ନୂଆ ଖୋଲିଥିବା ବଡ଼ କେକ ସପ ଭିତରକୁ ପଶି,ଗୋଟେ ଚେଆରରେ ବସି ପଡ଼ି ଅଜିତ ବାବୁ ଟିକେ ଥକା ମାରି ,ସାମ୍ନା କାଚ ଥାକ ଭିତରେ ଥୁଆ ହୋଇଥିବା ରଙ୍ଗ ବେରଙ୍ଗ କେକ ଗୁଡିକ ଉପରେ ଦୃଷ୍ଟି ପହଁରାଇ ଆଣିଲେ।
କାଉଣ୍ଟରରେ ବସିଥିବା ଦୋକାନ ମାଲିକ ଅଜିତ ବାବୁଙ୍କୁ ଦେଖି ପାଖକୁ ଆସି ପଚାରିଲେ,
-ସାର,କିଛି ଅର୍ଡର ଥିଲା ?”
ନିଜ ହାତରେ ଧରିଥିବା ୱାକିଙ୍ଗ ଷ୍ଟିକଟିକୁ ଟେବୁଲ କୁ ଆଉଜାଇ ଦେଇ,ଅଜିତ ବାବୁ କହିଲେ,
– ଜଣେ ସାଙ୍ଗ ପାଇଁ କେକ ଅର୍ଡର କରିବାର ଅଛି।ଶୀଘ୍ର ବନେଇ ପାରିବ ?ମୋର ଫ୍ରେଶ କେକ ଦରକାର।ବିନା ଅଣ୍ଡା ବାଲା ବଟର ସ୍କଚ କେକ।ଯଦି ଆପଣଙ୍କ ଦୋକାନର କିଛି ସ୍ପେଶାଲ ଜିନିଷ ଥିବ ଆଡ଼ କରିପାରିବେ।”
-କେତେ ଓଜନର ?କିଛି ଅକେଜନ ?ମାନେ ବାର୍ଥଡେ ଅଥବା ଆନିଭର୍ସରୀ ଅଥବା ଆଉକିଛି ?ଉପରେ ନାଁ କଣ ଲେଖାହେବ ?”
ଟିକେ ହସିଦେଇ ଅଜିତ ବାବୁ କହିଲେ,
-‘ହାପି ବାର୍ଥଡେ ହରିଶଙ୍କର ‘ବୋଲି ଲେଖିବେ।ସରି,ଇଂରାଜୀରେ ନୁହେଁ ଓଡ଼ିଆରେ ଜନ୍ମଦିନ ବୋଲି ଲେଖିବେ।ଏବେ ପ୍ରାୟ ସମୟ ବିଦେଶରେ ନିଜ ପିଲାଙ୍କ ପାଖରେ ରହୁଥିବା ମୋର ଏଇ ବନ୍ଧୁ ଭାରି ସ୍ୱାଭିମାନୀ, ଓଡ଼ିଆ ଭାଷା ପ୍ରେମୀ।ଅଧକିଲୋ କେକ ଚଳିବ।ସାଙ୍ଗରେ କ୍ୟାଣ୍ଡେଲ,ପ୍ଲାଷ୍ଟିକ ଛୁରୀ ଓ କିଛି ପେପର ପ୍ଲେଟ ଦେବାକୁ ଭୁଲିବେନି।ତେବେ ମୋତେ ଗ୍ଲାସେ ପିଇବା ପାଣି ଦିଅନ୍ତୁ।ବାହାରେ ଯେଉଁ ଖରା ହେଉଛି….
