29.1 C
Bhubaneswar
Tuesday, July 2, 2024
Homeଦେଶ ବିଦେଶଗୁମର ଖୋଲିଲା ମାଇକ୍ରୋସଫ୍ଟ; ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଛି ଚୀନ୍‌

ଗୁମର ଖୋଲିଲା ମାଇକ୍ରୋସଫ୍ଟ; ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଛି ଚୀନ୍‌

ୱାଶିଂଟନ୍‌: ବିଶ୍ୱର ଅନ୍ୟତମ ବୃହତ୍ ଟେକ୍ନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟ ପକ୍ଷରୁ ଏକ ବଡ଼ ତଥା ଗୁପ୍ତ ରହସ୍ୟକୁ ସାର୍ବଜନୀନ କରାଯାଇଛି । ତେବେ ଏହି ରହସ୍ୟ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ଏକ ଅଦୃଶ୍ୟ ଲଢ଼େଇ ସମ୍ପର୍କରେ ଅନେକ ତଥ୍ୟକୁ ସମସ୍ତଙ୍କ ସମ୍ମୁଖକୁ ନେଇଆସିଛି । ମାଇକ୍ରୋସଫ୍ଟ ଦାବି କରିଛି ଯେ, ଭାରତରେ ହେବାକୁ ଥିବା ୨୦୨୪ ସାଧାରଣ ନିର୍ବାଚନରେ ଚୀନ୍ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଟେକ୍ନୋଲୋଜିର ବିପୁଳ ପ୍ରୟୋଗ କରିବା ସହ ନିର୍ବାଚନକୁ ପ୍ରଭାବିତ କରିବାକୁ ମଧ୍ୟ ଚେଷ୍ଟା କରିବ । ଏଥିପାଇଁ ଚୀନ୍ ଏବେ ଠାରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଥିବା ମାଇକ୍ରୋସଫ୍ଟ ଦାବି କରିଛି ।

ସୁତରାଂ ଭାରତ, ୨୦୨୪ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଅଧିକ ସତର୍କ ଏବଂ ସଜାଗ ରହିବା ଉଚିତ୍ ବୋଲି ମାଇକ୍ରୋସଫ୍ଟ ଭାରତ ଉଦ୍ଦେଶ୍ୟରେ ଆଗୁଆ ପରାମର୍ଶ ଦେଇଛି । ତେବେ ମାଇକ୍ରୋସଫ୍ଟର ଏପ୍ରକାର ଚେତାବନୀ ବା ପରାମର୍ଶ ଏପରି ସମୟରେ ଆସିଛି ଯେତେବେଳେ ଚୀନ୍‌, ତାଇୱାନ୍‌ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଏଆଇ ଟେକ୍ନୋଲୋଜି ବ୍ୟବହାର କରିବାକୁ ଏବଂ ନିର୍ବାଚନ ଫଳାଫଳ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଏକାଧିକ ଥର ଟ୍ରାଏଲ୍ ରନ୍ (ପରୀକ୍ଷଣ) କରିସାରିଥିବା ଜଣାପଡ଼ିଛି ।

ବେଜିଂ ସମର୍ଥିତ ଷ୍ଟର୍ମ ୧୩୭୬ ନାମକ ଏକ ଏଆଇ ସ୍ପେଶାଲିଷ୍ଟ ଟିମ୍ ତାଇୱାନ୍ ସାଧାରଣ ନିର୍ବାଚନ (ରାଷ୍ଟ୍ରପତି ନିର୍ବାଚନ) ସମୟରେ ମାତ୍ରାଧିକ ସକ୍ରିୟ ରହିଥିବା ଦେଖିବାକୁ ମିଳିଥିଲା । ଏହି ଟିମ୍ ଏଆଇ ଟେକ୍ନୋଲୋଜି ଜରିଆରେ ବିଭିନ୍ନ ନକଲି ଅଡିଓ, ଭିଡିଓ ଏବଂ ମିମ୍ସସବୁ ପ୍ରସ୍ତୁତ କରି ସୋସିଆଲ ମିଡିଆରେପୋଷ୍ଟ କରିବା ଦେଖିବାକୁ ମିଳିଥିଲା । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଆଶାୟୀ ପ୍ରାର୍ଥୀଙ୍କ ବିରେ।।ଧରେ ଅପପ୍ରଚାର ଚଳାଇବା ଏବଂ ଭୋଟରଙ୍କ ଧାରଣାକୁ ଭ୍ରମିତ କରିବା, ଏମାନଙ୍କ ବାସ୍ତବିକ ଉଦ୍ଦେଶ୍ୟ ରହିଛି ।

