ଜଳେଶ୍ୱର: ଜଳେଶ୍ୱରରେ ଭୟଙ୍କର ସଡକ ଦୁର୍ଘଟଣା । ସ୍କୁଟି ଉପରେ ଚଢିଗଲା ହାଇୱା । ଏହି ଦୁର୍ଘଟଣାରେ ସ୍କୁଟି ଚାଳକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଜଣକ ମହମ୍ମଦ ନଗର ପାଟଣା ଗାଁ ଶଙ୍କର ଲାଲ ଦେଙ୍କ ଝିଅ ଲାବଣ୍ୟପ୍ରଭା ଭୂୟାଁ ବୋଲି ଚିହ୍ନଟ କରାଯାଇଛି । ସେ ସ୍ଠାନୀୟ ବାଘାବାଳି ସ୍ଥିତ ଜ୍ଞାନ ମନ୍ଥର ପବ୍ଲିକ ଇଣ୍ଟରନ୍ୟାସନାଲ ସ୍କୁଲରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି । ଜଳେଶ୍ୱର- ରାଜଘାଟ ଓଟି ରୋଡର ମହମ୍ମଦ ନଗର ପାଟଣା ଠାରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଆଜି ବେଲପାଳ ନିକଟରେ ଚୋରାବାଲି ଆଣିବାକୁ ଯାଉଥିବା ଏକ ହାଇୱା ଲାବଣ୍ୟଙ୍କ ସ୍କୁଟି ଉପରେ ଚଢାଇ ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ସେ ଜଳେଶ୍ବର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଶିକ୍ଷୟତ୍ରୀଙ୍କ ପରିବାର ଓ ଗ୍ରାମବାସୀ ଶିକ୍ଷୟିତ୍ରୀଙ୍କ ଚିକିତ୍ସା ସୁବିଧା,ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ବନ୍ଦ କରିବା, ଜଳେଶ୍ୱର-ରାଜଘାଟ ଓଟି ରୋଡ ରାସ୍ତା ମରାମତି ଦାବି ନେଇ ରାସ୍ତାରୋକ କରିଛନ୍ତି । ଖବର ପାଇ ଜଳେଶ୍ଵର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଚେଷ୍ଟା କରୁଛି । ତେବେ ଏହି ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।










