ବୋଷ୍ଟନ୍: ଆମେରିକାର ବୋଷ୍ଟନ୍ରେ ଗୁରୁବାର ଏକ ଚଳନ୍ତା ଟ୍ରେନ୍ରେ ନିଆଁ ଲାଗିଯାଇଥିଲା । ଏହି ସୂଚନା ମିଳିବା ପରେ ଟ୍ରେନ୍ରେ ଥିବା ଯାତ୍ରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । କେତେକ ଯାତ୍ରୀ ଝରକାରୁ ଡେଇଁ ଜୀବନ ବଞ୍ଚାଇଥିଲେ । କେତେକ ଯାତ୍ରୀ ନଦୀକୁ ମଧ୍ୟ ଡେଇଁପଡ଼ିଥିଲେ । ଘଟଣା ସମୟରେ ଟ୍ରେନ୍ରେ ପ୍ରାୟ ୨୦୦ ଯାତ୍ରୀ ଥିଲେ । ମିଡିଆ ରିପୋର୍ଟ ଅନୁସାରେ ଟ୍ରେନ୍ ମିଷ୍ଟିକ୍ ନଦୀ ପୋଲ ଉପରେ ଯାଉଥିବା ବେଳେ ଏହାର ଇଞ୍ଜିନ୍ରେ ନିଆଁ ଲାଗିଯାଇଥିଲା ।
ଏହି ଟ୍ରେନ୍ ସୋମରଭିଲ୍ ଯାଉଥିଲା । ସାମ୍ନାକୁ ଆସିଥିବା ଏହି ଘଟଣାର ଭିଡିଓରେ ଯାତ୍ରୀମାନେ ତଳକୁ ଡେଇଁ ଜୀବନ ବଞ୍ଚାଉଥିବା ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ୍ ହେବା ପରେ ଶୁକ୍ରବାର ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ଜଣେ ମହିଳା ଯାତ୍ରୀଙ୍କ ଅନୁସାରେ, ଟ୍ରେନ୍ରେ ନିଆଁ ଲାଗିବା ପରେ କେତେକ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ଏହା ବହୁତ ଭୟାନକ ଥିଲା ବୋଲି ସେ କହିଛନ୍ତି । ଟ୍ରେନ୍ଟି ମାସାଚୁସେଟ୍ସ ବେ ଟ୍ରାନ୍ସପୋର୍ଟେସନ୍ ଅଥରିଟି (ଏମ୍ବିଟିଏ)ର ଥିବାବେଳେ ଟ୍ରେନ୍ ତଳେ ଥିବା ମେଟାଲ୍ ଶିଟ୍ ବିଜୁଳି ସମ୍ପର୍କରେ ଆସିବା ପରେ ଏଥିରେ ନିଆଁ ଲାଗିଥାଇପାରେ ବୋଲି ଏମ୍ବିଟିଏ ମ୍ୟାନେଜର ଆଶଙ୍କା ପ୍ରକାଶ କରିଛନ୍ତି । ଦୁର୍ଘଟଣା ପରେ ବିଦ୍ୟୁତ୍ ଯୋଗାଣ ବନ୍ଦ କରିଦିଆଯିବା ସହ ତଦନ୍ତ ପାଇଁ ଟ୍ରେନ୍କୁ ରେଳୟାର୍ଡ ଅଣାଯାଇଥିଲା । ନିଆଁ ଲାଗିବାର କାରଣ ସମ୍ପର୍କରେ ତଦନ୍ତ ଚାଲିଥିବା ବେଳେ ଦୁର୍ଘଟଣାରେ କେହି ହତାହତ ହୋଇନଥିବା ସେ କହିଛନ୍ତି ।