27.1 C
Bhubaneswar
Thursday, April 30, 2026
Homeଓଡିଶାଗହୀର ଉଜାଡୁଛନ୍ତି ବାର୍‌ହା ପଲ, ଚିନ୍ତାରେ ଚାଷୀ

ଗହୀର ଉଜାଡୁଛନ୍ତି ବାର୍‌ହା ପଲ, ଚିନ୍ତାରେ ଚାଷୀ

ମୁଣ୍ଡମୁହାଣ: ପୂର୍ବରୁ ଧାନ ଅମଳ ଋତୁରେ ରାଜଧାନୀ ଉପକଣ୍ଠ ଚାଷୀଙ୍କୁ ହାତୀ ଡର ଥିଲା। କିନ୍ତୁ ଏବେ ଧାନ ଚାଷୀଙ୍କୁ ବାର୍‌ହା ପଲଙ୍କ ଉପଦ୍ରବ ଚିନ୍ତାରେ ପକାଇଛି। ବିଳମ୍ବିତ ରାତିରେ ଜଙ୍ଗଲରୁ ଆସି ବାର୍‌ହାମାନେ ଏକର ଏକର ଧାନ ଜମି ନଷ୍ଟ କରିପକାଉଛନ୍ତି। ଚାଷୀ ଧାନ କାଟିବାକୁ ପ୍ରସ୍ତୁତ ହେଉଥିବା ବେଳେ ବାର୍‌ହାମାନେ ଘାଣ୍ଟି ଦେଉଥିବାରୁ ବିଲରେ ଧାନ କାଟିବା ସମ୍ଭବ ହେଉନାହିଁ। କାଦୁଅରେ ଘାଣ୍ଟି ଚକଟି ପାଚିଲା ଧାନକୁ ବାର୍‌ହାମାନେ ନଷ୍ଟ କରିଦେଉଛନ୍ତି। ରାଜଧାନୀ ଉପକଣ୍ଠରେ ଚନ୍ଦକା ଅଭୟାରଣ୍ୟକୁ ଲାଗି ରହିଥିବା ମେଣ୍ଢାଶାଳ, ଛତାବର, ଅଙ୍ଗାରପଡ଼ା ଆଦି ପଞ୍ଚାୟତରେ ଏହା ପୁରୁଣା ସମସ୍ୟା ଭାବେ ଜଣାଶୁଣା। ଜଙ୍ଗଲୀ ବାର୍‌ହାମାନେ ନିକଟସ୍ଥ ଗହୀରରେ ଧାନ ଫସଲ ନଷ୍ଟ କରନ୍ତି। କିନ୍ତୁ ଏବେ ଜଙ୍ଗଲଠାରୁ କିଛି ଦୂରରେ ଥିବା ମଦନପୁର, ପାଇକେରାପୁର, କାଇମାଟିଆ, ଜାଗସରା, ବଡ଼ରଘୁନାଥପୁର, ଗଙ୍ଗପଡ଼ା, ଗ୍ରାମଣ୍ଡିହ, ଯାଁଳା, ହରପୁର, ଅରିଶଲ ଆଦି ଅଞ୍ଚଳରେ ମଧ୍ୟ ବାର୍‌ହା ଉପଦ୍ରବ ଦେଖିବାକୁ ମିଳିଲାଣି। ସ୍ଥାନୀୟ ଚାଷୀମାନଙ୍କ କହିବା କଥା ଏ ଅଞ୍ଚଳରେ ବନ୍ୟ ଜନ୍ତୁ ଶିକାର ନାହିଁ କହିଲେ ଚଳେ। ତେଣୁ ଏସବୁ ଅଞ୍ଚଳରେ ଯେଉଁ କିଛି ବଣୁଆ ଅଞ୍ଚଳ ରହିଛି ସେଠାରେ ବାରହ୍‌ାମାନେ ବସବାସ କଲେଣି। ଗଙ୍ଗପଡ଼ାକୁ ଲାଗି ରହିଥିବା ରତନପୁର କାଜୁ ଜଙ୍ଗଲ, ଯାଁଳା, ହରପୁର, ଅରିଶଲ ଆଦି ଅଞ୍ଚଳରେ ଥିବା ଛୋଟ ଛୋଟ ଜଙ୍ଗଲିଆ ସ୍ଥାନରେ ବାର୍‌ହା ବଂଶ ବୃଦ୍ଧି ପାଇଥିବା ସ୍ଥାନୀୟ ଚାଷୀ କହିଛନ୍ତି। ଏବେ ଧାନ ଅମଳ ସମୟ ହୋଇଥିବାବେଳେ କିଛି କିଛି ଅଞ୍ଚଳରେ ଧାନ କଟା ଆରମ୍ଭ ହେଲାଣି। ଗତ ୧୫ଦିନ ମଧ୍ୟରେ ଯାଁଳା ଗ୍ରାମର ବିଜୟ ବେହେରା, ଗଣେଶ ପରିଡାଙ୍କ ବିଲରେ ବାର୍‌ହା ପଶି ବିଲ ତାଡିଦେବା ସହ ଧାନଗଛ ସବୁ ଅଡୁଆ କରିପକାଇଛି। ତେଣୁ ଧାନ ଗଛ ଭାଙ୍ଗିଯିବା ସହ କେଣ୍ଡାଗୁଡିକ ପଙ୍କ କାଦୁଆ ହୋଇଯାଇଛି। ଗତ ମାସରେ ସମ୍ଭାବ୍ୟ ବାତ୍ୟା ଯୋଗୁ କିଛି ଧାନଗଛ ଭାଙ୍ଗି ପଡ଼ିବା ଫଳରେ ଫସଲ କ୍ଷତି ସହିବାକୁ ପଡ଼ିଥିଲା। ହାତୀ ଧାନ ନଷ୍ଟକଲେ ବନବିଭାଗ କ୍ଷତିପୂରଣ ଦିଏ। କିନ୍ତୁ ବାର୍‌ହା ପାଇଁ ଏହି କ୍ଷତି ଭରଣା ବ୍ୟବସ୍ଥା ନଥିବାରୁ ଚାଷୀ ବର୍ତ୍ତମାନ ଚିନ୍ତାରେ ପଡ଼ିଯାଇଛନ୍ତି। ବାର୍‌ହା ଉପଦ୍ରବ ଯୋଗୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking