ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ମହାମାରୀ ବ୍ୟାପକ ହେବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି । ଏହାରି ମଧ୍ୟରେ କରୋନା ଆକ୍ରାନ୍ତଙ୍କୁ ମାଗଣା ଚିକିତ୍ସା ପାଇଁ ମଧ୍ୟପ୍ରଦେଶ ସରକାର ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନା ଅଧୀନରେ ରାଜ୍ୟର ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକ ଘରୋଇ ଡାକ୍ତରଖାନାରେ ମାଗଣାରେ କରୋନା ଚିକିତ୍ସା ପାଇପାରିବେ। ଯେଉଁ ଘରୋଇ ହସ୍ପିଟାଲ ରାଜ୍ୟ ସରକାରଙ୍କ ସହ ଅନୁବନ୍ଧିତ ଥିବେ, ସେହି ହସ୍ପିଟାଲରେ ଏହି ମାଗଣା କୋଭିଡ ଚିକିତ୍ସା ମିଳିବ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘୋଷଣା କହିଛନ୍ତି।
ଆୟୁଷ୍ମାନ ଭାରତ ଯୋଜନାରେ ଯେଉଁ ଘରୋଇ ଡାକ୍ତରଖାନା ସାମିଲ ରହିଛନ୍ତି, ସେହି ହସ୍ପିଟାଲଗୁଡ଼ିକୁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରିବେ। ଆଉ ଏହି ହସ୍ପିଟାଲ ଗୁଡ଼ିକ କୋଭିଡ ଚିକିତ୍ସା ଯୋଗାଇବେ। କରୋନା ଆକ୍ରାନ୍ତଙ୍କୁ ସିଟି ସ୍କାନ, ଔଷଧ, ରେମଡେସିଭିର ଇଞ୍ଜେକ୍ସନ, ଅକ୍ସିଜେନ ଇତ୍ୟାଦି ମଧ୍ୟ ମାଗଣାରେ ଉପଲବ୍ଧ ହେବ।