ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ । ରାଜ୍ୟ ଭାଜପାର ସଭାପତି ଭାବେ ଦୃଢ ନେତୃତ୍ୱ ଦେଇ ଓଡିଶାରେ ଭାରତୀୟ ଜନତା ପାର୍ଟିର ଅଭ୍ୟୁଦୟରେ ସ୍ୱର୍ଗତ ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ଶୋଭାଯାତ୍ରାରେ ବରିଷ୍ଠ ନେତାଙ୍କ ସହ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ ସାମିଲ ହୋଇଥିଲେ ।
ଗତକାଲି ସଂଧ୍ୟାରେ ଭୁବନେଶ୍ବର ବିମାନବନ୍ଦରରେ ପହଂଚିବା ପରେ ଦେବେନ୍ଦ୍ରଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ବିମାନବନ୍ଦରରେ ବିଭିନ୍ନ ଦଳର ରାଜନେତା ପଂହଚିଥିଲେ । ଏହାପରେ ମରଶରୀରକୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା । ପରେ ଦେବେନ୍ଦ୍ରଙ୍କ ପାର୍ଥିବ ଶରୀରକୁ ତାଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ ରଖାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କରିଛନ୍ତି ।