ପାଟନା: ବନ୍ଧୁ ଘରକୁ ଯିବା ହେଲା କାଳ । ଶେଷରେ ପିତା ସମାନ ବନ୍ଧୁର ପିତା ରଚିଲା ନାରକୀୟ କାଣ୍ଡ । ବନ୍ଧୁର ଘରେ ଶୋଇଥିବା ସମୟରେ ନାବାଳିକାକୁ ଏକ କୋଠରୀକୁ ନେଇ ନିଜ ବନ୍ଧୁଙ୍କ ସହିତ କଲା ଗଣଦୁଷ୍କର୍ମ । ଆଉ ଏଭଳି ନିନ୍ଦନୀୟ କାଣ୍ଡ ପରେ ନାବାଳିକାକୁ ହତ୍ୟା କରିବାକୁ ପଛାଇଲାନି ନରରୂପୀ ରାକ୍ଷସ । ଏଭଳି ହୃଦୟ ବିଦାରକ ଘଟଣା ବିହାରର ଭୋଜପୁର ଜିଲ୍ଲାରେ ଘଟିଛି । ପୋଲିସ ଆଗରେ ସମସ୍ତ ସତ କଥା କହିଛନ୍ତି ଅପରାଧୀର ଝିଅ ଓ ପତ୍ନୀ । ଏଭଳି ଗଣଦୁଷ୍କର୍ମ କରିବା ପରେ ହତ୍ୟାକାରୀ ନାବାଳିକାର ତଣ୍ଟି ଚିପି ହତ୍ୟା କରିଥିଲା । ଏହାପରେ ଏକ ପ୍ଲାଷ୍ଟିକ ବ୍ୟାଗରେ ନାବାଳିକାର ମୃତଦେହକୁ ଭର୍ତ୍ତି କରି ପଙ୍କୁଆ ଜମିରେ ଫିଙ୍ଗିଥିଲା ।
ପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଥିଲା । ଆଉ ହତ୍ୟାକାରୀକୁ ପଚରା ଉଚୁରା ସମୟରେ ସମସ୍ତ ସତକଥା କହିଥିଲେ ହତ୍ୟାକାରୀର ଝିଅ ଓ ମାଆ । ମାର୍ଚ୍ଚ ୨୪ରେ ଚରପୋଖରୀ ଥାନା ଅଧୀନ ବନାସ ନଦୀକୂଳ ଏକ ପଙ୍କୁଆ ଜମି ନିକଟରୁ ନାବାଳିକର ମୃତଦେହ ମିଳିଥିଲା । ପୋଲିସ ମୃତଦେହ ଉଦ୍ଧାର କରିବା ସମୟରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରୁଥିଲା । ମୃତ ନାବାଳିକାର ସମ୍ପର୍କୀୟ କହିଛନ୍ତି ଯେ ଗତ ୧୨ ଦିନ ତଳେ ନାବାଳିକା ଜଣକ ନିଖୋଜ ରହିଥିଲେ ।
ଏହାପରେ ସେମାନେ ଥାନାରେ ନିଖୋଜର ମାମଲା ରୁଜୁ କରିଥିଲେ । ଏହାପରେ ଯେତେବେଳେ ନାବାଳିକାର ବନ୍ଧୁର ପିତାଙ୍କୁ ସନ୍ଦେହଜନକ ଭାବରେ ପଚରା ଉଚୁରା କରିଥିଲା ସେତେବେଳେ ନାବାଳିକାକୁ ବିଷ ଦେଇ ହତ୍ୟା କରିଥିବା କହିଥିଲା ହତ୍ୟାକାରୀ । ହେଲେ ଏହି ସମୟରେ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା କହିଥିଲେ ନାବାଳିକାର ବନ୍ଧୁ ତଥା ହତ୍ୟାକାରୀର ଝିଅ ଓ ମାଆ । ନାବାଳିକାର ବନ୍ଧୁର ମାଆ କହିଥିଲେ ଯେ ତାଙ୍କ ଝିଅ ସହିତ ମୃତ ନାବାଳିକା ଶୋଇଥିଲା । ଏହାପରେ ହତ୍ୟାକାରୀ ନାବାଳିକାକୁ ଆଉ ଏକ କୋଠରୀକୁ ନେଇ ଏଭଳି ନାରକୀୟ କାଣ୍ଡ ଘଟାଇଥିଲା । ଏହି ଘଟଣାରେ ସାମିଲ ଥିବା ଅନ୍ୟ ୫ ଅପରାଧୀ ଫେରାର ରହିଛନ୍ତି । ହତ୍ୟାକାରୀର ନାମ ନନ୍ଦଜୀ ମସୁହର ବୋଲି ଜଣାପଡ଼ିଛି ।