ଭୁବନେଶ୍ଵର : ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଜନ୍ମଜୟନ୍ତୀ । ଦିନଦରିଦ୍ରଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଗୋପବନ୍ଧୁ ଦାସ ଥିଲେ ଏକାଧାରାରେ ଜଣେ ଦେଶପ୍ରେମୀ, ସମାଜସେବୀ, ସଂଗଠକ, ସଂସ୍କାରକ ତଥା ସାହିତ୍ୟିକ । ଆଜୀବନ ତ୍ୟାଗମନ୍ତ୍ରରେ ଦୀକ୍ଷିତ ଏହି ତପସ୍ୱୀ ସାଧକ ଦୀନ ଦରିଦ୍ରଙ୍କର ବନ୍ଧୁ ଭାବରେ ବେଶ ଜଣାଶୁଣା ଥିଲେ । ୧୯୦୯ ମସିହାରେ ସାକ୍ଷୀଗୋପାଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସେ । ତାଙ୍କର ସାରସ୍ୱତ ରଚନା ମଧ୍ୟରୁ ‘ବନ୍ଦୀର ଆତ୍ମକଥା’, ‘କାରା କବିତା’, ‘ଧର୍ମପଦ’, ‘ନଚିକେତା ଉପାଖ୍ୟାନ’, ‘ଗୋ-ମାହାତ୍ମ୍ୟ’, ‘ଅବକାଶ ଚିନ୍ତା’ ଥିଲା ଅନ୍ୟତମ । ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ପୁରୀ ଜିଲ୍ଲା ସୁଆଣ୍ଡ ଗ୍ରାମରେ ମାତା ସ୍ବର୍ଣ୍ଣମୟୀ ଏବଂ ପିତା ଦୈତାରୀ ଦାଶଙ୍କ ପୁତ୍ରଭାବେ ଜନ୍ମ ନେଇଥିଲେ ପଣ୍ଡିତ ଦାଶ । ଚାଟଶାଳୀ ଏବଂ ପ୍ରାଥମିକ ଶିକ୍ଷା ସହିତ ସେ ପ୍ରତିଦିନ ଭାଗବତ ପଢାରେ ନିଜର ମୂଲ୍ୟବାନ ସମୟକୁ ନିୟୋଜିତ କରୁଥିଲେ । ସେହିଥିରୁ ହିଁ ସେ ସେବା ମନୋଭାବ ନେଇ ଆଗକୁ ବଢିଥିଲେ । ଆଉ ତାଙ୍କର ସାରା ଜୀବନ ସମାଜ ପାଇଁ ଉତ୍ସର୍ଗୀକୃତ କରିଦେଇଥିଲେ । ଓଡିଆ ଜାତିର ଉନ୍ନତି ପାଇଁ ତାଙ୍କର ଅବଦାନ ଅତୁଳନୀୟ । ଆଜି ଜନ୍ମ ଜୟନ୍ତୀରେ ତାଙ୍କ ଜନ୍ମମାଟି ସୁଆଣ୍ଡରେ ମଧ୍ୟ ପଣ୍ଡିତ ଗୋପବନ୍ଧୁ ଦାଶଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଲୋକଙ୍କ ଭିଡ଼ ଜମିଛି । ସେ ହେଉଛନ୍ତି ସେବା, ସଂଗ୍ରାମର ମୂର୍ତ୍ତିମନ୍ତ ବିଗ୍ରହ । ସେ ତାଙ୍କ କଥାକୁ କାମରେ ଲଗାଇବାକୁ ହିଁ ବିଶ୍ବାସ କରୁଥିଲେ । କାରଣ ତାଙ୍କର ଉଚ୍ଚାରଣ ଏବଂ ଆଚରଣ ସମାନ ଥିଲା । ସାହିତ୍ୟ ଓ ସମାଜସେବା ସହିତ ଜଡ଼ିତ ଗୋପବନ୍ଧୁଙ୍କ ଅନନ୍ୟ କୃତି ହେଉଛି ସମାଜ। ଓଡ଼ିଶା ଲୋକଙ୍କ ଦୂର୍ଦ୍ଦଶା,ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ,ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା, କଂଗ୍ରେସର ଆଭିମୁଖ୍ୟ ପ୍ରଚାର ପ୍ରସାର ତଥା ସଂଗ୍ରାମ ବିଷୟରେ ଲୋକଙ୍କୁ ଅବଗତ କରାଇବାକୁ ୧୯୧୯ ଅକ୍ଟୋବର ୪ ରେ ଦଶହରା ତିଥିରେ ସେ ସମାଜ ଖବରକାଗଜ ପ୍ରତିଷ୍ଠା କରିଥିଲେ। ପ୍ରଥମେ ଏହା ସତ୍ୟବାଦୀରୁ ପ୍ରକାଶ ପାଉଥିଲା । ପରେ ପରେ ୧୯୨୪ ରେ ପୁରୀରୁ ଓ ୧୯୨୭ରେ କଟକରୁ ପ୍ରକାଶ ପାଇଲା । ୧୯୩୦ ରେ ଏହା ସାପ୍ତାହିକ ଖବର କାଗଜରୁ ଦୈନୀକ ଖବରକାଗଜରେ ପରିଣତ ହେଲା । ପୋଲିସର ଅମାନୁଷିକ ଅତ୍ୟାଚାର,ଇଂରେଜ ସରକାରଙ୍କ ବର୍ବରତା ଖବର ପ୍ରକାଶ କରିବାରୁ ଇଂରେଜ ସରକାର ତାଙ୍କୁ କାରାବଦ୍ଧ ମଧ୍ୟ କରାଇଥିଲେ। ଜେଲରେ ଥିବା ସମୟରେ ବନ୍ଦୀର ଆତ୍ମକଥା ଓ କାରାକବିତା ରଚନା କରିଥିଲେ । ୧୯୨୪ ରେ ଜେଲକୁ ଫେରିବା ସମୟରେ କଟକରେ ଏକ ବିଶାଳ ସମ୍ବର୍ଦ୍ଧନା ସଭାରେ ବୈଜ୍ଞାନୀକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ ଉତ୍କଳମଣୀ ସମ୍ବୋଧନ କରିଥିଲେ। ଲୋକେ ଏହାକୁ ତାଳି ମାରି ସମ୍ମତି ବି ଦେଇଥିଲେ। ସେବେଠୁ ଦେଶ ସେବାରେ ଅବଦାନ ପାଇଁ ଲୋକସେବକ ମଣ୍ଡଳୀର ଆଜୀବନ ସଦସ୍ୟ ସାଜିବା ସହ ଉପାଧ୍ୟକ୍ଷ ହୋଇଥିଲେ। ୧୯୨୮ରେ ଲୋକସେବକ ମଣ୍ଡଳୀର ବୈଠକ ପାଇଁ ଲାହୋର ଯିବା ସମୟରେ ସେ ଆନ୍ତ୍ରୀକ ଜ୍ୱରରେ ପୀଡ଼ିତ ହୋଇଥିଲେ। ଧିରେଧିରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ୧୯୨୮ ଜୁନ୍ ୧୭ ଟା ୭.୨୫ ରେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁର ଦୁଇ ଘଣ୍ଟା ପୁର୍ବରୁ ସେ ତାଙ୍କ ଇଚ୍ଛାପତ୍ରରେ ସମାଜ ଓ ସତ୍ୟବାଦୀର ପରିଚାଳନା ଭାର ଲୋକସେବକ ମଣ୍ଡଳକୁ ଅର୍ପଣ କରିଥିଲେ।