ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆରଆଇଇ ଭୁବନେଶ୍ୱର ଠାରେ ଆୟୋଜିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନବନିଯୁକ୍ତ ପିଜିଟିମାନଙ୍କର ପାଞ୍ଚଦିନିଆ ପ୍ରଶିକ୍ଷଣ ଶିବିର ଶେଷ ହୋଇଛି । ଉଦ୍ଯାପନୀ ଅଧିବେଶନରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଅଶ୍ୱଥି ଏସ୍ ପ୍ରଥମେ ପିଜିଟିମାନଙ୍କ ସହ ଆଲୋଚନା କରି ସେମାନଙ୍କ ଶିକ୍ଷଣ ଅନୁଭୂତି ପଚାରି ବୁଝିଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଉଚିତ ମାର୍ଗ ଦର୍ଶନ ପାଇଁ କର୍ମସ୍ଥଳରେ ଥିବା ବିଭିନ୍ନ ଆହ୍ୱାନକୁ କିପରି ସଫଳତାର ସହ ସାମନା କରିବା ପାଇଁ ନିଜକୁ ପ୍ରସ୍ତୁତ କରିବେ ସେଥିପାଇଁ ସେ ପ୍ରେରଣା ଦେଇଥିଲେ । ନିଜର ନିରନ୍ତର ଦକ୍ଷତା ବିକାଶ ସହ ଛାତ୍ରଛାତ୍ରୀଙ୍କୁ ବୁଝି ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବା ଓ ସେମାନଙ୍କ ପ୍ରତିଭା ବିକଶିତ ହେବାରେ ସହାୟକ ହେବା ପାଇଁ ସେ ପରାମର୍ଶ ଦେଇଥିଲେ ।
ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ସମଗ୍ର ଶିକ୍ଷା ଓ ଷ୍ଟାରସରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗର ଉପଯୋଗ କରିବା ସଂଗେ ସଂଗେ, ପିଜିଟିମାନେ ନିଜେ କଠିନ ପରିଶ୍ରମ କରି ସମସ୍ତ ଆହ୍ୱାନକୁ ସାମନା କରି ସମାଜର ପରିବର୍ତ୍ତନର ସୂତ୍ରଧର ହେବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ଆରଆଇଇର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ସମାଜ ଗଠନରେ ଶିକ୍ଷକର ଭୂମିକା ଉପରେ ଆଲୋକପାତ କରିବା ସଂଗେ ସଂଗେ ଶିକ୍ଷଦାନ ଏକ ମହତ କାର୍ଯ୍ୟ ଓ ଶିକ୍ଷକ ଉତ୍ତମ ନାଗରିକ ସମାଜକୁ ଦେଇପାରିବ ବୋଲି କହିଥିଲେ । ଏହିପରି ତାଲିମ କାର୍ଯ୍ୟକ୍ରମ ମିଳିତ ପ୍ରୟାସରେ ଅନୁଷ୍ଠାନରେ ଆୟାଜିତ ହୋଇଥିବାରୁ ସେ ବିଭାଗକୁ ସାଧୁବାଦ ଜଣାଇଥିଲେ । ସ୍ୱତନ୍ତ୍ର ଶାସନ ସଚିବ ଶୁଭଶ୍ରୀ ନନ୍ଦ ଅଂଶ ଗ୍ରହଣକାରୀ ପିଜିଟିମାନଙ୍କ ତାଲିମକାଳୀନ ଶିକ୍ଷଣ ଅନୁଭୂତି ଶୁଣି ବେଶ ଖୁସିବ୍ୟକ୍ତ କରିଥିଲେ । ଏହି ତାଲିମରେ ବ୍ୟବହାରିକ ଅନୁଭୂତି ଓ ବିଭିନ୍ନ ବିଷୟରେ ଜ୍ଞାନଲାଭ ଉଭୟ ପ୍ରତି ଗୁରୁତ୍ୱ ଦିଆଯାଇଥିବାରୁ ଶିକ୍ଷଣ ଅନୁଭୂତିକୁ କର୍ମକ୍ଷେତ୍ରରେ ପ୍ରୟୋଗ କରି ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ ପାଇଁ ଆହ୍ୱାନ ଦେଇଥିଲେ ।
ପ୍ରାରମ୍ଭରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର୍ ଆୟାର ସମସ୍ତ ଅତିଥିଙ୍କୁ ସ୍ୱାଗତ ଜଣାଇବା ସଂଗେ ସଂଗେ ପାଞ୍ଚଦିନିଆ ତାଲିମ ଶିବିରରେ ହୋଇଥିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ପ୍ରତ୍ୟହ ପ୍ରାତଃରୁ ଯୋଗାଭ୍ୟାସ, ଶ୍ରେଣୀଗୃହ ପରିଚାଳନା କୌଶଳ, ବିବିଧ ସମସ୍ୟା ସମାଧାନରେ ଶିକ୍ଷକର ସକାରାତ୍ମକ ଦୃଷ୍ଟିଭଙ୍ଗୀ, ସାମସ ପୋର୍ଟାଲର ବ୍ୟବହାର, ସ୍କଲାରସିପ ଯୋଜନା, ଆର୍ôଥକ ପରିଚାଳନା, ଚାକିରି ନିୟମାବଳୀ, ଧନ୍ଦାମୂଳକ ଶିକ୍ଷାର ପ୍ରସାର, ବିଦ୍ୟାଳୟ ଓ ଛାତ୍ରାବାସକୁ ରାଗିଙ୍ଗ ମୁକ୍ତ ଓ କର୍ମକ୍ଷେତ୍ରକୁ ଯୌନ ଶୋଷଣ ମୁକ୍ତ କରିବା ପାଇଁ ଦାୟିତ୍ୱ ଓ ଆଇନର ବିଧି ବ୍ୟବସ୍ଥା, ଧରଣୀୟ ବିକାଶ, ମୋ ସ୍କୁଲ ଅଭିଯାନ, ସମଗ୍ର ଶିକ୍ଷା, ଷ୍ଟାରସ ଆଦି ବିଭିନ୍ନ ପସଙ୍ଗରେ ତାଲିମ ସହ ପ୍ରଶିକ୍ଷାର୍ଥୀମାନେ ଆଇ.ସି.ଟି. ସଫୁଡିଓରେ କ୍ୟାମେରା ଆଗରେ ଡେମୋ ଶିକ୍ଷାଦାନ କରିଥିଲେ ଯାହା ରେକର୍ଡ କରାଯାଇଥିଲା । ଏତଦ୍ବ୍ୟତୀତ ସେମାନେ ୱାର୍ଲଡ ସ୍କିଲ ସେଣ୍ଟର ପରିଦର୍ଶନ କରି ଧନ୍ଦାମୂଳକ ଶିକ୍ଷା ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରିଥିଲେ । ପରିଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ମୁଖ୍ୟଅତିଥି ପ୍ରମାଣପତ୍ର ଦେଇ ଉତ୍ସାହିତ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମକୁ ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା ପରିଚାଳନା କରିବା ସଂଗେ ନିର୍ଦ୍ଦେଶାଳୟ ତରଫରୁ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ ।