ପୁରୀ: ଆଷାଢ଼ ମାସ ଶୁକ୍ଲ ଦିତ୍ୱୀୟା ତିଥିରେ ରଥଯାତ୍ରା ହୁଏ । ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ଦ୍ୱାଦଶ ଯାତ୍ରା ମଧ୍ୟରେ ଏହା ସର୍ବଶ୍ରେଷ୍ଠ ଯାତ୍ରା। ଏହାକୁ ଉଭାଯାତ୍ରା, ଗୁଣ୍ଡିଚା ଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା ବୋଲି ମଧ୍ୟ କୁହାଯାଏ। ତିନି ଠାକୁରଙ୍କ ପାଇଁ ତିନୋଟି ରଥ ତିଆରି ହୁଏ। ଶ୍ରୀଜଗନ୍ନାଥଙ୍କ ରଥର ନାମ ‘ନନ୍ଦିଘୋଷ’। ଏହାର ଶିଖର ଦେଶରେ ଚକ୍ର ଓ ଗରୁଡ଼ ଥିବାରୁ ନନ୍ଦିଘୋଷ ରଥକୁ ଚକ୍ରଧ୍ୱଜ ଓ ଗରୁଡଧ୍ୱଜ କୁହାଯାଏ। ଏହାର ଉଚ୍ଚତା ତେଇଶ ହାତ। ଏଥିରେ ଷୋଳଟି ଚକ ଥାଏ। ରଥର ଉପର ଭାଗରେ ହଳଦିଆ କନା ଘୋଡ଼ା ହୋଇଥାଏ। କାରଣ ଶ୍ରୀଜଗନ୍ନାଥଙ୍କ ନାମ ପୀତାମ୍ବର। ଶ୍ରୀ ବଳଭଦ୍ରଙ୍କ ରଥର ନାମ ‘ତାଳଧ୍ୱଜ’। ଏହାର ଉଚ୍ଚତା ବାଇଶ ହାତ। ଏଥିରେ ଚଉଦଟି ଚକ ଥାଏ। ରଥର ଉପର ଭାଗ ନୀଳ ବସ୍ତ୍ରରେ ଆବୃତ ଥାଏ। କାରଣ ବଳଦେବଙ୍କ ଅନ୍ୟ ନାମ ହେଉଛି ନୀଳାମ୍ବର। ମାଆ ସୁଭଦ୍ରାଙ୍କ ରଥର ନାମ ‘ଦର୍ପଦଳନ’। ଏହାର ଅନ୍ୟ ନାମ ହେଉଛି ଦେବଦଳନ, ପଦ୍ମଧ୍ୱଜ ଓ ଦେବୀରଥ। ଏହି ରଥର ଉଚ୍ଚତା ଏକୋଇଶ ହାତ। ଏଥିରେ ବାରଟି ଚକ ଥାଏ। ରଥର ଉପର ଭାଗ ଗାଢ଼ ରକ୍ତବର୍ଣ୍ଣ କନାରେ ଘୋଡ଼ା ହୋଇଥାଏ। କାରଣ ଦେବୀ ସୁଭଦ୍ରା ହେଲେ ରକ୍ତାମ୍ବରୀ। ସ୍ନାନ ପୂର୍ଣ୍ଣିମା ପରଠାରୁ ଠାକୁରମାନେ ପନ୍ଦର ଦିନ ଅଣବସର ଘରେ ରହିବା ପରେ ରଥପୂର୍ବଦିନ ସର୍ବସାଧାରଣଙ୍କୁ ଦର୍ଶନ ଦିଅନ୍ତି। ସେଦିନର ଉତ୍ସବକୁ ‘ନେତ୍ରୋତ୍ସବ’ ଓ ଦର୍ଶନକୁ ‘ନବଯୌବନ ଦର୍ଶନ’ କୁହାଯାଏ। ରଥଯାତ୍ରା ଦିନ ସକାଳ ନୀତି ଓ ଭୋଗ ପରେ ଠାକୁରମାନଙ୍କୁ ଟାହିଆ ପିନ୍ଧାଇ ପହଣ୍ଡିରେ ଆଣି ରଥ ଉପରକୁ ବିଜେ କରାଯାଏ। ପ୍ରଥମେ ଶ୍ରୀସୁଦର୍ଶନ ଓ ପରେ ପରେ ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀଜଗନ୍ନାଥ ରଥ ଉପରକୁ ଆସନ୍ତି।