଲେ । ଯିବାବେଳେ ଦୁହେଁ ମୁହଁରେ କପଡ଼ା ଲଗାଇ ଯାଉଥିଲେ । ଯେଉଁଥି ପାଇଁ ତାଙ୍କୁ କେହି ପଡ଼ୋଶୀ ଭଲସେ ଦେଖିପାରିନଥିଲେ । ସେମାନେ କୁଆଡ଼େ ଯାଉଛନ୍ତି, କାହିଁକି ଯାଉଥିଲେ, ଏସମ୍ପର୍କରେ କାହାରିକୁ ଜଣାନଥିଲା ।
ଗତ ୩ରୁ ୪ଦିନ ହେବ ପ୍ରେମୀଯୁଗଳ ରହୁଥିବା ଘର ବାହାରପଟୁ ତାଲା ପଡ଼ିଥିଲା । ମାଲିକ ଭାବିଲେ ଦୁହେଁ କୁଆଡ଼େ ଯାଇଛନ୍ତି । ମୋବାଇଲ ନମ୍ବର ନଥିବାରୁ ମାଲିକ ଯୋଗାଯୋଗ କରିପାରିନଥିଲେ । ରବିବାର ସକାଳେ ବସ୍ତିରେ ହଠାତ୍ ଦୁର୍ଗନ୍ଧ ହୋଇଥିଲା । କାହା ଘରେ ମୂଷା କି ବିଲେଇ ମରିଥିବ ବୋଲି ସମସ୍ତେ ଭାବିନେଇଥିଲେ । ପରେ ଏହି ଗନ୍ଧ ଆହୁରି ବଢ଼ିବାରେ ଲାଗିଥିଲା ।

ସୋମବାର ରାତିରେ ବନ୍ଦ ଘରୁ ଗନ୍ଧ ବାହାରୁଥିବା ଲୋକମାନେ ଜାଣିବାକୁ ପାଇଥିଲେ । ହେଲେ ସକାଳେ ହେଲେ ଦେଖିବେ ବୋଲି ଭାବିନେଇଥିଲେ । ମଙ୍ଗଳବାର ସକାଳେ ଗ୍ରିଲ୍ ଫାଙ୍କରେ ଘର ଭିତରକୁ ଦେଖିବାବେଳକୁ ଜୋର୍‌ସେ ଗନ୍ଧ ହେଉଥିଲା । ଏହାସହ ଘର ଭିତରୁ ପୋଚା ରକ୍ତମିଶା ପାଣି ବୋହି ନାଳକୁ ଆସୁଥିବା ଦେଖି ଲୋକଙ୍କ ସନ୍ଦେହ ଘନୀଭୂତ ହୋଇଥିଲା । ଏନେଇ ସେମାନେ ସଙ୍ଗେସଙ୍ଗେ ଭରତପୁର ଥାନା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଥିଲେ । ପରେ କବାଟ୍ ତାଲା ଭାଙ୍ଗି ଭିତରକୁ ଯିବାରୁ ଜଣେ ଯୁବତୀଙ୍କ ପଚାସଢ଼ା ମୃତଦେହ ପଡ଼ିଥିବା ଦେଖିଥିଲେ ।

ଯୁବତୀଙ୍କ ଶରୀର ପଚିଯାଇଥିବାରୁ ସେଥିରେ ପୋକ ଚାଲୁଥିଲା । ଏହାପରେ ସାଇଣ୍ଟିଫିକ୍ ଟିମ ଘର ଭିତରୁ ତଥ୍ୟପ୍ରମାଣ ସଂଗ୍ରହ କରିଥିଲେ । ପରେ ଯୁବତୀଙ୍କ ଶବକୁ ପୋଲିସ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ତେବେ ଯୁବତୀଙ୍କୁ ୩ରୁ ୪ଦିନ ତଳେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଓ ସମୟ ଜଣାପଡ଼ିବ ବୋଲି ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking