ସିଡ୍ନୀ : ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ସୋମବାର ଚତୁର୍ଥ ଥର ପାଇଁ ଆଲାନ୍ ବର୍ଡର୍ ମେଡାଲ୍ ହାତେଇଛନ୍ତି । ଏଥିସହ ଏ କ୍ଷେତ୍ରରେ ସେ ରିକି ପଣ୍ଟିଂ ଓ ମାଇକେଲ୍ କ୍ଲାର୍କଙ୍କ ପରେ ତୃତୀୟ ଖେଳାଳି ହୋଇପାରିଛନ୍ତି । ଏହି ମେଡାଲ୍ ସକାଶେ ହୋଇଥିବା ଭୋଟିଂରେ ସ୍ମିଥ୍ଙ୍କୁ ୧୭୧ଟି ଭୋଟ୍ ମିଳିଥିବା ବେଳେ ଟ୍ରେଭିସ୍ ହେଡ୍ଙ୍କୁ ୧୪୪ଟି ଭୋଟ୍ ମିଳିଥିଲା । ପୂର୍ବରୁ ସ୍ମିଥ୍ ଗତ ୨୦୧୫, ୨୦୧୮ ଓ ୨୦୨୧ରେ ଏହି ମେଡାଲ୍ ହାସଲ କରିଥିଲେ ।
ଭୋଟିଂ ପିରିଅଡ୍ ମଧ୍ୟରେ ସ୍ମିଥ୍ ୪ଟି ଶତକ ସହ ୧ ହଜାର ୫୨୪ ରନ୍ କରି ଅଷ୍ଟ୍ରେଲିଆକୁ ଟେଷ୍ଟ୍ ର୍ୟାଙ୍କିଙ୍ଗ୍ରେ ଶୀର୍ଷ ସ୍ଥାନରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି । ସୀମିତ ଓଭର୍ କ୍ରିକେଟ୍ ତୁଳନାରେ ଟେଷ୍ଟ୍ କ୍ରିକେଟ୍ରେ ସ୍ମିଥ୍ ଆଶାତୀତ ସଫଳତା ପାଇଛନ୍ତି । ଏହି କାରଣରୁ ତାଙ୍କୁ ଟି-୨୦ ଫର୍ମାଟ୍ ସକାଶେ ହୋଇଥିବା ଭୋଟିଂରେ ଗୋଟିଏ ବି ଭୋଟ୍ ମିଳିନାହିଁ । ସେହିପରି ବର୍ଷର ଶ୍ରେଷ୍ଠ ଦିନିକିଆ ଖେଳାଳି ପୁରସ୍କାର ସ୍ମିଥ୍ଙ୍କୁ ପଛରେ ପକାଇ ଓପନର ଡେଭିଡ୍ ୱାର୍ଣ୍ଣର୍ ହାସଲ କରିଥିବା ବେଳେ ଜୋଶ୍ ହେଜଲଉଡ୍ଙ୍କୁ ମାତ୍ ଦେଇ ମାର୍କସ୍ ଷ୍ଟୋଇନିସ୍ ସର୍ବଶ୍ରେଷ୍ଠ ଟି-୨୦ ଖେଳାଳି ହୋଇଛନ୍ତି ।
ଏହାଛଡ଼ା ଓପନର ଉସମାନ୍ ଖୱାଜା ବର୍ଷର ଶ୍ରେଷ୍ଠ ପୁରୁଷ ଟେଷ୍ଟ୍ ଖେଳାଳି ଭାବେ ଶେନ୍ ୱାର୍ଣ୍ଣର୍ ଆୱାର୍ଡ ହାତେଇଛନ୍ତି । ଗତ ବର୍ଷକ ମଧ୍ୟରେ ଖୱାଜା ୭୮.୪୬ ହାରରେ ୧ ହଜାର ୨୦ ରନ୍ ସଂଗ୍ରହ କରିଛନ୍ତି । ଅନ୍ୟପକ୍ଷରେ ମହିଳା ବିଭାଗରେ ବେଥ୍ ମୁନୀ ଅଷ୍ଟ୍ରେଲିଆର ଶ୍ରେଷ୍ଠ କ୍ରିକେଟର୍ ଭାବେ ଦ୍ୱିତୀୟ ଥର ପାଇଁ ବେଲିଣ୍ଡା କ୍ଲାର୍କ ଆୱାର୍ଡ ହାସଲ କରିଛନ୍ତି । ସେ ତିନିଟିଯାକ ଫର୍ମାଟ୍ରେ ପ୍ରଭାବଶାଳୀ ପ୍ରଦର୍ଶନ କରି ଏହି ପୁରସ୍କାର ପାଇଛନ୍ତି ।