ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରଥମ ଥର ପାଇଁ ଏପରି କିଛି ଘଟିବାକୁ ଯାଉଛି ଯାହା ସ୍ୱାଧୀନ ଭାରତ ଇତିହାସରେ କେବେ ଦେଖିବାକୁ ମିଳିନଥିଲା । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବେ ଆମ୍ ଆଦ୍ମୀ ପାର୍ଟି (ଆପ୍)କୁ ଅଭିଯୁକ୍ତ ଭାବେ ଦର୍ଶାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ସୂଚନାଯୋଗ୍ୟ, କୌଣସି ବ୍ୟକ୍ତି ବା ସଂସ୍ଥାକୁ ଅଭିଯୁକ୍ତ ଭାବେ ଚିତ୍ରଣ କରିବାର ଅନେକ ନଜିର ଆମ ଦେଶରେ ରହିଥିଲେ ମଧ୍ୟ ଇତିହାସରେ ପ୍ରଥମ ଥର ପାଇଁ ଦୁର୍ନୀତି ମାମଲାରେ ଏକ ରାଜନୈତିକ ଦଳକୁ ଅଭିଯୁକ୍ତ ଭାବେ ଦର୍ଶାଯିବ । ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାସୀନ ଆପ୍କୁ ଏବେ ଇଡି କାଠଗଡ଼ାକୁ ଟାଣିବାକୁ ଯାଉଛି ।
ରିପୋର୍ଟ ଅନୁସାରେ ଇଡି ପକ୍ଷରୁ ଆଜି ଅର୍ଥାତ୍ ମଙ୍ଗଳବାରଦ ଦିନ ଦିଲ୍ଲୀ ହାଇକୋର୍ଟଙ୍କୁ ଅବଗତ କରାଯାଇଛି । ଇଡି ନିଜ ଯୁକ୍ତିରେ ଦର୍ଶାଇଛି ଯେ, ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି, ଆପ୍ର ୩ ପ୍ରମୁଖ ନେତା ମନୀଷ ସିସୋଦିଆ, ସଞ୍ଜୟ ସିଂହ ଓ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନ୍ୟ କେତେକ ନେତାଙ୍କୁ ଗିରଫ କରିସାରିଛି । କେବଳ ସେତିକି ନୁହେଁ ଏହି ମାମଲାରେ ଆହୁରି କିଛି ଆପ୍ ନେତା ମଧ୍ୟ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି । ଏତଦ୍ବ୍ୟତୀତ ଦୁର୍ନୀତିରୁ ମିଳିଥିବା ଟଙ୍କାକୁ ଆପ୍ ନିଜ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ କରିଥିବାର ମଧ୍ୟ ପ୍ରମାଣ ମିଳିଛି । ତେଣୁ ସମ୍ପୂର୍ଣ୍ଣ ଆମ୍ ଆଦ୍ମୀ ପାର୍ଟିକୁ ଦିଲ୍ଲୀ ଅବକାରୀ ଦୁର୍ନୀତିରେ ଅଭିଯୁକ୍ତ ଭାବେ ଦର୍ଶାଯିବା ଉଚିତ୍ ବୋଲି ଇଡି ଯୁକ୍ତି ରଖିଛି ।
ଅନ୍ୟପକ୍ଷେ ଆପ ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ଆଜି ଦିଲ୍ଲୀ ହାଇକୋର୍ଟରେ ହୋଇଛି । ଏହାକୁ ବିରୋଧ କରି ଇଡି କହିଛି ଯେ ପୂରା ମାମଲାରେ ଗୋଟିଏ ଅତିରିକ୍ତ ଚାର୍ଜଶିଟ ତଦନ୍ତକାରୀ ସଂସ୍ଥା ଖୁବଶୀଘ୍ର ଦାଖଲ କରିବ । ଏଥିରେ ଅଭିଯୁକ୍ତ ଭାବେ ଆପ୍ର ନାଁ ରହିବ । ଅବକାରୀ ନୀତି ଦୁର୍ନୀତି ମାମଲାର ବିଚାରକୁ ବିଳମ୍ବିତ କରିବା ପାଇଁ ଅଭିଯୁକ୍ତମାନେ ନିୟମିତ ପ୍ରୟାସ କରି ଚାଲିଛନ୍ତି ବୋଲି ମଧ୍ୟ ଇଡି କହିଛି ।