ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତିତ କୃଷି ନିମନ୍ତେ ଓଡ଼ିିଶା ସମନ୍ତ୍ରିତ ଜଳସେଚନ ପ୍ରକଳ୍ପ ବା ଉପେକ୍ରା ଜରିଆରେ ଏବେ ବୈଜ୍ଞାନିକ ପ୍ରଣାଳୀରେ ସମନ୍ୱିତ ମତ୍ସ୍ୟଚାଷ ସମ୍ଭବ ହେଉଛି । ଓଡ଼ିଶା ମତ୍ସ୍ୟ ବିଭାଗ, ଜଳସମ୍ପଦ ବିଭାଗ ଓ ଉପେକ୍ରା ବିଶେଷଜ୍ଞଙ୍କ ଦ୍ୱାରା ତାଲିମ ଓ ବୈଷୟିକ ଶିକ୍ଷା ଦ୍ୱାରା ୧୫ ଜିଲ୍ଲରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଘରୋଇ ଉଦ୍ୟୋଗୀ ଏହାର ସୁଫଳ ନେଉଛନ୍ତି । ଶନିବାର କ୍ଷେତ୍ର ପରିଦର୍ଶନ ସାରିି ଭୁବନେଶ୍ୱର ଫେରିବା ପରେ ‘ଉପେକ୍ରା’ର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ସଞ୍ଜୀବ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ୍ର ଶରତଚନ୍ଦ୍ରପୁର ଗ୍ରାମରେ ଥିବା ଇଟାବନ୍ଧ କ୍ଷୁଦ୍ରଜଳସେଚନ ପ୍ରକଳ୍ପକୁ ‘ସନ୍ଧାଲ’ ନାମରେ ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ନେଇ ପ୍ରଥମ କରି ମତ୍ସ୍ୟଚାଷ କରି ବେଶ୍୍ ସଫଳ ହୋଇଛନ୍ତି ।
ଜିଲ୍ଲାମତ୍ସ୍ୟ ବିଭାଗ ଓ ଉପେକ୍ରା ବିଶେଷଜ୍ଞଙ୍କ ଦ୍ୱାରା ତାଲିମ ଓ ବୈଷୟିକ ଶିକ୍ଷା ଯୋଗାଇ ମହିଳାଙ୍କୁ ମତ୍ସ୍ୟଚାଷ କରିବାରେ ସହାୟତା କରିଛନ୍ତି । ଏଥିମଧ୍ୟରେ ପାଣିର ଗୁଣାତ୍ମକମାନ ଜାଣିବା, ଚୂନ-ପଟାସ୍ ପକାଇ ଉନ୍ନତ ମାନର ଯାଁଳ (ଆଇଏମ୍ସି) ଓ ଭାସମାନ ଖାଦ୍ୟ ଦେଇ, ମାଛକୁ ବଢ଼ାଇ ମାର୍କେଟ୍ରେ ବିକ୍ରି କରି ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି । କେବଳ ମାଛଚାଷ ନୁହେଁ ପରିବାଚାଷ କରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ବେଶ୍ ଲାଭବାନ ହେଉଛନ୍ତି । ରାଜ୍ୟ ସରକାର ମତ୍ସ୍ୟ ବିଭାଗ ଜରିଆରେ ୧୫ ଜିଲ୍ଲରେ ଉପେକ୍ରା ଯୋଜନା କାର୍ଯ୍ୟକାରି କରି ବେଶ୍ ସଫଳ ହେବାକୁ ଯାଉଛନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି । ଏହି ଗସ୍ତ ବେଳେ ଉପେକ୍ରାର ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଡ. ପ୍ରଦୀପ କୁମାର ମହାପାତ୍ର ଓ ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।