ମୁଣ୍ଡର ଝାଳ ପୋଛୁଥିଲେ ଅଜିତ ବାବୁ।ଦୋକାନୀ ଜଣଙ୍କ କେକ ପାଇଁ ବରାଦ ଦେଇ,ଜଣେ ବୟକୁ ପାଣି ଆଣିବାପାଇଁ ନିର୍ଦ୍ଦେଶ ଦେଇ ଅଜିତ ବାବୁଙ୍କୁ ବିନାୟତା ପୂର୍ଣ୍ଣଭାବେ କହିଲେ,
-ଆପଣ କଷ୍ଟ କରି,ଖରାରେ ଦୋକାନକୁ ନଆସି ,ଫୋନରେ ବା ଅନ ଲାଇନରେ ,ଘରୁ ଥାଇ ବି କେକ ଅର୍ଡର କରିପାରିବେ।ପାଞ୍ଚ କିଲୋମିଟର ଭିତରେ ଆମ ଦୋକାନର ଫ୍ରି ଡେଲିଭରି ଅଛି।”
ପାଣି ଆସିଯାଇଥିଲା।ପାଣି ଦୁଇ ଢ଼ୋକ ପିଇ ଅଜିତ ବାବୁ ମୁରୁକି ହସି କହିଲେ,
-ହରି ମୋର ସବୁଠୁ ଘନିଷ୍ଠ ବନ୍ଧୁ। ସ୍କୁଲ ବେଳୁ ଆମ ଦୁହିଁଙ୍କ ବନ୍ଧୁତା।ସବୁବେଳେ ତା ପାଇଁ, କେକ ମୁଁ ନିଜେ ଦେଖି ବରାଦ ଦେଇ ,ନିଜ ହାତରେ ଧରି ଯାଏ।ବୟସ ହେଲା ବୋଲି କଣ ସାଙ୍ଗ ପାଇଁ ଏତକ କରି ପାରିବିନି ?ୱାକିଙ୍ଗ ଷ୍ଟିକ ଧରିଛି ବୋଲି ମୋତେ କଣ ବୁଢ଼ାଲୋକ ବୋଲି ଭାବିଲକି ?”
ଦୋକାନୀ ଟିକେ ଲଜ୍ଜିତ ହୋଇ ସଂଭ୍ରମତା ସହ କହିଲେ,
-ନା,ନା ସାର, ଆପଣ ବୋଧେ ଭୁଲ ବୁଝିଲେ।ଏକଦମ ଫିଟ ଅଛନ୍ତି ଆପଣ।ମୁଁ କହୁଥିଲି, ଆପଣ ଏଠିକୁ ନିଜେ ଆସି ବି,ଭଲ କ୍ୱାଲିଟି ଜିନିଷ ଘରେ ବସି ପାଇ ପାରିବେ।ଆପଣ କଣ ଏଇ ପାଖରେ ରହୁଛନ୍ତି ?ଆପଣଙ୍କ ନାଁ ଜାଣି ପାରେକି ?”
ଦୋକାନୀ ଙ୍କ କାନ୍ଧ ଥାପୁଡ଼େଇ ଦେଇ ଅଜିତ ବାବୁ କହିଲେ,
-ମୋ ନାଁ ଅଜିତ ମହାନ୍ତି।ତୁମ ଦୋକାନ ନାଁ ଶୁଣି ପ୍ରଥମ ଥର ପାଇଁ ଆସିଛି।ତମେ ମୋ ପୁଅ ବୟସର ହେବ।ଆମ ଭଳି ଲୋକଙ୍କ ପାଚିଲା କେଶ ଓ ବୟସ ଭାରରେ ନଇଁ ଯାଇଥିବା ଅଣ୍ଟା,କାନ୍ଧ କୁ ଦେଖି ଅନେକ ଦୟାପୂର୍ଣ୍ଣ ନଜରରେ ଆମକୁ ଦେଖନ୍ତି;ଯାହା ମୁଁ ପସନ୍ଦ କରେନା।ମୋ ପାଇଁ ବୟସ ଗୋଟେ ନମ୍ବର ମାତ୍ର।”
-ଠିକ କହିଛନ୍ତି ଆପଣ।କୋଡିଏ, ପଚିଶ ମିନିଟ ଅପେକ୍ଷା କରନ୍ତୁ,ଆପଣଙ୍କ ଅର୍ଡର ପ୍ରସ୍ତୁତ ହୋଇଯିବ।ଆମ ଦୋକାନ ଲୋ ଫ୍ୟାଟ କ୍ରିମ ଓ କମ ମିଠା ବ୍ୟବହାର ହୋଇଥିବା ସ୍ପେଶାଲ କେକ ଆପଣଙ୍କ ପାଇଁ।କଫି ବା ମିଲକସେକ କିଛି ପିଇବେ?”
ହାତ ଘଣ୍ଟା କୁ ଚାହିଁ ଅଜିତବାବୁ କହିଲେ,
-ନା,ଧନ୍ୟବାଦ।ମୁଁ ଟିକେ ୱାସରୁମ ବ୍ୟବହାର କରି ପାରିବି ?”
