ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ୍ର ଏଫ୍ଆଇଏଚ୍ ପ୍ରୋ ଲିଗ୍ ୨୦୨୩-୨୪ ସିଜନ୍ର ୟୁରୋପୀୟ ଚରଣରେ ପରାଜୟ ଧାରା ରହିଛି । ରବିବାର ବେଲ୍ଜିୟମ୍ର ଆଣ୍ଟୱେର୍ପରେ ଟିମ୍ ଖେଳିଥିବା ଚତୁର୍ଥ ମ୍ୟାଚ୍ରେ ଆର୍ଜେଣ୍ଟିନାଠାରୁ ୩-୦ ଗୋଲ୍ରେ ହାରିଯାଇଛି । ଆର୍ଜେଣ୍ଟିନା ପକ୍ଷରୁ ଗୋଲ୍ଗୁଡ଼ିକ ସେଲିନା ଡି ସାନ୍ତୋ (୩ୟ ମିନିଟ୍), ମାରିଆ କାମ୍ପୋୟ (୩୯ତମ ମିନିଟ୍) ଏବଂ ମାରିଆ ଗ୍ରାନାଟ୍ଟୋ (୪୭ତମ ମିନିଟ୍) ସ୍କୋର୍ କରିଥିଲେ । ଭାରତୀୟ ମହିଳା ଟିମ୍ ପୂର୍ବରୁ ଗୋଲ୍କିପର୍ ସବିତା ପୁନିଆଙ୍କ ନେତୃତ୍ୱରେ ଜାନୁଆରୀରେ ରାଞ୍ଚିରେ ଅନୁଷ୍ଠିତ ପ୍ୟାରିସ୍ ଅଲିମ୍ପିକ୍ କ୍ୱାଲିଫାୟର୍ସରେ ଚତୁର୍ଥ ସ୍ଥାନ ରହି ଅଲିମ୍ପିକ୍ ଯୋଗ୍ୟତା ହାସଲରେ ବିଫଳ ହୋଇଥିଲା । ଏହାର ଏକମାସ ପରେ ମୁଖ୍ୟ କୋଚ୍ ଜାନେକ୍ ଶୋପ୍ମ୍ୟାନ୍ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ନୂଆ କୋଚ୍ ହରେନ୍ଦ୍ର ସିଂହଙ୍କ ଏହା ପ୍ରଥମ ଟୁର୍ଣ୍ଣାମେଣ୍ଟ୍ ହୋଇଥିବା ବେଳେ ଟିମ୍ ଲଗାତାର ଚତୁର୍ଥ ପରାଜୟ ବରଣ କରିଛି । ସମାନ ପ୍ରତିଦ୍ୱନ୍ଦ୍ୱୀଠାରୁ ଭାରତ ମେ ୨୨ର ପ୍ରଥମ ମ୍ୟାଚ୍ରେ ୫-୦ରେ ପରାଜିତ ହୋଇଥିଲା । ଏହାପରେ ମେ ୨୩ ଓ ୨୫ରେ ଖେଳାଯାଇଥିବା ପରବର୍ତ୍ତୀ ଦୁଇଟି ମ୍ୟାଚ୍ରେ ଟିମ୍ ବେଲ୍ଜିୟମ୍ଠାରୁ ଯଥାକ୍ରମେ ୨-୦ ଓ ୨-୧ରେ ହାରିଥିଲା । ସିଜନ୍ରେ ଭାରତ ୧୨ଟି ମ୍ୟାଚ୍ର ୮ ପଏଣ୍ଟ୍ ନେଇ ସପ୍ତମ ସ୍ଥାନରେ ଥିବା ବେଳେ ଆର୍ଜେଣ୍ଟିନା ୨୬ ପଏଣ୍ଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଜୁନ୍ ୧ ତାରିଖରେ ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍ରେ ଲଣ୍ଡନରେ ଜର୍ମାନୀକୁ ଭେଟିବ ।