19.1 C
Bhubaneswar
Wednesday, December 25, 2024
Homeଖେଳବ୍ରାଜିଲ୍‌କୁ ୨୦୨୭ ମହିଳା ବିଶ୍ୱକପ୍ ଆୟୋଜନ ଅଧିକାର

ବ୍ରାଜିଲ୍‌କୁ ୨୦୨୭ ମହିଳା ବିଶ୍ୱକପ୍ ଆୟୋଜନ ଅଧିକାର

ବ୍ୟାଙ୍କକ: ୨୦୨୭ରେ ହେବାକୁ ଥିବା ଫିଫା ମହିଳା ଫୁଟ୍‌ବଲ୍ ବିଶ୍ୱକପ୍‌ର ଆୟୋଜନ ଅଧିକାର ବ୍ରାଜିଲ୍‌କୁ ମିଳିଛି । ଥାଇଲାଣ୍ଡ୍‌ରେ ଅନୁଷ୍ଠିତ ଫେଡେରେସନ୍ ଇଣ୍ଟରନାସ୍‌ନାଲ୍ ଡି ଫୁଟ୍‌ବଲ୍ ଆସୋସିଏସନ୍ (ଫିଫା)ର ୭୪ତମ କଂଗ୍ରେସ ବୈଠକରେ ଏହି ଘୋଷଣା କରାଯାଇଛି । ବ୍ରାଜିଲ୍‌ରେ ଏହି ଟୁର୍ଣ୍ଣାମେଣ୍ଟ୍ ପ୍ରଥମ ଥର ପାଇଁ ଆୟୋଜିତ ହେବ । ପୂର୍ବରୁ ୧୯୫୦ ଏବଂ ୨୦୧୪ରେ ବ୍ରାଜିଲ୍ ଫିଫା ପୁରୁଷ ଫୁଟ୍‌ବଲ୍ ବିଶ୍ୱକପ୍ର ଆୟୋଜନ କରିଥିଲା । ଫିଫା ମହିଳା ଫୁଟ୍‌ବଲ୍ ବିଶ୍ୱକପ୍‌ର ଆୟୋଜନ ଅଧିକାର ହାସଲ ପାଇଁ ବ୍ରାଜିଲ୍ ବ୍ୟତୀତ ନେଦରଲାଣ୍ଡ୍‌ସ, ବେଲ୍‌ଜିୟମ୍ ଓ ଜର୍ମାନୀ ମିଳିତ ଭାବେ ବିଡ୍ କରିଥିଲେ । ତେବେ ଫିଫା କଂଗ୍ରେସ ଅନୁଷ୍ଠିତ ଭୋଟ୍‌ରେ ବ୍ରାଜିଲ୍ ଏ ସମସ୍ତଙ୍କୁ ମାତ୍ ଦେଇ ଆୟୋଜନ ଅଧିକାର ହାସଲ କରିଛି । ବ୍ରାଜିଲ୍‌କୁ ୧୧୯ ସଦସ୍ୟ ଆସୋସିଏସନ୍‌ଙ୍କ ସମର୍ଥନ ହାସଲ କରିଥିବା ବେଳେ ସଂଯୁକ୍ତ ୟୁରୋପିଆନ୍ ବିଡ୍‌କୁ ୭୮ ଭୋଟ୍ ମିଳିଥିଲା । ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ୍‌ରେ ଆମେରିକା ଓ ମେକ୍ସକୋ ଆୟୋଜନ ଅଧିକାର ହାସଲ ଦୌଡ଼ରୁ ଓହରି ଯାଇଥିବା ବେଳେ ଗତବର୍ଷ ନଭେମ୍ବରରେ ସାଉଥ୍ ଆଫ୍ରିକା ଓହରି ଯାଇଥିଲା । ମହିଳା ଟୁର୍ଣ୍ଣାମେଣ୍ଟ୍‌ର ଆୟୋଜକ ସ୍ଥିର କରିବା ପାଇଁ ଫିଫାର ସମସ୍ତ ସଦସ୍ୟ ଆସୋସିଏସନ୍ ଭୋଟ୍ ପ୍ରଦାନ ସୁଯୋଗ ହାସଲ କରିବା ଏହା ପ୍ରଥମ ଘଟଣା । ପୂର୍ବରୁ ଆୟୋଜନ ଅଧିକାର ସମ୍ପର୍କରେ ଫିଫା କାଉନ୍‌ସିଲ୍ ନିଷ୍ପତ୍ତି ନେଉଥିଲା ।
୧୯୯୧ରୁ ବର୍ତ୍ତମାନ ସୁଦ୍ଧା ମହିଳା ଫୁଟ୍‌ବଲ୍ ବିଶ୍ୱକପ୍‌ର ୯ଟି ସଂସ୍କରଣ ଖେଳାଯାଇଛି । ଚୀନ୍ ୧୯୯୧ ଓ ୨୦୦୭ ଏବଂ ଆମେରିକା ୧୯୯୯ ଏବଂ ୨୦୦୩ରେ ଦୁଇଥର ଏହି ମେଗା ଇଭେଣ୍ଟ୍ ଆୟୋଜିତ କରିଥିବା ବେଳେ ସ୍ୱିଡେନ୍‌, ଜର୍ମାନୀ, କାନାଡା ଓ ଫ୍ରାନ୍ସ ଥରେ ଲେଖାଏଁ ଏହା ଆୟୋଜନ କରିଛନ୍ତି । ୨୦୨୩ରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର ମିଳିତ ଭାବେ ଟୁର୍ଣ୍ଣାମେଣ୍ଟ୍‌ର ଆୟୋଜନ କରିଥିଲେ । ପୂର୍ବରୁ ମହିଳା ଫୁଟ୍‌ବଲ୍ ବିଶ୍ୱକପ୍‌ରେ କେବଳ ୧୨ ଟିମ୍ ଭାଗ ନେଇଆସୁଥିବା ବେଳେ ନବମ ସଂସ୍କରଣରେ ଟିମ୍ ସଂଖ୍ୟା ବୃଦ୍ଧି ପାଇ ୩୨ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking