40.1 C
Bhubaneswar
Friday, May 3, 2024
Homeଓଡିଶାକରୋନା କଟକଣା ଭିତରେ ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହେଲା ମେରୁ ଉସ୍ଛବ

କରୋନା କଟକଣା ଭିତରେ ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହେଲା ମେରୁ ଉସ୍ଛବ

 

ଗଞ୍ଜାମ : ଜିଲ୍ଲାର କବିସୂର୍ଯ୍ୟନଗର ଏନ୍ ଏ ସି ସମେତ ବିଭିନ୍ନ ସ୍ଥାନରେ ପ୍ରସିଦ୍ଧ ମେରୁ ଯାତ୍ରା କୋଭିଡ୍ କଟକଣା ଭିତରେ ସମ୍ପନ୍ନ ହୋଇଛି। ମା’ଦଣ୍ଡକାଳୀଙ୍କ ତେରଦିନିଆ ଓ ୨୧ ଦିନିଆ ଦଣ୍ଡଯାତ୍ରା ଚଳିତବର୍ଷ କଟକଣା ପାଇଁ ସୀମିତ ରହିଥିବା ବେଳେ ମେରୁଯାତ୍ରାକୁ ମଧ୍ୟ ‌ବାହାର ଲୋକଙ୍କ ଆଗମନକୁ ସଂପୂର୍ଣ୍ଣ ଭାବେ ବାରଣ କରାଯାଇଥିଲା। ପଣା ସଂକ୍ରାନ୍ତି ଦଣ୍ଡଯାତ୍ରାର ଶେଷ ଯାତ୍ରା ଥିବା ବେଳେ ରୀତିନୀତି ଭିତରେ ମେରୁଯାତ୍ରା ସୀମିତ ରହିଥିଲା। କେବଳ କବିସୂର୍ଯ୍ୟନଗର ଏନ୍ ଏ ସି ସମେତ ଆଖପାଖର କିଛି ଶ୍ରଦ୍ଧାଳୁ ଜମା ହୋଇଥିଲେ। ଗଂଜାମରେ ମେରୁଯାତ୍ରା ପ୍ରସିଦ୍ଧ ଯାତ୍ରା ହୋଇଥିବାରୁ ପ୍ରତିବର୍ଷ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିଲା। କିନ୍ତୁ ଚଳିତ ବ‌ର୍ଷ କମ୍ ସଂଖ୍ୟକ ଶ୍ରଦ୍ଧାଳୁରେ ଫିକା ପଡ଼ିଥିଲା।
ପ୍ରତ୍ୟୁଷରୁ ମା’ ଦଣ୍ଡକାଳୀଙ୍କ ମନ୍ଦିର ଗୁଡିକରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଢୋଲ, ଘଣ୍ଟ ସମେତ ବିଭିନ୍ନ ବାଜାବାଜଣା ଓ ହୁଳହୁଳି ଏବଂ ‘କଳା ରୁଦ୍ରମଣିକି ଭଜହେ….’ ଡାକରେ ପ୍ରକମ୍ପିତ ହୋଇ ଉଠିଥିଲା ମନ୍ଦିର ପରିବେଶ । ମା’ଙ୍କ ମନ୍ଦିର ସମ୍ମୁଖରେ ଧୂଳିଦଣ୍ଡ ଓ ଅପରାହ୍ଣରେ ପାଣି ଦଣ୍ଡ ନୀତି ସଂପନ୍ନ ହୋଇଥିଲା। ସନ୍ଧ୍ୟାରେ କିଛି ମାନସିକଧାରୀ ଦର୍ଶନ କରିଥିଲେ। ରାତିରେ ଅଗ୍ନିଦଣ୍ଡ ହୋଇଥିଲା। ସୁରକ୍ଷା ଲାଗି ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଥିବା ବେଳେ ଯାତ୍ରା କମିଟି ଓ ଗ୍ରାମବାସୀ ପରିଚାଳନା କରିଥିଲେ।
ଅନ୍ୟପକ୍ଷରେ ଆଠଗଡ଼, କୋଦଳା ନିକଟସ୍ଥ ଶାଳବଣ, ବେଗୁନିଆପଡ଼ା ନିକଟସ୍ଥ ମିରିଗିଲେଣ୍ଡି, ଚିଙ୍ଗୁଡିଖୋଲ, ନୂଆଁ ଗାଁ ବୁରୁଝୁରୀ ଭଳି ଗ୍ରାମ ଗୁଡ଼ିକରେ ସକାଳୁ ହିଁ ରୀତିନୀତି ଅନୁଯାୟୀ ମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନର କଡ଼ା ଆଭିମୁଖ୍ୟ ପାଇଁ ସକାଳୁ ହିଁ ବହୁ ଗ୍ରାମରେ ମେରୁଯାତ୍ରା ସଂପନ୍ନ ହୋଇଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking