ନୂଆଦିଲ୍ଲୀ: କରୋନା ସଂକଟ ମଧ୍ୟରେ ମହାରାଷ୍ଟ୍ରର ହସ୍ପିଟାଲରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିବାରେ ଲାଗିଛି । ନାସିକର ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ ଲିକେଜ କାରଣରୁ ୨୨ କରୋନା ରୋଗୀଙ୍କ ମୃତ୍ୟୁ ମାମଲା ଥଣ୍ଡା ପଡିନଥିବା ବେଳେ ମୁମ୍ବାଇର ବିରାରସ୍ଥିତ ବିଜୟ ବଲ୍ଲଭ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଏଥିରେ ୧୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ।
ଅଗ୍ନିଶମ ବିଭାଗର ସୂଚନା ଅନୁସାରେ, ହସ୍ପିଟାଲରେ ଆଇସିୟୁରେ ୧୭ ରୋଗୀଙ୍କ ଚିକିତ୍ସା ଚାଲିଥିଲା । ସକାଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା । ତେବେ ସାଢେ ପାଂଚଟା ବେଳକୁ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ମିଳିଥିବା ସୂଚନା ମୁତାବକ, ବିଜୟ ବଲ୍ଲଭ ହସ୍ପିଟାଲର ରୋଗୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଆଲା ଅଧିକାରୀ ପହଂଚିଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୃତକଙ୍କ ପରିବାରକୁ ୨-୨ ଲକ୍ଷ ଟଙ୍କା ଓ ଆହତଙ୍କ ପରିବାରକୁ ୫୦-୫୦ ହଜାର ସହାୟତା ରାଶି ଘୋଷଣା କରାଯାଇଛି ।
ପ୍ରାଥମିକ ସୂଚନା ଅନୁସାରେ, ଆଇସିୟୁରେ ଏସି ବ୍ଲାଷ୍ଟ ପରେ ନିଆଁ ଲାଗିଛି । ରୋଗୀଙ୍କୁ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ।