ଜେରୁଜେଲମ୍: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ସହମତି ପ୍ରକାଶ ପାଇଛି। ଇସ୍ରାଏଲ ସୁରକ୍ଷା କ୍ୟାବିନେଟ୍ ମଧ୍ୟ ଗାଜାରେ ଅସ୍ତ୍ରବିରତି ଚୁକ୍ତିକୁ ଅନୁମୋଦନ କରିଛି। ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବ। ଯଦି ଏହି ପର୍ଯ୍ୟାୟର ପ୍ରାରମ୍ଭିକ ଦିନଗୁଡ଼ିକ ଭଲ ଫଳାଫଳ ଦିଏ, ତେବେ ଆଲୋଚନା ଦ୍ୱିତୀୟ ପର୍ଯ୍ୟାୟକୁ ଆଗକୁ ବଢ଼ିବ। ଏହି ପ୍ରଥମ ପର୍ଯ୍ୟାୟ ଅସ୍ତ୍ରବିରତି ଜାନୁଆରୀ ୧୯ତାରିଖ ଅର୍ଥାତ୍ ଆସନ୍ତା କାଲି ଠାରୁ ଆରମ୍ଭ ହେବ। ତେବେ ଅସ୍ତ୍ରବିରତିର ପ୍ରଥମ ପର୍ଯ୍ୟାୟ ମୋଟ ୪୨ ଦିନ ପାଇଁ ରହିବ। ଏହି ସମୟ ମଧ୍ୟରେ, ହମାସର ଯୋଦ୍ଧାମାନେ ୩୩ ଜଣ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିବେ। ଏଥିରେ ମହିଳା, ଛୋଟପିଲା ଏବଂ ବୟସ୍କ ବ୍ୟକ୍ତି ସାମିଲ ହେବେ। ଏଥିରେ କିଛି ଅସୁସ୍ଥ ଏବଂ ଆହତ ବନ୍ଧକଙ୍କୁ ମଧ୍ୟ ସାମିଲ କରାଯିବ। ସେହିପରି ଏହି ୪୨ ଦିନ ମଧ୍ୟରେ ଇସ୍ରାଏଲୀ ସେନା ଗାଜର ଘନ ଜନବସତି ଅଞ୍ଚଳରୁ ଧୀରେ ଧୀରେ ପଛକୁ ହଟିବା ଆରମ୍ଭ କରିବ।
ଏହି ଅଞ୍ଚଳଗୁଡ଼ିକରୁ ସେନା ପ୍ରତ୍ୟାହାର କରିବା ପରେ ହିଁ ବାସିନ୍ଦାମାନେ ନିଜ ଘରକୁ ଫେରିପାରିବେ। ଇସ୍ରାଏଲ ପକ୍ଷରୁ ମୋଟ୍ ୭୩୭ ଜଣ ପାଲେଷ୍ଟାଇନ୍ କଏଦୀଙ୍କୁ ମୁକ୍ତ କରାଯିବ। ରବିବାର ଅପରାହ୍ନ ୪ଟା ପରେ ସେମାନଙ୍କୁ ମୁକ୍ତ କରାଯିବ। ବନ୍ଧକ ଏବଂ କଏଦୀମାନଙ୍କୁ ମୁକ୍ତ କରିବା ପାଇଁ ତିନୋଟି ପଏଣ୍ଟ ସ୍ଥିର କରାଯାଇଛି। କେରିମ ସାଲୋମ, ଏରେଜ ଏବଂ ରିମଙ୍କ ପାଖରେ ଏହି ପଏଣ୍ଟ ରହିବ। ଡାକ୍ତର ଏବଂ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏଠାରେ ଉପସ୍ଥିତ ରହିବେ ଯେଉଁମାନେ ମୁକ୍ତ ହେଉଥିବା ଲୋକମାନଙ୍କୁ ପରୀକ୍ଷା କରିବେ। ସମସ୍ତ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ ନହେବା ପର୍ଯ୍ୟନ୍ତ ଇସ୍ରାଏଲୀ ସୈନ୍ୟ ଗାଜାରୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବେ ନାହିଁ ବୋଲି ଇସ୍ରାଏଲ୍ ସ୍ପଷ୍ଟ କରିସାରିଛି। ସେହିପରି ପ୍ରଥମ ପର୍ଯ୍ୟାୟ ଅସ୍ତ୍ରବିରତିର ୧୬ ତମ ଦିନରୁ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆଲୋଚନା ଆରମ୍ଭ ହେବ।
ଏସବୁ ମଧ୍ୟରେ ଇସ୍ରାଏଲର ନ୍ୟାୟ ମନ୍ତ୍ରଣାଳୟ ଏହିସବୁ ପାଲେଷ୍ଟାଇନ୍ କଏଦୀଙ୍କ ତାଲିକା ଜାରି କରିଛି। ତେବେ ଇସ୍ରାଏଲ୍ ଦ୍ୱାରା ପ୍ରସ୍ତୁତ ୭୦୦ରୁ ଊର୍ଦ୍ଧ୍ୱ ପାଲେଷ୍ଟାଇନ୍ ନାଗରିକଙ୍କୁ ନେଇ ପ୍ରସ୍ତୁତ କରିଥିବା ତାଲିକାରେ କିଛି ହାଇପ୍ରୋଫାଇଲ ହମାସ ଆତଙ୍କବାଦୀର ନାଁ ନଥିବା ଜାଣିବାକୁ ମିଳିଛି। ଏପରି କିଛି ହମାସ ଆତଙ୍କବାଦୀଙ୍କ ମଧ୍ୟରେ ମାଓର୍୍ୱାନ ବାରଘୌତି (୬୪) ସାମିଲ ରହିଛି। ସେ ଇସ୍ରାଏଲ ଉପରେ ଆକ୍ରମଣ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛି। ତାକୁ ଇସ୍ରାଏଲ ଦ୍ୱାରା ଧରାଯାଇଥିବା ସବୁଠାରୁ ହାଇପ୍ରୋଫାଇଲ କଏଦୀ ଭାବରେ ବିବେଚନା କରାଯାଏ। ଅନେକ ପାଲେଷ୍ଟାଇନ୍ ତାକୁ ନିଜର ଭବିଷ୍ୟତ ରାଷ୍ଟ୍ରପତି ହେବା ପାଇଁ ଏକ ଅଗ୍ରଣୀ ପ୍ରାର୍ଥୀ ଭାବରେ ଦେଖନ୍ତି।
ବେଞ୍ଜାମିନ ନେତାନ୍ୟାହୁଙ୍କ ନେତୃତ୍ୱାଧୀନ ଇସ୍ରାଏଲ କ୍ୟାବିନେଟ୍ ଗାଜା ଅସ୍ତ୍ରବିରତି ଚୁକ୍ତିକୁ ଅନୁମୋଦନ କରିବାର କିଛି ଘଣ୍ଟା ପରେ ଏହି ତାଲିକା ପ୍ରକାଶ ପାଇଛି। ରବିବାର ସ୍ଥାନୀୟ ସମୟ ଅପରାହ୍ଣ ୪ଟା ବେଳେ ଇସ୍ରାଏଲ ଏସବୁ କଏଦୀଙ୍କୁ ମୁକ୍ତ କରିବ ଏବଂ ପ୍ରତିବଦଳରେ ହମାସ୍ ଇସ୍ରାଏଲୀୟ ବନ୍ଧକମାନଙ୍କୁ ମୁକ୍ତ କରିବ ବୋଲି ଇସ୍ରାଏଲର ନ୍ୟାୟ ମନ୍ତ୍ରାଳୟ କହିଛି। ପ୍ରକାଶ, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏହି ଚୁକ୍ତି କାତାର, ମିଶର ଏବଂ ଆମେରିକାର ସହାୟତାରେ ସମ୍ଭବ ହୋଇପାରିଛି। ଏହି ଯୁଦ୍ଧବିରତିରେ ତିନୋଟି ଦେଶର କିଛି ପ୍ରମୁଖ ଅଧିକାରୀ ମଧ୍ୟସ୍ଥିର ଭୂମିକା ଗ୍ରହଣ କରିଥିଲେ। ଗାଜାରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଗତ ୧୫ ମାସ ଧରି ଯୁଦ୍ଧ ଚାଲିଛି। ୭ ଅକ୍ଟୋବର ୨୦୨୩ରେ, ହମାସର ଏକ ଅତର୍କିତ ଆକ୍ରମଣରେ ହଜାର ହଜାର ଲୋକ ପ୍ରାଣ ହରାଇବା ପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିଥିଲା। ଏହି ଯୁଦ୍ଧରେ ୪୫ ହଜାରରୁ ଅଧିକ ମୃତ୍ୟୁ ହୋଇଥିବା ଆକଳନ କରାଯାଇଛି।