23.1 C
Bhubaneswar
Wednesday, January 15, 2025
Homeଖେଳଏଫ୍‌ଆଇଏଚ୍ ଜୁନିୟର ପୁରୁଷ ହକି ବିଶ୍ୱକପ୍‌; ସ୍ପେନ୍‌ଠାରୁ ୧-୪ ଗୋଲ୍‌ରେ ହାରିଲା ଭାରତ

ଏଫ୍‌ଆଇଏଚ୍ ଜୁନିୟର ପୁରୁଷ ହକି ବିଶ୍ୱକପ୍‌; ସ୍ପେନ୍‌ଠାରୁ ୧-୪ ଗୋଲ୍‌ରେ ହାରିଲା ଭାରତ

କ୍ୱାଲାଲମ୍ପୁର: ଏଠାରେ ଚାଲିଥିବା ଏଫ୍‌ଆଇଏଚ୍ ଜୁନିୟର୍ ପୁରୁଷ ହକି ବିଶ୍ୱକପ୍ ପୁଲ୍‌-ସି’ରେ ନିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ସ୍ପେନ୍‌ଠାରୁ ୧-୪ ଗୋଲ୍‌ରେ ପରାଜିତ ହୋଇଛି । ସ୍ପେନ୍ ଦୁଇଟି ବିଜୟ ସହ ପୁଲ୍‌-ସି’ରେ ଛଅ ପଏଣ୍ଟ ପାଇ ଆଗୁଆ ରହିଥିବା ବେଳେ କୋରିଆ ଗୋଲ୍ ବ୍ୟବଧାନରେ ଭାରତଠାରୁ ଆଗରେ ରହିଛି । ଉଭୟ ଦଳ ତିନି ପଏଣ୍ଟ ଲେଖାଏଁ ପାଇଛନ୍ତି । ପୁଲ୍‌ର ଚତୁର୍ଥ ଦଳ କାନାଡ଼ା ଦୁଇଟି ପରାଜୟ ପରେ ଏପର୍ଯ୍ୟନ୍ତ ଖାତା ଖୋଲି ନାହିଁ । ଶନିବାର ଭାରତ ତା’ର ଶେଷ ପୁଲ୍ ମ୍ୟାଚ୍ କାନାଡା ବିପକ୍ଷରେ ଖେଳିବ ।

କେବ୍ରେ ଭର୍ଡିଏଲ୍ ପୋଲ୍ (୧ ମନିଟ୍‌, ୪୧ ମିନିଟ୍‌) ଏବଂ ରଫି ଆଣ୍ଡ୍ରିଆସ୍ (୧୮ ଓ ୬୦ ମିନିଟ୍‌) ସ୍ପେନ୍ ପକ୍ଷରୁ ଚାରିଟି ଯାକ ଗୋଲ୍ ସ୍କୋର୍ କରିଥିଲେ । ଅନ୍ୟପକ୍ଷରେ ୩୩ତମ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣର୍‌ରୁ ରୋହିତ ଭାରତ ପାଇଁ ସାନ୍ତ୍ୱନାମୂଳକ ଗୋଲ୍‌ଟି କରିଥିଲେ । ଟୁର୍ଣ୍ଣାମେଣ୍ଟ୍‌ରେ ନିଜର ପ୍ରଥମ ମ୍ୟାଚ୍‌ରେ କୋରିଆକୁ ୪-୨ ଗୋଲ୍‌ରେ ହରାଇ ଆତ୍ମବିଶ୍ୱାସ ସହ ଗୁରୁବାର ପଡ଼ିଆକୁ ଓହ୍ଲାଇଥିବା ୨୦୧୬ ଜୁନିୟର୍ ବିଶ୍ୱକପ୍ ବିଜେତା ଭାରତୀୟ ଦଳକୁ ୫୧ତମ ସେକେଣ୍ଡ୍‌ରେ କାବ୍ରେ ସ୍ତବ୍ଧ କରିଦେଇଥିଲେ । ଭାରତୀୟ ଗୋଲ୍‌କିପର୍‌ଙ୍କ ସାମ୍ନାରୁ ଏକ ସୁନ୍ଦର ଡିଫ୍ଲେକ୍‌ସନ୍ ଜରିଆରେ ଗୋଲ୍ କରି ଏହି ଫର୍‌ୱାର୍ଡ ଖେଳାଳି ସ୍ପେନ୍‌କୁ ପ୍ରାରମ୍ଭିକ ଅଗ୍ରଣୀ ପ୍ରଦାନ କରିଥିଲେ । ଏହି ଧକ୍କା ପରେ ଭାରତ ମିଡ୍‌ଫିଲ୍ଡର୍‌ଙ୍କ ରୋଟେଟ୍ କରାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସ୍ପେନ୍ ଡିଫେନ୍ସକୁ ଭେଦ କରିବାରେ ବିଫଳ ହୋଇଥିଲା ।

ଉତ୍ତମ ସିଂହଙ୍କ ନେତୃତ୍ୱାଧୀନ ଦଳ କେତେକ ଥର ସର୍କଲ୍ ଭେଦ କରିବାରେ ସଫଳ ହୋଇଥିଲେ ମଧ୍ୟ ସ୍ଥିତି ସମାନ କରିପାରି ନଥିଲା । ଭାରତ ଗୋଲ୍ ସୁଯୋଗ ଅପେକ୍ଷା ଥିବାବେଳେ କ୍ୟାପ୍‌ଟେନ୍ ରଫି ଆଣ୍ଡ୍ରିଆସ୍ ପେନାଲ୍ଟି କର୍ଣ୍ଣର୍‌ରୁ ଏକ ଶକ୍ତିଶାଳୀ ଡ୍ରାଗ୍ ଫ୍ଲିକ୍ ଜରିଆରେ ସ୍ପେନ୍‌କୁ ୨-୦ରେ ଅଗ୍ରଣୀ କରାଇଥିଲେ । ୩୩ତମ ମିନିଟ୍‌ରେ ଭାରତ ଦୁଇଟି ପେନାଲ୍ଟି କର୍ଣ୍ଣର୍ ସୁଯୋଗ ହରାଇବା ପରେ ରୋହିତ ତୃତୀୟଟିକୁ ଗୋଲ୍‌ରେ ପରିଣତ କରି ସ୍କୋର୍‌ଲାଇନ୍ ୧-୨ କରିଥିଲେ । ତେବେ ଏହି ଖୁସି କିଛି ସମୟ ପରେ ମଉଳି ଯାଇଥିଲା । କାବ୍ରେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍ ସ୍କୋର୍‌କରି ବ୍ୟବଧାନକୁ ୩-୧ କରିଥିଲେ ।

ଇତିମଧ୍ୟରେ ସ୍ପେନ୍ ଗୋଲ୍‌ରକ୍ଷକ କାପେଲାଡେସ୍ ଜାନ୍ ଭାରତୀୟ ଫରୱାର୍ଡଙ୍କ ୩-୪ ନିଶ୍ଚିତ ଗୋଲ୍ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ୫୫ ମିନିଟ୍‌ରୁ ୫୭ ମିନିଟ୍ ମଧ୍ୟରେ ଭାରତକୁ ତିନିଟି ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ କାପେଲାଡେସ୍ ନିଜ ଶରୀରର ବଳରେ ଏହାକୁ ରୋକିଦେଇଥିଲେ । ଶେଷ ମୁହୂର୍ତ୍ତରେ ସ୍ପେନ୍‌କୁ ମିଳିଥିବା ପେନାଲ୍ଟି ଷ୍ଟ୍ରୋକ୍‌କୁ ଗୋଲ୍‌ପୋଷ୍ଟ୍ ମଧ୍ୟକୁ ପଠାଇ କ୍ୟାପ୍‌ଟେନ୍ ଆଣ୍ଡ୍ରିଆସ୍ ସ୍ପେନ୍‌କୁ ୪-୨ରେ ବିଜୟୀ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking