ନୂଆଦିଲ୍ଲୀ : ଭୟଙ୍କର ବନ୍ୟାରେ ଛାରଖାର ନେପାଳ, ତଥାପି ବିଦେଶୀ ଉଦ୍ଧାରକାରୀ ଦଳକୁ ମନା ! ବନ୍ୟା ଓ ଭୂସ୍ଖଳନରେ ଚୀନ ସୀମା ନିକଟସ୍ଥ ଅନେକ ସହର ଓ ଗାଁ ପ୍ରଭାବିତ ହୋଇଥିବା ବେଳେ, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜୋରଦାର ହୋଇଛି । ଏହାରି ଭିତରେ ନେପାଳ ସରକାରଙ୍କ ଏକ ବଡ଼ ନିଷ୍ପତ୍ତି ଚର୍ଚ୍ଚାକୁ ଆସିଛି । ବନ୍ୟାରେ ମୃତ୍ୟୁସଂଖ୍ୟା ୪୭୨କୁ ବଢ଼ିଥିବା ବେଳେ, ୧୫୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଥିବା ଦାବି କରାଯାଇଛି। କାଦୁଅ ଓ ଭଗ୍ନାବଶେଷ ଭିତରେ ନିଖୋଜଙ୍କୁ ଖୋଜୁଛନ୍ତି ଉଦ୍ଧାରକାରୀ। ଏପଟେ ନୂଆ ଭାବେ ସୃଷ୍ଟି ହୋଇଥିବା ହ୍ରଦ ଆହୁରି ବନ୍ୟା ଆଶଙ୍କା ବଢ଼ାଇଛି।ଏଭଳି ଭୟଙ୍କର ସ୍ଥିତି ମଧ୍ୟରେ ଭାରତ, ଚୀନ, ଆମେରିକା, ବ୍ରିଟେନ, ଜାପାନ, ଦକ୍ଷିଣ କୋରିଆ, ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ଦେଶ ନେପାଳକୁ ନିଜ ଉଦ୍ଧାରକାରୀ ଦଳ ପଠାଇବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ନେପାଳ ଏହି ବିଦେଶୀ ଉଦ୍ଧାରକାରୀ ଦଳର ସହାୟତା ନେବାକୁ ମନା କରିଦେଇଛି।ନେପାଳ ସରକାରଙ୍କ କହିବା ଅନୁସାରେ, ଦେଶର ସେନା, ପୁଲିସ ଓ ଅନ୍ୟ ଘରୋଇ ସୁରକ୍ଷା ଏଜେନ୍ସିଗୁଡ଼ିକ ନିଜେ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ସମ୍ଭାଳିବାକୁ ସକ୍ଷମ। ତେଣୁ ବର୍ତ୍ତମାନ ବିଦେଶୀ ଉଦ୍ଧାରକାରୀ ଦଳର ଆବଶ୍ୟକତା ନାହିଁ ବୋଲି ସରକାର ସ୍ପଷ୍ଟ କରିଛି।