ତାଙ୍କୁ ୱାସ ରୁମ ଦେଖାଇଦେଇ ଦୋକାନୀ କାଉଣ୍ଟରକୁ ଚାଲିଗଲେ।ଏଇ ସମୟରେ ଅନ୍ୟ ଜଣେ ବୟସ୍କ ଲୋକ ଦୋକାନକୁ ଆସି ଦୋକାନୀଙ୍କୁ ପଚାରିଲେ,
-ଗୋଟେ ବାର୍ଥଡେ କେକ,ଅଣ୍ଡା ଵାଲା ,ବ୍ଲାକ ଫରେଷ୍ଟ କେକ ଉଇଥ ଫ୍ରେଶ କ୍ରିମ।ଅଧ କିଲୋ ଓଜନର। ?”
ଦୋକାନୀ ସେ ଭଦ୍ରବ୍ୟକ୍ତିଙ୍କ ମୁହଁକୁ ଚାହିଁ ପଚାରିଲା,
-କେକ ଉପରେ କାହା ନାଁ ଲେଖାହେବ ?ଆଇ ମିନ ବାର୍ଥଡେ ଯାହାଙ୍କର….
-ଅଜିତ ମହାନ୍ତି।ସରି,କେକ ଉପରେ ଓଡ଼ିଆରେ ଲେଖିବେ,”ଜନ୍ମଦିନର ସୁମନାସ, ପ୍ରାଣପ୍ରିୟ ବନ୍ଧୁ ଅଜିତ ପ୍ରସାଦ।”
ଚମକିପଡି ଦୋକାନୀ ପ୍ରଶ୍ନ କଲା,
-ଓଡ଼ିଆରେ ?କିନ୍ତୁ କେକ ଉପରେ ସମସ୍ତେ….
ଚଟକିନା ଉତ୍ତର ଆସିଲା,
-କଣ ?ଇଂରାଜୀରେ ହାପି ବାର୍ଥଡେ ଲେଖନ୍ତି,ଏଇଆ ତ ?ହେଲେ ବାପା, ମୋତେ ଗୋଟେ କଥା କୁହ,କେକ ଉପରେ ଓଡ଼ିଆରେ ଜନ୍ମଦିନର ବାର୍ତ୍ତା ଲେଖିଲେ କଣ କେକ ମାରା ହୋଇଯିବ ?ଅନ୍ୟକୁ ଅନୁସରଣ ନକରି,ଆମେ ନୂଆ କିଛି ଚିନ୍ତା କରିବା ଉଚିତ ନୁହେଁ କି ?ଆମେ ଟ୍ରେଣ୍ଡସେଟର ହେବା।ଆପଣଙ୍କ ଦୋକାନରେ କାମ କରୁଥିବା ପିଲାଙ୍କୁ ଓଡ଼ିଆ ଆସେ ତ ?ଆଜିକାଲି ଅଧେ ଓଡ଼ିଆଙ୍କୁ ତ ଓଡ଼ିଆ ପଢି ଲେଖି ଆସୁନି।ଦେଖି ଶୁଣି କହୁଛନ୍ତି ଯାହା।ଓଡ଼ିଆ ଶିକ୍ଷକ ଥିଲି ମୁଁ,ରିଟାୟାର୍ଡ କଲିଣି କେବେଠୁ,ହେଲେ ଓଡ଼ିଆ ଭାଷା ପାଇଁ ଶ୍ରଦ୍ଧା,ସମ୍ମାନ ହୃଦୟରେ ସବୁବେଳେ ଅଛି।ଛାଡ଼ନ୍ତୁ ସେକଥା,ମୋ ସାଙ୍ଗ ନାଁ ଓଡ଼ିଆରେ ହିଁ ଲେଖିବେ।”
ହସିଦେଇ ଦୋକାନୀ କହିଲେ,
-ଚମତ୍କାର କଥାଟିଏ କହିଲେ ।ଆଗକୁ ମୁଁ ବି ଚେଷ୍ଟା କରିବି କେକ ଉପରେ ଓଡ଼ିଆରେ ନାଁ ସହ ଜନ୍ମଦିନର ସୁମନାସ ବୋଲି ଲେଖିବାକୁ।ଆପଣଙ୍କ ନାଁ ଟା ଜାଣିପାରେ କି ?”
