ଜଗତସିଂହପୁର: ପାରାଦୀପରେ ପୁଣି ଅଘଟଣ ଘଟିଛି। ମାଛଧରା ବନ୍ଦରରେ ଏକ ବୋଟ୍ରେ ଭୟଙ୍କର ନିଆଁ ଲାଗିଛି। ବିଦ୍ୟୁତ୍ ସଟ୍ସର୍କିଟ୍ ଯୋଗୁଁ ବୋଟ୍ ‘ଦେବୀ ଲକ୍ଷ୍ମୀ’ରେ ନିଆଁ ଲାଗିଥିବା ସୂଚନା ମିଳିଛି। ଦେଖୁଦେଖୁ ବୋଟ୍ଟ୍ ହୁତୁହୁତୁ ହୋଇ ଜଳି ଯାଇଛି।ପାରାଦୀପ ବନ୍ଦରରେ ଆଜି ଅପରାହ୍ଣରେ ଏକ ବୋଟ୍ ‘ଦେବୀ ଲକ୍ଷ୍ମୀ’ରେ ହଠାତ୍ ନିଆଁ ଲାଗିଥିଲା। ସ୍ଥାନୀୟ ଲୋକେ ଅଗ୍ନିକାଣ୍ଡ ଦେଖି ଭୟଭୀତ ହୋଇଯାଇଥିଲେ। ନିଆଁର ଭୟାବହତା ଦେଖି ଚାରିଆଡ଼େ ଆତଙ୍କ ଖେଳିଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଚାରୋଟି ଅଗ୍ନିଶମ ବାହିନୀ ଗାଡ଼ି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲା। ଅଗ୍ନିଶମ ବାହିନୀର ତ୍ୱରିତ ପଦକ୍ଷେପ ଯୋଗୁଁ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଫଳରେ ନିଆଁ ଅନ୍ୟ ବୋଟକୁ ବ୍ୟାପିବାରୁ ରୋକାଯାଇପାରିଥିଲା।
ତେବେ ନିଆଁରେ ଦେବୀ ଲକ୍ଷ୍ମୀ ବୋଟ୍ଟି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବୋଟ୍ର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ପାରାଦୀପ ମାଛଧରା ବନ୍ଦରରେ ଘଟିଥିବା ଏହି ଅଗ୍ନିକାଣ୍ଡରେ କାହାରି ଜୀବନହାନି ହୋଇଛି କି ନାହିଁ, ସେନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ତେବେ ପ୍ରାଥମିକ ସୂଚନା ଅନୁସାରେ ବିଦ୍ୟୁତ୍ ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା କୁହାଯାଉଛି।ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ପାରାଦୀପ ବନ୍ଦର ଠାରୁ କିଛି କିଲୋମିଟର ଦୂରରେ ସିଙ୍ଗାପୁର ଯାଉଥିବା ଏକ ମାଲବୋଝେଇ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜାହାଜ ବୁଡ଼ିଯିବାରୁ ଅନେକ ଚୀନ୍ର ନାବିକ ନିଖୋଜ ଅଛନ୍ତି।










