ଗଞ୍ଜାମ : ସୁରଟରେ ଦୁଇ ଦିନ ମଧ୍ୟରେ ଦୁଇ ଓଡ଼ିଆ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗତ ୨ ତାରିଖ ଅପରାହ୍ନ ୪ଟାରେ ସୁରାଟର ସଚିନ ପାଲିଗାଓଁ ଅଞ୍ଚଳରେ ରହୁଥିବା ଓଡ଼ିଆ ଯୁବକ ବୁଲୁ ଗୌଡ଼ (୩୫)ଙ୍କୁ ଛାତରୁ ତଳକୁ ଠେଲି ହତ୍ୟା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ମୃତକଙ୍କ ସାଙ୍ଗ ଉତ୍ତମ ମହାନ୍ତିଙ୍କୁ ସେଠାକାର ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଦୁଇ ସାଙ୍ଗ ଛାତ ଉପରେ ବସି ମଦ୍ୟପାନ କରୁଥିବା ବେଳେ ହଠାତ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଉତ୍ତମ ସାଙ୍ଗ ବୁଲୁକୁ ଛାତ ଉପରୁ ତଳକୁ ଠେଲି ଦେଇଥିବା କୁହାଯାଇଛି । ଫଳରେ ଘଟଣା ସ୍ଥଳରେ ବୁଲୁର ମୃତ୍ୟୁ ହୋଇଥିଲା । ଏହାପରେ ଉତ୍ତମ ଦୌଡ଼ି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକ ତାକୁ କାବୁ କରି ପୋଲିସ ଜିମା ଦେଇଥିଲେ। ମୃତ ବୁଲୁଙ୍କ ଘର ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ପଞ୍ଚାୟତର ଗୋପପୁର ଗ୍ରାମ ।
ଘରେ ତାଙ୍କର ସ୍ତ୍ରୀ, ୬ ବର୍ଷର ଗୋଟିଏ ଝିଅ ଓ ୪ ବର୍ଷର ଗୋଟିଏ ପୁଅ ରହୁଛନ୍ତି । ବୁଲୁ ସୁରଟରେ ଗୋଟିଏ ସୂତାକଳରେ ଶ୍ରମିକ ଭାବେ କାମ କରୁଥିଲେ । ଅଭିଯୁକ୍ତ ଉତ୍ତମ ମହାନ୍ତିର ଘର ପୋଲସରା ନିକଟସ୍ଥ ଷୋଡକ ଗ୍ରାମ । ଏହି ଘଟଣାର ପରଦିନ ଗତ ୩ ତାରିଖ ବୁଧବାର ଅପରାହ୍ନରେ ସୁରାଟର ଅଶୋକ ନଗର ଅଞ୍ଚଳରେ ଏକ ସୂତାକଳରେ କାମ କରୁଥିବା ଟୁବୁଲା ସ୍ୱାଇଁଙ୍କୁ ହତ୍ୟା କରାଯାଇଥିଲା । ସେଠାରେ କୌଣସି କାରଣରୁ କିଛି ଯୁବକଙ୍କ ସହ ତାଙ୍କର ଝଗଡା ହୋଇଥିଲା । ଏହାପରେ ସେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ଖୋଜାଖୋଜି କରି ଟୁବୁଲାକୁ ଅତି ମୁମୂଷ୍ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୋଦଳା ଥାନା ଚନ୍ଦନପୁର ଗ୍ରାମର ଜଣେ ଯୁବକ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିବା ପରେ ପୋଲିସ ସମ୍ପୃକ୍ତ ଯୁବକକୁ ଥାନାରେ ଅଟକ ରଖିଛି । ମୃତ ଟୁବୁଲାଙ୍କ ଘର ଖଲ୍ଲିକୋଟ ବ୍ଲକ ନାଇକାନିପଲ୍ଲୀ ଗ୍ରାମ । ଗାଁ ରେ ତାଙ୍କର ସ୍ତ୍ରୀ ସୁନୀତା ସ୍ୱାଇଁ ୨ ପୁଅଙ୍କ ସହ ରହୁଛନ୍ତି ।