ପକେଟ ରୁ ଟଙ୍କା ବାହାର କରୁକରୁ ସେ ଉତ୍ତରଦେଲେ,
-ମୋ ନାଁ ହରି ଦାସ।ମୋ ସାଙ୍ଗ ପାଇଁ ସୁଆଦିଆ କେକଟେ ଦେବେ।ବ୍ଲାକ ଫରେଷ୍ଟ ତା ପ୍ରିୟ କେକ।”
ନାଁ ଟା ଶୁଣି ଦୋକାନୀ ଟିକେ ସମୟ ତାଙ୍କ ମୁହଁକୁ ଅନାଇଲା ଓ କହିଲେ,
-ଏଇ କିଛି ସମୟ ଆଗରୁ ଅଜିତ ବାବୁ ବୋଲି ଜଣେ ଗରାଖ, ବାର୍ଥଡେ କେକ ଅର୍ଡର ଦେଇ ତା ଉପରେ ଓଡ଼ିଆରେ ହରିଶଙ୍କର ନାଁ ଲେଖିବାକୁ କହିଥିଲେ।ଆଉ ଏଇନା…..
ଏଇ ସମୟରେ ପଛପଟୁ ଖୁବ ଜୋରରେ ହସ ସହ ସ୍ୱର ଶୁଭିଲା,
-ହରି ?ତୁ ଏଇଠି ?ତୁ ବି କଣ ….ଏତେଦିନ ପରେ ଆମ ଦୁହିଁଙ୍କ ଦେଖା ଏଇ କେକ ଦୋକାନରେ ହେବାର ବୋଧେ ଭଗବାନଙ୍କ ବରାଦ।ମୁଁ ଏଗଲେସ ବଟରସ୍କଚ କେକ ବରାଦ ଦେଇଛି।”
ହରିହର ବାବୁ ବୁଲିପଡ଼ି ଦେଖିଲେ ପଛପଟେ ଅଜିତ ବାବୁ ଠିଆହୋଇ ହସୁଛନ୍ତି।ଦୁଇ ବନ୍ଧୁ ପରସ୍ପରକୁ କୁଣ୍ଢେଇ ପକେଇଲେ ଓ ପାଖରେ ପଡିଥିବା ଗୋଟେ ଟେବୁଲ ପାଖ ଚେଆରରେ ବସିଗଲେ।ପରସ୍ପର ମୁହଁକୁ ଅନାଇ ଦୁହେଁ ପୁଣି ହସିଲେ।
ହରିହର ବାବୁ କହିଲେ,
-ଆଉ ମୁଁ ଅର୍ଡର କରିଛି ବ୍ଲାକ ଫରେଷ୍ଟ କେକ।ଠିକ ଅଛି ନା ?”
ଦୋକାନୀ ପାଖକୁ ଆସି କହିଲା,
-କେକ ଡେଲିଭରି ପାଇଁ ଆଉ କିଛି ସମୟ ଲାଗିବ।ଏଇ ପଟେ ଥିବା ଫ୍ୟାମିଲି କ୍ୟାବିନରେ ଦୁହେଁ ଆରାମରେ ବସନ୍ତୁ।ମୋ ଦୋକାନର ଅହୋ ଭାଗ୍ୟ ,ଦୁଇ ବନ୍ଧୁଙ୍କ ଦେଖା ଏଇଠି ହେଲା।ଆଜି ପୁଣି ବନ୍ଧୁତା ଦିବସ।ତେବେ ଗୋଟେ କଥା ଜାଣି ଆଶ୍ଚର୍ଯ୍ୟ ଲାଗୁଛି,ଯେ ଆପଣ ଦୁହିଁଙ୍କ ଜନ୍ମଦିନ ଆଜି ଏକା ଦିନରେ,ଅମୃତ ସଂଯୋଗ ସତରେ।”
ଅଜିତବାବୁ ଓ ହରି ବାବୁ ଦୁହେଁ ଦୁହିଁଙ୍କୁ ଚାହିଁଥିଲେ।ଦୀର୍ଘନିଶ୍ବାସ ଛାଡି ଅଜିତ ବାବୁ କହିଲେ,
-ସତ କହିବାକୁ ଗଲେ ଆଜି ଆମ ଦୁହିଁଙ୍କର କାହାର ବି ଜନ୍ମଦିନ ନୁହେଁ।ଅସଲରେ ହରି ନିଜ ପିଲାଙ୍କ ପାଖରେ ବିଦେଶରେ ରହୁଥିବାରୁ ଆମେ ଦୁହେଁ ଏକାଠି ନିଜ ଜନ୍ମଦିନ ମନେଇ ପାରୁନା।ତେଣୁ ଯେବେ ହରି ଓଡିଶା ଆସେ,ପ୍ରାୟ ତା ପରଦିନ ହିଁ ଆମେ ଦୁହେଁ ଏକାଠି ହେଉ,କେକ କାଟୁ ଓ ପୁରୁଣା ସ୍ମୃତି ସବୁ ମନେପକାଉ।ବନ୍ଧୁ ପାଖରେ ଥିଲେ ସ୍ମୃତି ସବୁ ଆପଣାଛାଏଁ ଆଖି ଆଗକୁ ଚାଲିଆସେ।”
ହରି ବାବୁ କହିଲେ,
-ବୟସ ହୋଇଗଲା ପରେ ନିଜ ଅଜଣାତରେ ଏକ ଭୟ ଓ ଆଶଙ୍କା ସବୁବେଳେ ନିଜ ମନକୁ ଆବୋରି ବସେ।ରାତିରେ ଶୋଇଲା ବେଳେ ଆମ ଭଳି ବୟସ୍କ ମଣିଷ ଭାବେ ,ଆସନ୍ତାକାଲିକୁ ମୁଁ ବଞ୍ଚିଥିବି ତ ?ସେଥିପାଇଁ ଯେତେବେଳେ ମଣିଷ ବଞ୍ଚିଛି,ସେଇ ସମୟ ହସ,ଖୁସିରେ କାଟିବା ଉଚିତ।ଆସନ୍ତାକାଲିକୁ କି ଭରସା ?କଲ ହୋ ନା ହୋ ?ସେଥିପାଇଁ ବନ୍ଧୁ,ପରିବାର ସହ ପ୍ରତିଦିନ,ଆଜି ହିଁ ପାର୍ଟି କର।ଆଛା,ତୁମେ ତ ଆଜିକାଲିକା ପିଲା। ଆଜି ବନ୍ଧୁତା ଦିବସରେ ନିଶ୍ଚେ ସାଙ୍ଗଙ୍କ ସହ ପାର୍ଟି କରିବା ପ୍ଲାନ ରଖିଥିବ।”
ଦୋକାନୀ ମୁହଁଟା ଶୁଖିଗଲା।ବିକଳ ବିକଳ ଦିଶୁଥିଲା ତାଙ୍କ ମୁହଁ।ଓଦା ଓଦା କଣ୍ଠରେ ସେ କହିଲେ,
-ଏଇ ଦୁଇବର୍ଷ ଭିତରେ କରୋନାରେ ମୋର ତିନି ଅତି ଘନିଷ୍ଠ ବନ୍ଧୁଙ୍କୁ ହରାଇଛି।ସବୁଦିନ ଆମେ ଚାରିଜଣ ଏକାଠି ହୋଇ ଗପୁଥିଲୁ,ବୁଲୁଥିଲୁ।ଏବେ ମୁଁ ବୁଲିବା ପ୍ରାୟ ଛାଡି ଦେଇଛି।ନିବିଡ଼ ବନ୍ଧୁଙ୍କ ଶୁନ୍ୟସ୍ଥାନ କଣ କେହି ପୂରଣ କରିପାରେ ?ସେଥିପାଇଁ ମୁଁ ବନ୍ଧୁତା ଦିବସ/ ଫ୍ରେଣ୍ଡସିପ ଡେ ପାଳନ କରୁନି।”
ପାଖରେ ପଡିଥିବା ଚେଆରରେ ତାଙ୍କୁ ବସିବାକୁ ଅନୁରୋଧ କରି ଅଜିତ ବାବୁ ପଚାରିଲେ,
-ତୁମ ନାଁ କଣ କହିଲ ?”
ଆଖି ପୋଛି ସେ କହିଲେ,
-ପୁଲକ।”
-ଆରେ ବାଃ,ଚମତ୍କାର ନାଁ।ତୁମେ ସବୁବେଳେ ଖୁସି ରହିବା ଉଚିତ।ସାଙ୍ଗମାନେ ହେଉଛନ୍ତି ଭଗବାନଙ୍କ ଅଦ୍ଭୁତ ସୃଷ୍ଟି,ଆମ ସମସ୍ତଙ୍କ ପାଇଁ ଅମ୍ଳଜାନ’ର ବିକଳ୍ପ ଭଳି।ତେବେ ଉପରକୁ ଚାଲିଗଲା ଲୋକ ଆଉ ଫେରେନା,ବନ୍ଧୁ ବି।ବଞ୍ଚିଥିବା ଲୋକଟିକୁ ଜୀବନ ବିତାଇବାକୁ ପଡେ ବାଧ୍ୟ ହୋଇ,ଆମ ଭଳି।ଆମକୁ ବନ୍ଧୁ ବୋଲି ଗ୍ରହଣ କରିପାର।ବନ୍ଧୁତା ପାଇଁ ବୟସ ସୀମା କିଛି ନଥାଏ।”
କେକ ଦୁଇଟା ଆସିଯାଇଥିଲା।ପୁଲକ ହଠାତ ପଚାରିଲା,
-ମୋ ଧ୍ରୁଷ୍ଟତା ମାର୍ଜନା କରିବେ।ଆପଣ ଦୁଇ ବନ୍ଧୁ ଏତେ ଘନିଷ୍ଠ,ଅଥଚ ମୁଁ ବୁଝିପାରୁନି,
ଆପଣ ଦୁହେଁ ଏକାଠି ମିଶି ଗୋଟିଏ ଫ୍ଲେଭର କେକ ଅର୍ଡର କରିବା ବଦଳରେ,ଦୁଇଟା ଭିନ୍ନ ଫ୍ଲେଭର କେକ କାହିଁକି କାଟୁଛନ୍ତି ?ବନ୍ଧୁ ଭଲ ପାଉଥିବା ଫ୍ଲେଭରକୁ ଦିନକ ପାଇଁ ତ ଆପଣେଇ ପାରିବା ଆମେ।”
ଦୁଇ ବନ୍ଧୁ ପୁଣିଥରେ ପରସ୍ପରକୁ ଅନାଇଲେ।ଛେପ ଢ଼ୋକି ଧୀର ଅଥଚ ଗମ୍ଭୀର ସ୍ୱରରେ ହରିବାବୁ କହିଲେ,
-ଅସଲରେ ଭ୍ୟାନିଲା ଫ୍ଲେଭର ହିଁ ଆମ ଦୁହିଁଙ୍କର ପସନ୍ଦ।ଆମ ଦୁହିଁଙ୍କ ଅତି ଘନିଷ୍ଠ ବନ୍ଧୁ ଶଙ୍କର ଓ ପ୍ରସାଦ ଏବେ ଆମ ଗହଣରେ ନାହାନ୍ତି।ବଟର ସ୍କଚ ଓ ବ୍ଲାକ ଫରେଷ୍ଟ ଫ୍ଲେଭର ହିଁ ସେ ଦୁହିଁଙ୍କ ପସନ୍ଦ ଥିଲା।ବନ୍ଧୁଙ୍କ ସ୍ମୃତି ଉଜାଗର କରିବା ତଥା ସେମାନଙ୍କ ଅବର୍ତ୍ତମାନରେ ସେମାନଙ୍କ ଜନ୍ମଦିନ ଓ ଆମ ବନ୍ଧୁତାକୁ ମନେ ପକାଇ କେକ କାଟୁ।”
ଆବାକାବା ହୋଇ ଚାହିଁଥିବା ପୁଲକ କାନ୍ଧରେ ହାତ ରଖି ଅଜିତ କହିଲେ,
-ଭଗବାନ ବନ୍ଧୁମାନଙ୍କୁ ଆମ ପାଖରୁ ଛଡାଇ ନେଇ ପାରନ୍ତି,ହେଲେ ବନ୍ଧୁତାକୁ କେବେବି ଛଡେଇ ନେଇ ପାରନ୍ତିନି।ବନ୍ଧୁତା ଚିର ଅମର।”
(©️ଅରବିନ୍ଦଦାସ)