ମୁମ୍ବାଇ : ଜଣେ ପୂର୍ବତନ ମହିଳା ସେନାଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ବର୍ଷା ରାୟ ଶ୍ରୀନଗର ଠାରୁ ଦ୍ରାସ ପର୍ଯ୍ୟନ୍ତ ୬ହଜାର ଫୁଟରୁ ଅଧିକ ଉଚ୍ଚତାରେ ୧୬୦ କିମି ଦୌଡ଼ି କାର୍ଗିଲ୍ ବିଜୟର ୨୫ ବର୍ଷ ପୂର୍ତ୍ତି ପାଳନ କରିଛନ୍ତି। ଏହି ଦୌଡ଼ ଶେଷ ହେବା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ତାଙ୍କର ଏହି ଦୌଡ଼ ଦେଶ ପାଇଁ ବଳିଦାନ ଦେଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ଅଟେ।ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ବର୍ଷା ରାୟ କାଶ୍ମୀରରେ ସେନାଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ସେ ନିଜର ଦୌଡ଼ ଜୁଲାଇ ୧୯ ତାରିଖରେ ଶ୍ରୀନଗର ଠାରୁ ଆରମ୍ଭ କରିଥିଲେ ଓ ଜୁଲାଇ ୨୨ ତାରିଖରେ ଏହି ଦୌଡ଼ ଦ୍ରାସରେ ଶେଷ କରିଥିଲେ । ତାଙ୍କର ଏହି ଦୀର୍ଘ ପଥର ଦୌଡ଼ରେ ଚିନାର୍ ୱାରିୟର୍ସ ମାରାଥନ ଟିମ୍ର ସଦସ୍ୟମାନେ ଯୋଗ ଦେଇଥିଲେ। ଅନ୍ତିମ ଦିବସରେ ଦ୍ରାସ୍ ସେକ୍ଟରରେ ଥିବା କାର୍ଗିଲ୍ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ବର୍ଷା ରାୟ ଦୈନିକ ୪୦ କିମି ଦୌଡ଼ୁଥିଲେ। ଦ୍ବିତୀୟ ଦିବସରେ ସେ ଉସାନ୍ରୁ ୯ହଜାର ଫୁଟ ଉଚ୍ଚତାରେ ଥିବା ସୋନ୍ମାର୍ଗରେ ପହଞ୍ଚିଥିଲେ ଏବଂ ତୃତୀୟ ଦିବସରେ ୧୧୬୪୯ ଫୁଟ ଉଚ୍ଚ ଜୋଜିଲା ପାସ୍ରେ ପହଞ୍ଚିଥିଲେ। ଶ୍ରୀନଗର-ଲେହ ଜାତୀୟ ରାଜପଥ ଦେଇ ଲଦାଖର ମାତାୟେନ୍ ଓ ଚତୁର୍ଥ ଦିବସରେ ଦ୍ରାସ ପହଞ୍ଚିଥିଲେ। ନିଜର ଏହି ଦୌଡ଼ ସମ୍ପର୍କରେ ବର୍ଷା ରାୟ କହିଛନ୍ତି, ସେ ଯେତେବେଳେ ୭ମ ଶ୍ରେଣୀ ପଢ଼ୁଥିଲେ ସେତେବେଳେ କାର୍ଗିଲ୍ ଯୁଦ୍ଧ ହୋଇଥିଲା। ସେତେବେଳେ ତାଙ୍କ ପିତା କର୍ଣ୍ଣେଲ୍ କେଶବ ରାୟ ନିଜର ସମସ୍ତ ୟୁନିଟ୍କୁ ନେଇ ସୀମାନ୍ତରେ ପହଞ୍ଚିଯାଇଥିଲେ। ସୂଚନାଯୋଗ୍ୟ, କେବଳ ବର୍ଷା ରାୟ ଓ ତାଙ୍କ ପିତା ନୁହନ୍ତି ତାଙ୍କ ଜେଜେ ଓ ପଣଜେଜେ ମଧ୍ୟ ଭାରତୀୟ ସେନାରେ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ।










