ବାଲେଶ୍ୱର: ବାଲେଶ୍ୱରରେ ପୁଣି ବଢ଼ିବ ବନ୍ୟା ଆଶଙ୍କା । ସୁବର୍ଣ୍ଣରେଖା ନଦୀରେ ମଧ୍ୟମଧରଣର ବନ୍ୟା ଆଶଙ୍କା ରହିଛି । ଅନ୍ୟ ଜିଲ୍ଲାଗୁଡ଼ିକରେ ବନ୍ୟା ସ୍ଥିତିରେ ସୁଧାର ଆସିଥିବା ବେଳେ ବୃଷ୍ଟିପାତ ମଧ୍ୟ କମିଛି । ତେଣୁ ଲୋକଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି । ହେଲେ ଝାଡ଼ଖଣ୍ଡ କ୍ୟାଚମେଣ୍ଟ ଅଞ୍ଚଳରୁ ଜଳ ପ୍ରବାହିତ ହେଉଥିବାରୁ ବାଲେଶ୍ୱର ପାଇଁ ଚିନ୍ତା ବଢ଼ିଛି ।ଚାନ୍ଦିଲି ଡ୍ୟାମରୁ ପ୍ରତି ସେକେଣ୍ଡରେ ୧୪୧୦.୪୨ କ୍ୟୁମେକ୍ ଜଳ ନିଷ୍କାସିତ ହେଉଛି । ଏହାର ପ୍ରଭାବରେ ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସ୍ଥାନରେ ଜଳସ୍ତର ବଢ଼ିବା ଆଶଙ୍କା ରହିଛି । ରାଜଘାଟରେ ନଦୀର ଜଳସ୍ତର ବଢ଼ୁଥିବା ବେଳେ ଏହା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।ଅନ୍ୟପଟେ ବ୍ରାହ୍ମଣୀ, ବୈତରଣୀ ଓ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର କମୁଛି । ତେବେ ଆଜି ସନ୍ଧ୍ୟାରୁ ବାଲେଶ୍ୱରରେ ପୁଣି ପାଣି ବଢ଼ିବା ସମ୍ଭାବନା ଥିବା ବେଳେ ମଧ୍ୟରାତ୍ରିରେ ଜଳସ୍ତର ଆହୁରି ବଢ଼ିପାରେ। ଏହାକୁ ନେଇ ଜିଲ୍ଲା ପ୍ରଶାସନକୁ ତତ୍ପର କରାଯାଇଛି । ମୟୂରଭଞ୍ଜ, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ମଧ୍ୟ ସତର୍କ କରାଯାଇଛି ।
ବର୍ତ୍ତମାନ ୬ଟି ଜିଲ୍ଲାର ୬୮ଟି ବ୍ଲକରେ ବନ୍ୟା ପ୍ରଭାବ ରହିଛି । ୪୬୯ଟି ପଞ୍ଚାୟତ, ୧୫୭୯ଟି ଗାଁ ଏବଂ ୧୦ଟି ସହରାଞ୍ଚଳର ୬୪ଟି ୱାର୍ଡ ପ୍ରଭାବିତ ହୋଇଛି। ମୋଟ ୧୧ ଲକ୍ଷ ୬୫ ହଜାର ୮୩୭ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୪ ଲକ୍ଷ ୨୬ ହଜାର ୬୭୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୫୮ ହଜାର ୪୬୫ ହେକ୍ଟର ଜମି ଏବଂ ୧୮୮୨ଟି ଘର ପ୍ରଭାବିତ ହୋଇଛି।










