ଦୁବାଇ: ଅତି ସ୍ବଳ୍ପ ସମୟରେ ମାତ୍ରାଧିକ ବର୍ଷା ଯୋଗୁଁ ଇରାନର ଦକ୍ଷିଣାଞ୍ଚଳରେ ଅବସ୍ଥିତ ମରୁଡ଼ି ପ୍ରପୀଡ଼ିତ ଫାର୍ସ୍ ପ୍ରଦେଶରେ ଆକସ୍ମିକ ବନ୍ୟା ଆସିବାରୁ ଅନ୍ୟୂନ ୨୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ଶନିବାର ଦିନ ରାଷ୍ଟ୍ରାୟତ ଟେଲିଭିଜନ୍ ରିପୋର୍ଟ କରିଛି। ଏସ୍ତାବାନ୍ ନଗରୀର ଗଭର୍ଣ୍ଣର୍ ୟୁସେପ୍ କାରେଗର୍ଙ୍କ କହିବା ଅନୁସାରେ, ଅତି ପ୍ରବଳ ବର୍ଷା କାରଣରୁ ଏସ୍ତାବାନ୍ ନଗରୀ ପାଖ ଦେଇ ପ୍ରବାହିତ ରୌଦ୍ବାଲ୍ ନଦୀରେ ବଢ଼ି ଆସିଗଲା। କାରେଗର୍ କହିଛନ୍ତି, ଆକସ୍ମିକ ବନ୍ୟା ଯୋଗୁଁ ପାଣି ଘେରରେ ଫସି ରହିଥିବା ୫୫ଜଣ ବ୍ୟକ୍ତିଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି, କିନ୍ତୁ ଏବେ ବି ଆହୁରି ୬ଜଣ ଲୋକଙ୍କର ପତ୍ତା ମିଳୁନି। ବନ୍ୟା ଯୋଗୁଁ ପ୍ରଦେଶର ୧୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି।ବନ୍ୟାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଇରାନ୍ର ଗୃହମନ୍ତ୍ରୀ ଅହମଦ୍ ୱହିଦି ସମବେଦନା ଜ୍ଞାପନ କରିଥିବା କଥା ପରେ ରାଷ୍ଟ୍ରାୟତ ଟେଲିଭିଜନ୍ ରିପୋର୍ଟ କରିଛି। ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରାୟ ଏକ ଦଶନ୍ଧି ହେବ ମରୁଡ଼ିର ସମ୍ମୁଖୀନ ହେଉଥିବା ଦେଶ ଇରାନର ସବୁ ପ୍ରାନ୍ତରେ ପ୍ରବଳରୁ ଅତି ପ୍ରବଳ ଋତୁକାଳୀନ ବୃଷ୍ଟିପାତ ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ କହିଛି।