ବାରିପଦା: ରକ୍ତରଞ୍ଜିତ ହେଲା ଶିମିଳିପାଳ ଅଭୟାରଣ୍ୟ । ଏଥର ବର୍ବରତାର ସବୁସୀମା ଟପିଗଲେ ଶିକାରୀ । ଶିକାର କରିବାକୁ ଯାଇଥିବା ବେଳେ ଚଢ଼ଉ ହେବାରୁ ଖସିଯିବା ଉଦ୍ଦେଶ୍ୟରେ ବନ କର୍ମଚାରୀଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଏଥିରେ ଜଣେ ବନରକ୍ଷୀଙ୍କ ମୃତ୍ୟୁ ଘଟିଥିବା ଖବର ରହିଛି । ମୃତକ ହେଲେ ବିମଳ କୁମାର ଜେନା । ଆଜି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ଏହାକୁ ନେଇ ହାଇଆଲର୍ଟ ଜାରି କରିଛି ବନବିଭାଗ। ଶିକାରୀଙ୍କୁ ଧରିବା ପାଇଁ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ସୂଚନା ଅନୁଯାୟୀ, ଶିମିଳିପାଳ ଉତ୍ତର ଡିଭିଜନ୍ର ଶେଷସୀମା ଓ ଦକ୍ଷିଣା ଡିଭିଜନ୍ର ଆରମ୍ଭରେ ଥିବା ବାଉଁଶଖାଲ ବିଟ୍ ହାଉସ୍ ପାଖରେ କିଛି ଶିକାରୀ ମାରଣାସ୍ତ୍ର ସହ ବୁଲୁଥିବା ଖବର ପାଇଥିଲା ବନ ବିଭାଗ । ତୁରନ୍ତ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ଚଢ଼ଉ କରିଥିଲା । ତେବେ ସନ୍ଧ୍ୟା ହୋଇ ଆସୁଥିବା ବେଳେ ଅନ୍ଧାରର ସୁଯୋଗ ନେଇ ଗଛ ଆଢ଼ୁଆଳରୁ ରହି ବନ କର୍ମଚାରୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ଶିକାରୀ । ପ୍ରତିଆକ୍ରମଣରେ ବନ କର୍ମଚାରୀ ମଧ୍ୟ ଗୁଳି ଚଳାଇଥିଲେ । ଏହି ଗୁଳି ବିନିମୟ ମଧ୍ୟରେ ଟଳି ପଡ଼ିଥିଲେ ବନରକ୍ଷୀ ବିମଳ । ସାଥୀ କର୍ମଚାରୀ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଖବର ଦେବାପରେ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଜଙ୍ଗଲ ଭିତରକୁ ଯାଇଛି । ଶେଷ ଖବର ସୁଦ୍ଧା ବିମଳଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର ହୋଇପାରିନି । ଶିକାରୀମାନେ ଏବେ ବି ଜଙ୍ଗଲ ଭିତରେ ଥିବାରୁ ସେମାନଙ୍କୁ ଧରିବାକୁ ଅନ୍ଧାର ରାତିରେ ବି ଅପରେସନ୍ ଜାରି ରଖିଛି ବନ ବିଭାଗ ।