ମାଇକ୍ରୋସଫ୍ଟ ରିପୋର୍ଟ ଅନୁସାରେ ଚୀନ୍ ଏହି ଏଆଇ ଟେକ୍ନୋଲୋଜିର ବ୍ୟବହାର କେବଳ ଭାରତରେ ହେବାକୁ ଥିବା ୨୦୨୪ ଲୋକସଭା ନିର୍ବାଚନରେ ନୁହେଁ ବରଂ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ, ଦକ୍ଷିଣ କୋରିଆରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ମଧ୍ୟ ଏହାର ପ୍ରୟୋଗ କରିବାକୁ ଯୋଜନା ପ୍ରସ୍ତୁତ କରିସାରିଛି । ଏପରିକି ନିକଟରେ ଆମେରିକାର ନ୍ୟୁ ହାମସ୍ପାୟାର କ୍ଷେତ୍ରରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସ୍ୱର ସହ ସାମଞ୍ଜସ୍ୟ ଥିବା ଏକ ଅଡିଓ ମଧ୍ୟ ସାମ୍ନାକୁ ଆସିଥିଲା ଯାହାକି ପରବର୍ତ୍ତୀ ସମୟରେ ଏଆଇ ଟେକ୍ନୋଲୋଜି ଦ୍ୱାରା ପ୍ରସ୍ତୁତ ହୋଇଥିବା ଜଣାପଡିଥିଲା ।

ଅଡିଓ ବାର୍ତ୍ତାରେ ଆମେରିକାବାସୀଙ୍କ ପ୍ରତି ବାଇଡେନ୍‌ଙ୍କ ସ୍ୱରରେ ଅତ୍ୟନ୍ତ ଅପମାନଜନକ ଶବ୍ଦ ପ୍ରୟୋଗ କରାଯାଇଥିବା ଦେଖିବା ଓ ଶୁଣିବାକୁ ମିଳିଥିଲା । ବାସ୍ତବରେ ଚୀନ୍ ଭାରତ ଏବଂ ଆମେରିକା ତଥା ଦକ୍ଷିଣକୋରିଆରେ ସେସବୁ ରାଜନୈତିକ ଦଳଙ୍କ ସପକ୍ଷରେ ଏଆଇ ଟେକ୍ନୋଲୋଜିକୁ ବ୍ୟବହାର କରିବାକୁ ଚାହୁଁଛି ଯେଉଁ ରାଜନୈତିକ ଦଳ ସେଠାରେ ସରକାରକୁ ଆସିଲେ ଚୀନ୍‌ର ଲାଭ ହେବାର ସମ୍ଭାବନା ଅଧିକ ରହିବ । ମୋଟାମୋଟି ଚୀନ୍ ଏବେ ଏସବୁ ରାଷ୍ଟ୍ରରେ ନିର୍ବାଚନ ଫଳାଫଳକୁ ଏଆଇ ଟେକ୍ନୋଲୋଜି ମାଧ୍ୟମରେ ପ୍ରଭାବିତ କରିବାକୁ ଚେଷ୍ଟା ଚଳାଇଛି । ସୂଚନାଯୋଗ୍ୟ, ସମେତ ୟୁରୋପୀୟ ସଂଘକୁ ମିଶାଇ ବିଶ୍ୱର ପ୍ରାୟ ୬୪ ଦେଶରେ ୨୦୨୪ ବର୍ଷ ଶେଷ ସୁଦ୍ଧା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଚୀନ୍ ଏବଂ ଉତ୍ତରକୋରିଆ ମିଳିତ ଭାବେ ଏସବୁ ଦେଶଗୁଡ଼ିକ ମଧ୍ୟରୁ ନିଜ ଶତ୍ରୁ ରାଷ୍ଟ୍ରଙ୍କ ବିପକ୍ଷରେ ଏଆଇ ଟେକ୍ନୋଲୋଜିର ପ୍ରୟୋଗ କରିବାକୁ ତଥା ସାଇବର ଆଟାକ୍ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି ।

ପ୍ରକାଶ, ଗତ ମାସରେ ମାେଇକ୍ରୋସଫ୍ଟ କମ୍ପାନୀର ସହ ସଂସ୍ଥାପକ ବିଲ୍ ଗେଟ୍‌ସ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତକାର ସମୟରେ ଅନେକ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଥିଲେ । ତେବେ ଏସବୁ ପ୍ରସଙ୍ଗ ମଧ୍ୟରେ ଏଆଇ ଟେକ୍ନୋଲୋଜିର ଅପବ୍ୟବହାର ଉପରେ ମୋଦୀ ନିଜ ଆଶଙ୍କା ବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ, ଭାରତରେ ସାଧାରଣ ନିର୍ବାଚନ ଚଳିତ ମାସ ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏବଂ ଏହି ପ୍ରକ୍ରିୟା ୭ଟି ପର୍ଯ୍ୟାୟ ମାଧ୍ୟମରେ ଜୁନ୍ ୧ରେ ଶେଷ ହେବ । ଜୁନ୍ ୪ତାରିଖରେ ଭୋଟ ଗଣତି ସହ ଫଳାଫଳ ମଧ୍ୟ ଘୋଷଣା କରାଯିବ । ତେବେ ଭାରତୀୟ ନିର୍ବାଚନ ଆୟୋଗ ଜାରି କରିଥିବା ନିର୍ବାଚନୀ ଆଚରଣ ବିଧିରେ ମିଥ୍ୟା ତଥା ବିଭ୍ରାନ୍ତିକର ସୂଚନା, ଘୋଷଣା, କୌଣସି ବ୍ୟକ୍ତିବିଶେଷ କିମ୍ବା ରାଜନୈତିକ ଦଳଙ୍କ ବିରୋଧରେ ଅପମାନଜନକ ଭାଷଣ କିମ୍ବା ବୟାନବାଜି କରିବା ଉପରେ ନିଷେଧାଦେଶ ଜାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking