ଭୁବନେଶ୍ୱର: ୨୦୨୪-୨୫ଶିକ୍ଷାବର୍ଷ ଲାଗି ରାଜ୍ୟର ମେଡିକାଲ କଲେଜଗୁଡିକରେ ନାମଲେଖା ଲାଗି ଆଜି ଠାରୁ ପ୍ରଥମପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରୋଭିଜନାଲ ନାମଲେଖା ପକ୍ରିୟା ଆସନ୍ତା ୩ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ଯେଉଁ ଛାତ୍ରଛାତ୍ରୀଙ୍କୁ ସିଟ୍ ଆଲଟମେଣ୍ଟ କରାଯାଇଛି ସମ୍ପୃକ୍ତ ପିଲାମାନେ ଏହି କାନସେଲିଂରେ ସାମିଲ ହେବେ ବୋଲି ଓଜେଇଇ ପକ୍ଷରୁ ଜଣାପଡିଛି। ତେବେ ଅଗଷ୍ଟ ୨୯ତାରିଖରେ କଟକ ଏସ୍ସିବି ଏବଂ ରାଉରକେଲା ହାଇଟେକ୍ ମେଡିକାଲ କଲେଜରେ ଏମ୍ବିବିଏସ୍ ପାଠ୍ୟକ୍ରମ ଲାଗି ଡକ୍ୟୁମେଣ୍ଟ ଯାଞ୍ଚ ପୂର୍ବାହ୍ଣ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ୩୦ତାରିଖରେ ବ୍ରହ୍ମପୁର ଏମ୍କେସିଜି ଏବଂ ଭୁବନେଶ୍ୱର ହାଇଟେକ୍ ମେଡିକାଲ କଲେଜରେ ପୂର୍ବାହ୍ଣ ୧୦ଟା୩୦ରୁ ୨ଟା୩୦ ପର୍ଯ୍ୟନ୍ତ ଏମ୍ବିବିଏସ୍ ପାଠ୍ୟକ୍ରମ ଲାଗି ଡକ୍ୟୁମେଣ୍ଟ ଯାଞ୍ଚ ହେବା ସହ ୨ଟା୩୦ରୁ ୩ଟା୩୦ ପର୍ଯ୍ୟନ୍ତ ଭୁବନେଶ୍ୱର ହାଇଟେକ୍ ମେଡିକାଲ କଲେଜରେ ମଧ୍ୟ ବିଡିଏସ୍ ଲାଗି ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ୩୧ତାରିଖରେ ଭିଏସ୍ଏସ୍, ବୁର୍ଲା,ରେ ଉଭୟ ଏମ୍ବିବିଏସ୍, ବିଡିଏସ୍ ଏବଂ କଟକ ସ୍ଥିତ ଡ୍ରିମ୍ସ ମେଡିକାଲ କଲେଜରେ କେବଳ ଏମ୍ବିବିଏସ୍ ଲାଗି ସାର୍ଟିଫିକେଟ୍ ଯାଞ୍ଚ କରାଯିବ। ସେପ୍ଟେମ୍ବର ୧ତାରିଖରେ କୋରାପୁଟ ଏସ୍ଏଲ୍ଏନ୍ ମେଡିକାଲ କଲେଜ, ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ରେ ଏମ୍ବିବିଏସ୍, ୨ତାରିଖରେ କଳାହାଣ୍ଡି ସରକାରୀ ମେଡିକାଲ କଲେଜ, ବାରିପଦା ପିଆର୍ଏମ୍ ମେଡିକାଲ କଲେଜ, ବଲାଙ୍ଗୀର ବିବି ମେଡିକାଲ କଲେଜରେ ଏମ୍ବିବିଏସ୍ ପାଠ୍ୟକ୍ରମ ଏବଂ ୩ତାରିଖରେ କେନ୍ଦୁଝର ସରକାରୀ ମେଡିକାଲ କଲେଜ, ବାଲେଶ୍ୱର ଏଫ୍ଏମ୍ ମେଡିକାଲ କଲେଜ ଏବଂ ପୁରୀ ଏସ୍ଜେ ମେଡିକାଲ କଲେଜରେ ଏମ୍ବିବିଏସ୍ ପାଠ୍ୟକ୍ରମ ଲାଗି ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ।










