ଭୁବନେଶ୍ୱର : ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାରି ମଧ୍ୟରେ ନବରଙ୍ଗପୁର ଉମରକୋଟର ପୂର୍ବତନ ବିଧାୟକ ସୁବାସ ଗଣ୍ଡ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ଖୋଦ୍ ବିଜେଡି ନେତା ସୁବାସ ସାମାଜିକ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହା ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସଙ୍ଗରୋଧରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ସୂଚନା ଯୋଗ୍ୟ ରାଜ୍ୟରେ ଏବେ ବି କରୋନା ସଂକ୍ରାମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ହଜାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଆଜି ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୪୯୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୦୯୪ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୩୯୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୧,୩୮୨ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୩୫ ଓ କଟକରୁ ୩୭୬, ଝାରସୁଗୁଡାରୁ ୧୦୩, ରାୟଗଡାରୁ ୨୦୬, ମୟୂରଭଞ୍ଜରୁ ୨୦୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୧୩୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୧୩୬୨ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୯୩୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୯୯, ୩୯୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩୧,୩୬୨ ଜଣ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି ।