– ଓଡ଼ିଶାର ଇଣ୍ଡେକ୍ସ ର୍ୟାଙ୍କ୍ ସ୍କୋର ୦.୮୩୬
– ଦ୍ୱିତୀୟରେ ଉତ୍ତର ପ୍ରଦେଶ ଓ ତୃତୀୟରେ ଆନ୍ଧ୍ର
ଭୁବନେଶ୍ୱର: ଓଡ଼ିଶା ପୁଣି ଥରେ ଦେଶରେ ନଂ-୧ ରାଜ୍ୟର ମାନ୍ୟତା ପାଇଛି । ଦେଶର ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ଖାଦ୍ୟ ଓ ପୋଷଣ ସୁରକ୍ଷା ଆଇନ ବା ଏନ୍ଏଫ୍ଏସ୍ଏ କାର୍ଯ୍ୟକାରିତାରେ ଏହି ସଫଳତା ପାଇଛି । ଓଡ଼ିଶାର ଇଣ୍ଡେକ୍ସ ର୍ୟାଙ୍କ୍ ସ୍କୋର ୦.୮୩୬ । କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ୍ ଏହା ଘୋଷଣା କରିଛନ୍ତି । ଶ୍ରୀ ଗୋଏଲ୍ ଟୁଇଟ୍ କରି ଏନେଇ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଷ୍ଟେଟ୍ ରାଙ୍କିଙ୍ଗ୍ ଫର୍ ଏନ୍ଏଫ୍ଏସ୍ଏ-୨୦୨୨ ତାଲିକା ପ୍ରକାଶ ପାଇଛି । ଏଥିରେ ଓଡ଼ିଶା ସର୍ବାଗ୍ରେ ଥିବାବେଳେ ଉତ୍ତରପ୍ରଦେଶ ଦ୍ୱିତୀୟ, ଆନ୍ଧ୍ର ପ୍ରଦେଶ ତୃତୀୟ ଓ ଗୁଜରାଟ୍ ଚତୁର୍ଥ ସ୍ଥାନରେ ରହିଛି । ତେବେ ପ୍ରଥମ ସ୍ଥାନରେ ଥିବା ଓଡ଼ିଶାର ଇଣ୍ଡେକ୍ସ ସ୍କୋର ୦.୮୩୬ ଥିବା ବେଳେ ଉତ୍ତର ପ୍ରଦେଶର ସ୍କୋର ୦.୭୯୭ ଏବଂ ଆନ୍ଧ୍ର ପ୍ରଦେଶ ସ୍କୋର ୦.୭୯୪ ରହିଛି ।
ତାଲିକାରେ ଥିବା ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟମାନେ ହେଉଛନ୍ତି ଦାଦରା ନଗର ହାବେଳୀ, ଡାମନ ଡିଉ, ମଧ୍ୟପ୍ରଦେଶ, ବିହାର, କର୍ଣ୍ଣାଟକ, ତାମିଲନାଡୁ, ଝାଡ଼ଖଣ୍ଡ, କେରଳ, ତେଲେଙ୍ଗାନା, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ରାଜସ୍ଥାନ,ପଞ୍ଜାବ, ହରିଆନା, ଦିଲ୍ଲୀ, ଛତିଶଗଡ଼ ଓ ଗୋଆ । ତେବେ ‘ସ୍ୱତନ୍ତ୍ର କାଟାଗୋରି ରାଜ୍ୟ’ଗୁଡ଼ିକ ଭିତରେ ତ୍ରିପୁରା ପ୍ରଥମ ସ୍ଥାନରେ ଥିବାବେଳେ ହିମାଚଳ ପ୍ରଦେଶ ଦ୍ୱିତୀୟ ଏବଂ ସିକିମ୍ ତୃତୀୟ ସ୍ଥାନରେ ଅଛନ୍ତି ।
ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉକ୍ତ ରିପୋର୍ଟ ପ୍ରକାଶ ପରେ ଖୁସି ବ୍ୟକ୍ତ କରି କହିଛନ୍ତି ଯେ ଡିସେମ୍ବର ୨୦୧୫ରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହୋଇଛି ।
ସେବେଠାରୁ ରାଜ୍ୟରେ ଖାଦ୍ୟ ସୁରକ୍ଷା ଏବଂ ବଣ୍ଟନ ପ୍ରଣାଳୀରେ ଏକ ଆମୁଳଚୁଳ ରୂପାନ୍ତରଣ ହୋଇଛି । ଏଥିରେ ହିତାଧିକାରୀଙ୍କ ତଥ୍ୟଗୁଡିକୁ ଡିଜିଟାଇଜ୍ କରି ୩.୨୫ କୋଟିର ଏକ ବିଶାଳ ଡାଟାବେସ୍ କରାଯାଇଛି । ଉକ୍ତ ୱେବ୍ପୋର୍ଟାଲ ସର୍ବସାଧାରଣଙ୍କ ପାଇଁ ବି ଉପଲବ୍ଧ କରାଯାଇଛି । ସେଥିପାଇଁ ଏହି ସଫଳତା ମିଳିଛି ବୋଲି ପ୍ରକାଶ କରିଥିଲେ । ଓଡ଼ିଶାର ଏହି ସଫଳତା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ରହିଛି । ବିଭାଗୀୟ କର୍ମଚାରୀଙ୍କ କଠିନ ପରିଶ୍ରମ ଓ ନିରନ୍ତର ପ୍ରଚେଷ୍ଟା ପ୍ରଣିଧାନଯୋଗ୍ୟ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।