29.4 C
Bhubaneswar
Saturday, May 4, 2024
Homeଦେଶ ବିଦେଶଜି-୨୦ ଶିଖର ସମ୍ମିଳନୀ; ସରକାରୀ ଗାଡି ବ୍ୟବହାର ନକରିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ

ଜି-୨୦ ଶିଖର ସମ୍ମିଳନୀ; ସରକାରୀ ଗାଡି ବ୍ୟବହାର ନକରିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଚଳିତମାସ ୯ରୁ ଦିଲ୍ଲୀରେ ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ବୁଧବାରଠାରୁ ରାଷ୍ଟ୍ରନେତାଙ୍କ ଆଗମନ ଆରମ୍ଭ ହୋଇସାରିଥିବାବେଳେ ୮ ସୁଦ୍ଧା ସମସ୍ତ ରାଷ୍ଟ୍ରମୁଖ୍ୟ ପହଞ୍ଚିବେ ବୋଲି ଜଣାପଡିଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀ ଚାଲିଥିବାବେଳେ କ’ଣ କରିବାକୁ ପଡିବ ଏବଂ କ’ଣ ନ କରିବାକୁ ପଡିବ, ସେଥିନେଇ ମନ୍ତ୍ରୀମାନଙ୍କୁ ମାର୍ଗଦର୍ଶିକା ଜାରି କରିଛନ୍ତି ।

ବୁଧବାର ଏଠାରେ ଅନୁଷ୍ଠିତ ମନ୍ତ୍ରିମଣ୍ଡଳ ବୈଠକରେ ଅଧ୍ୟକ୍ଷତା କରି ମୋଦୀ କହିଛନ୍ତି ଯେ ସମ୍ମିଳନୀ ସମୟରେ ନିର୍ଦ୍ଧାରିତ ସ୍ଥାନକୁ ଯିବା ନିମନ୍ତେ ମନ୍ତ୍ରୀମାନେ ସରକାରୀ ଗାଡି ବ୍ୟବହାର ନ କରି ଧାର୍ଯ୍ୟ ଗାଡିରେ ଯାତ୍ରା କରିବେ । ଏଥିସହିତ ସବୁ ମନ୍ତ୍ରୀ ଜି-୨୦ ଇଣ୍ଡିଆ ମୋବାଇଲ ଆପ୍ ଡାଉନଲୋଡ କରି ଏହାର ସଦୁପଯୋଗ କରିବେ । ବିଦେଶାଗତ ଅତିଥିଙ୍କ ସହ ଆଲୋଚନା କରିବା ସମୟରେ ମନ୍ତ୍ରୀମାନେ ଉକ୍ତ ଆପ୍‌ରେ ଯୋଗାଇ ଦିଆଯାଇଥିବା ଫିଚର ବ୍ୟବହାର କରିବେ ବୋଲି ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ଜି-୨୦ ଆଲୋଚନାର ବିଷୟବସ୍ତୁକୁ ଅଂଶଗ୍ରହଣ କରୁଥିବା ଦେଶଗୁଡିକର ଭାଷାରେ ଭାଷାନ୍ତର କରିବା ସୁବିଧା ଏହି ଆପ୍‌ରେ ବ୍ୟବସ୍ଥା କରାଯାଇଛି ।

ଜି-୨୦ ସଦସ୍ୟ ରାଷ୍ଟ୍ର ସମେତ ବିଭିନ୍ନ ଆନ୍ତର୍ଜାତିକ ସଂଗଠନର ପ୍ରାୟ ୪୦ ଜଣ ରାଷ୍ଟ୍ରମୁଖ୍ୟ ଓ ମାନ୍ୟଗଣ୍ୟ ଅତିଥି ଭାରତ ଆସୁଛନ୍ତି । ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଅନ୍ତର୍ଭୁକ୍ତ ଅଛନ୍ତି । ବିଦେଶାଗତ ଅତିଥିଙ୍କ ସହ ବାର୍ତ୍ତାଳାପ ସମୟରେ କିଭଳି ପ୍ରୋଟୋକଲ ମାନିବାକୁ ପଡିବ, ସେ ସମ୍ପର୍କରେ ବିଦେଶ ସଚିବ ବିନୟ ମୋହନ କ୍ୱାତ୍ରା ମନ୍ତ୍ରୀମାନଙ୍କୁ ଅବଗତ କରାଇଛନ୍ତି । ଅପରପକ୍ଷରେ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ମୋଦୀ ବିମାନବନ୍ଦରରେ ସ୍ୱାଗତ କରିବେ ବୋଲି ମଧ୍ୟ ଜଣାପଡିଛି । ଶନିବାର ଜି-୨୦ ସମ୍ମିଳନୀର ପ୍ରଥମ ଦିନରେ ମୋଦୀଙ୍କ ତରଫରୁ ରାଷ୍ଟ୍ରମୁଖ୍ୟଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ଭାରତକୁ ଅଧ୍ୟକ୍ଷ ପଦ ମିଳିଥିବାବେଳେ ମୋଦୀ ସମ୍ମିଳନୀରେ ଅଧ୍ୟକ୍ଷତା କରିବାକୁ ଯାଉଛନ୍ତି ।

ପ୍ରତ୍ୟେକ ରାଷ୍ଟ୍ରମୁଖ୍ୟଙ୍କ ସହ ୧୫୦ରୁ ୨୦୦ ପର୍ଯ୍ୟନ୍ତ ପ୍ରତିନିଧିମଣ୍ଡଳ, ସୁରକ୍ଷାକର୍ମୀ, ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ଭାରତ ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତ ମଣ୍ଡପମ୍‌ରେ ପ୍ରତ୍ୟେକ ଦିନ ୧୦ ହଜାର ଲୋକଙ୍କର ସମାଗମ ହେବ ବୋଲି ସମ୍ମିଳନୀର କୋ-ଅର୍ଡିନେଟର ମୁକ୍ତେଶ ପରଦେଶୀ ସୂଚନା ଦେଇଛନ୍ତି । ବିଦେଶାଗତ ଅତିଥିଙ୍କ ପାଇଁ ନୂଆଦିଲ୍ଲୀ ଓ ଏନ୍‌ସିଆରରେ ଏକାଧିକ ପଞ୍ଚତାରକା ହୋଟେଲରେ ସହସ୍ରାଧିକ ରୁମ୍ ବୁକ୍ ହୋଇସାରିଛି । ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧିମଣ୍ଡଳ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସଂପୃକ୍ତ ରାଷ୍ଟ୍ରର ଦୂତାବାସ ସହ ନିୟମିତ ଯୋଗାଯୋଗ ରକ୍ଷା କରାଯାଉଛି ବୋଲି ପରଦେଶୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking