ପ୍ୟାରିସ୍: ଚଳିତ ଫ୍ରେଞ୍ଚ୍ ଓପନ୍ ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ପ୍ରବେଶ କରିଛନ୍ତି ଚେକ୍ ଗଣରାଜ୍ୟର ଅଣସିଡେଡ୍ ଖେଳାଳି କ୍ୟାରୋଲିନା ମୁଚୋଭା । ସେ ଗୁରୁବାର ଖେଳାଯାଇଥିବା ପ୍ରଥମ ସେମିରେ ଦ୍ୱିତୀୟ ସିଡ୍ ବେଲାରୁଷ୍ର ଆରିନା ସାବାଲେଙ୍କାଙ୍କୁ ୭-୬(୭/୫),୬-୭(୫/୭),୭-୫ରେ ପରାସ୍ତ କରି ପ୍ରତିଯୋଗିତାରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି । ଏଥିସହ ମୁଚୋଭା ପ୍ରଥମ ଥର ପାଇଁ ଏହି କ୍ଲେ କୋର୍ଟ ଟୁର୍ଣ୍ଣାମେଣ୍ଟ୍ର ଫାଇନାଲ୍ରେ ପହଞ୍ଚିଛନ୍ତି ।
ଯଦିବା ମୁଚୋଭା ମ୍ୟାଚ୍ର ପ୍ରଥମ ସେଟ୍ରେ ପାଇଥିବା ପଏଣ୍ଟ୍ର ଫାଇଦା ନେଇପାରି ନ ଥିଲେ, ତଥାପି ଉକ୍ତ ସେଟ୍କୁ ଟାଇ ବ୍ରେକର୍ରେ ପହଞ୍ଚିବା ସହ ଶେଷରେ ଅଗ୍ରଣୀ ହାସଲ କରିଥିଲେ । ଏଥିସହ ସାବାଲେଙ୍କା ଏହି ଟୁର୍ଣ୍ଣାମେଣ୍ଟ୍ର ଚଳିତ ସଂସ୍କରଣରେ ପ୍ରଥମ ଥର ପାଇଁ କୌଣସି ସେଟ୍ରେ ପରାସ୍ତ ହୋଇଥିଲେ ।
ଅବଶ୍ୟ ଦ୍ୱିତୀୟ ସେଟ୍ରେ ସେ ମ୍ୟାଚ୍କୁ ଫେରିଥିଲେ । କିନ୍ତୁ ତୃତୀୟ ସେଟ୍ରେ ମୁଚୋଭା ପୁଣିଥରେ ଟାଇବ୍ରେକର୍ରେ ବିଜୟୀ ହୋଇ ସାବାଲେଙ୍କାଙ୍କୁ ବିଦାୟ ପଥ ଦେଖାଇଥିଲେ । ଏଥିସହ ଚଳିତ ବର୍ଷର ଅଷ୍ଟ୍ରେଲିଆନ୍ ଓପନ୍ ଚାମ୍ପିଅନ୍ ମୁଚୋଭା ଦ୍ୱିତୀୟ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ରେ ପହଞ୍ଚିଛନ୍ତି ।
ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସରେ ସେମିଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି । ଶୁକ୍ରବାର ପ୍ରଥମ ସେମି ସର୍ବିୟାର ତୃତୀୟ ସିଡ୍ ନୋଭାକ୍ ଜୋକୋଭିଚ୍ ଓ ସ୍ପେନ୍ର ଏକ ନମ୍ବର ଖେଳାଳି କାର୍ଲୋସ୍ ଆଲକାରାଜ୍ଙ୍କ ମଧ୍ୟରେ ଖେଳାଯିବ । ସେହିପରି ଦ୍ୱିତୀୟ ସେମିରେ ଚତୁର୍ଥ ସିଡ୍ ନରୱେର କ୍ୟାସ୍ପର୍ ରୁଡ୍ ୨୨ତମ ସିଡେଡ୍ ଖେଳାଳି ଜର୍ମାନୀର ଆଲେକ୍ଜାଣ୍ଡର୍ ଜ୍ୱେରେଭ୍ଙ୍କୁ ଭେଟିବେ ।
ଗୁରୁବାର ଅନ୍ତିମ କ୍ୱାର୍ଟର୍ ଫାଇନାଲ୍ରେ ରୁଡ୍ ଡେନ୍ମାର୍କର ଷଷ୍ଠ ସିଡ୍ ଖେଳାଳି ହୋଲ୍ଗର୍ ରୁନ୍ଙ୍କୁ ୬-୧,୬-୨,୩-୬,୬-୩ରେ ହରାଇ ସେମିରେ ପହଞ୍ଚିଛନ୍ତି ।