ନୂଆଦିଲ୍ଲୀ: ଭାରତରେ ଜଳ ସଂରକ୍ଷଣ ତଥା ଆଗାମୀ ଦିନରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି, ‘ଜଳ ସଂରକ୍ଷଣ ପାଇଁ କେବଳ ସରକାରଙ୍କ ପଦକ୍ଷେପ ନୁହେଁ ବରଂ ଜନତା ମଧ୍ୟ ଏହାକୁ ଗୁରୁତ୍ବ ଦେଇ ଏଥିରେ ସାମିଲ ହେବା ଉଚିତ । ଭୂତଳ ଜଳ ସଂରକ୍ଷଣ ଦିଗରେ ଆମ ସମସ୍ତଙ୍କ ଭୂମିକା ରହିବା ଆବଶ୍ୟକ’।
ପିଏମ୍ ମୋଦି କହିଛନ୍ତି, ଜଳ ସଂରକ୍ଷଣ ପାଇଁ କେବଳ ସରକାରଙ୍କ ପଦକ୍ଷେପ ପର୍ୟ୍ୟାପ୍ତ ନୁହେଁ । ଜନ୍ ଭାଗିଦାରୀ (ଜନତାଙ୍କ ଯୋଗଦାନ) ମଧ୍ୟ ସମାଜରେ ଅପରିହାର୍ୟ୍ୟ । ଜଳ ସଂରକ୍ଷଣ ପାଇଁ ଆରମ୍ଭ କରାଯାଇଥିବା କ୍ୟାମ୍ପେନରେ ଆମେମାନେ ଜନତାଙ୍କୁ ମଧ୍ୟ ସାମିଲ କରିବା । କେବଳ ଜନତା ନୁହେଁ ସାମାଜିକ ଅନୁଷ୍ଠାନ ଏବଂ ସିଭିଲ୍ ସୋସାଇଟିକୁ ଯଥା ସମ୍ଭବ ଏଥିରେ ସାମିଲ କରିବାକୁ ପ୍ରୟାସ କରିବା’। ଅଲ୍ ଇଣ୍ଡିଆ ଓ୍ବାଟର୍ ମିନିଷ୍ଟର୍ସ କନଫରେନ୍ସ ଦ୍ବାରା ଆୟୋଜିତ ‘ଡବଗ୍ଧରକ୍ସ ଠସଗ୍ଦସକ୍ଟଦ୍ଭଅ୨୦୪୭’ ଥିମ୍ ଉପରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଜଳ ସୁରକ୍ଷା ଏବଂ ୨୦୪୭ ପାଇଁ ତିଆରି କରାଯାଉଥିବା ଭିଜନ ବା ଦୂରଦୃଷ୍ଟି ଦେଶର ପ୍ରଗତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ । ଯାହାକି ଅମୃିତ୍ କାଲ୍ (ଅମୃତ କାଳ) ପାଇଁ ବଡ ଯୋଗଦାନ ହୋଇପାରିବ । ଦେଶର ପ୍ରତିଟି ଜିଲ୍ଲାରେ ୭୫ଟି ଲେଖାଏଁ ଅମୃତ ସରୋବର ତିଆରି କରିବା ପାଇଁ ଯୋଜନା ଚାଲିଛି । ବର୍ତ୍ତମାନ ସୁଦ୍ଧା ୨୫ ହଜାର ଅମୃତ ସରୋବର ତିଆରି କରାଯାଇସାରିଲାଣି’।
ମୋଦି କହିଛନ୍ତି, ‘ଆମ ସାମ୍ବିଧାନିକ ବ୍ୟବସ୍ଥାରେ ଜଳ ସମ୍ପଦ ସମ୍ବନ୍ଧରେ ଯେ କୌଣସି ପ୍ରସ୍ତାବ କିମ୍ବା ପଦକ୍ଷେପ ରାଜ୍ୟ ମାନେ ହିଁ ନେଇଥାନ୍ତି । ତେଣୁ ଭାରତ ଯେଉଁଁ ଲକ୍ଷ୍ୟ ନେଇ ଆଗକୁ ବଢୁଛି ସେଥିପାଇଁ ରାଜ୍ୟମାନଙ୍କ ପ୍ରୟାସ ବେଶ୍ ଗୁରୁତ୍ବପୂର୍ଣ୍ଣ । ଆମେ ଜଳ ସଂରକ୍ଷଣ ପାଇଁ ଜିଓସେନସିଂ ଏବଂ ଜିଓମ୍ୟାପିଂ ଭଳି କୌଶଳ ବ୍ୟବହାର କରିବା ଆବଶ୍ୟକ । ଶିଳ୍ପ ଏବଂ କୃଷି ଏହି ଦୁଇଟି ସେକ୍ଟରରେ ଜଳର ଆବଶ୍ୟକତା ସର୍ବାଧିକ ହୋଇଥାଏ । ଜଳ ଜୀବନ ମିଶନ ଜରିଆରେ ପ୍ରତି ଘରେ ଜଳ ଯୋଗାଇବା ଦିଗରେ ସରକାର କାର୍ୟ୍ୟ ଜାରି ରଖିଛନ୍ତି ।