କୋଲକାତା: ପଶ୍ଚିମବଙ୍ଗର ଜଣେ ଯୁବକ ବାଂଲାଦେଶୀ ଯୁବତୀଙ୍କୁ ପ୍ରେମବିବାହ କରି ଭାରତକୁ ଫେରୁଥିବାବେଳେ ନବଦମ୍ପତି ବିଏସଏଫ୍ ଯବାନଙ୍କ ଦ୍ୱାରା ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ, ଘଟଣାଟି ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଘଟିଛି । ଜୟକାନ୍ତ ଚନ୍ଦ୍ର ରାୟ ନାମକ ୨୪ ବର୍ଷୀୟ ଯୁବକ ହେଉଛନ୍ତି ନଦିଆ ଜିଲ୍ଲା ଅନ୍ତର୍ଗତ ବଲ୍ଲଭପୁର ଗ୍ରାମର ବାସିନ୍ଦା । ବାଂଲାଦେଶର ଜଣେ ୧୮ ବର୍ଷୀୟା ଯୁବତୀ ପରିଣିତିଙ୍କ ସହ ଫେସବୁକ୍ରେ ଚିହ୍ନାପରିଚୟ ହେବାପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଯୋଜନା ମୁତାବକ ଜୟକାନ୍ତ ଚଳିତର୍ଷ ମାର୍ଚ୍ଚ ୮ରେ ଗୋପନରେ ଆନ୍ତର୍ଜାତିକ ସୀମା ଅତିକ୍ରମ କରି ବାଂଲାଦେଶରେ ପହଞ୍ଚିବାପରେ ପରିଣୀତିଙ୍କୁ ବିବାହ କରିଥିଲେ । ବାଂଲାଦେଶରେ କିଛି ମାସ ରହିବାପରେ ପତିପତ୍ନୀ ଶନିବାର ପୁଣି ସୀମା ଅତିକ୍ରମ କରି ଭାରତକୁ ପ୍ରବେଶ କରୁଥିବାବେଳେ ବିଏସଏଫ୍ ଯବାନଙ୍କ ହାବୁଡରେ ପଡିଥିଲେ । ଜେରା ସମୟରେ ଜୟକାନ୍ତ ନିଜର ପରିଚୟ ଦେଇଥିବାବେଳେ ପରିଣୀତି କିନ୍ତୁ ଚୁପ୍ ରହିଥିଲେ । ବିଏସ୍ଏଫ୍ ପକ୍ଷରୁ ଉଭୟଙ୍କୁ ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।