25.1 C
Bhubaneswar
Friday, December 27, 2024
Homeଖେଳଫିଫା ମହିଳା ବିଶ୍ୱକପ୍‌: ନାଇଜେରିଆ ବିଜୟୀ, ପର୍ତ୍ତୁଗାଲ୍‌ର ଐତିହାସିକ ବିଜୟ

ଫିଫା ମହିଳା ବିଶ୍ୱକପ୍‌: ନାଇଜେରିଆ ବିଜୟୀ, ପର୍ତ୍ତୁଗାଲ୍‌ର ଐତିହାସିକ ବିଜୟ

ହାମିଲଟନ: ଚଳିତ ମହିଳା ଫିଫା ବିଶ୍ୱକପ୍‌ରେ ଗୁରୁବାର ଖେଳାଯାଇଥିବା ୩ଟି ମ୍ୟାଚ୍ ମଧ୍ୟରୁ ପର୍ତ୍ତୁଗାଲ୍ ଭିଏତ୍‌ନାମ ବିପକ୍ଷରେ ୨-୦ ଗୋଲ୍‌ରେ ବିଜୟୀ ହୋଇ ଐତିହାସିକ ସଫଳତା ପାଇଛି । ହାମିଲଟନ୍‌ର ଏଫ୍‌ଏମ୍‌ଜି ଷ୍ଟାଡିୟମ୍ ୱାଇକାଟୋଠାରେ ଖେଳାଯାଇଥିବା ଉକ୍ତ ମ୍ୟାଚ୍‌ରେ ଟେଲ୍‌ମା ଏନ୍‌କାର୍ନାକାଓ ଓ ଫ୍ରାନ୍‌ସିସ୍‌କା ନାଜାରେଥ୍‌ଙ୍କ ଗୋଲ୍ ମାଧ୍ୟମରେ ବିଶ୍ୱକପ୍‌ରେ ପ୍ରଥମ ବିଜୟ ଅର୍ଜନ କରିଛି । ଏଥିସହ ଗ୍ରୁପ୍‌-ଇ’ରେ ଦଳ ମୋଟ ୩ ପଏଣ୍ଟ୍ ସହ ଆମେରିକା (୪ ପଏଣ୍ଟ୍‌) ଓ ନେଦରଲାଣ୍ଡ୍‌ସ (୪ ପଏଣ୍ଟ୍‌) ପରେ ତୃତୀୟ ସ୍ଥାନରେ ରହିଛି । ମ୍ୟାଚ୍‌ର ସପ୍ତମ ମିନିଟ୍‌ରେ ଟେଲ୍‌ମା ଓ ୨୧ତମ ମିନିଟ୍‌ରେ ଫ୍ରୋନ୍‌ସିସ୍କା ଗୋଲ୍ ସ୍କୋର୍ କରିଥିଲେ । ଦ୍ୱିତୀୟ ପରାଜୟ ସହ ଚଳିତ ବିଶ୍ୱକପ୍‌ର ଅନ୍ୟତମ ଡେବ୍ୟୁଟାଣ୍ଟ୍ ଭିଏତ୍‌ନାମ ଗ୍ରୁପ୍‌ରେ ଅନ୍ତିମ ସ୍ଥାନରେ ରହି ପ୍ରତିଯୋଗିତାରୁ ବିଦାୟ ନେଇଛି । ପାଖାପାଖି ୫ ମାସ ତଳେ ସମାନ ଷ୍ଟାଡିୟମ୍‌ରେ ପର୍ତ୍ତୁଗାଲ୍ କାମେରୁନ୍‌କୁ ୨-୧ରେ ପରାସ୍ତ କରି ବିଶ୍ୱକପ୍ ସକାଶେ ଯୋଗ୍ୟତା ପାଇଥିଲା । ଗୁରୁବାରର ବିଜୟ ପରେ ଦଳ ପ୍ରିକ୍ୱାର୍ଟର୍ ଫାଇନାଲ୍‌କୁ ଉନ୍ନୀତ ହେବାର ସମ୍ଭାବନାକୁ କାଏମ ରଖିଛି । ଦଳ ମଙ୍ଗଳବାର ଅନ୍ତିମ ଲିଗ୍ ମ୍ୟାଚ୍‌ରେ ଇଡେନ୍ ପାର୍କଟଠାରେ ଆମେରିକାକୁ ଭେଟିବ ।

ବ୍ରିସ୍‌ବେନ୍‌ର ସନ୍‌କର୍ପ ଷ୍ଟାଡିୟମ୍‌ଠାରେ ଖେଳାଯାଇଥିବା ଗ୍ରୁପ୍‌-ବି’ର ଏକ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ନାଇଜେରିଆଠାରୁ ୨-୩ରେ ପରାସ୍ତ ହୋଇଛି । ନାଇଜେରିଆ ପକ୍ଷରୁ ୪୫+୬ଷ୍ଠ ମିନିଟ୍‌ରେ ଉଚେନା କାନୁ, ୬୫ତମ ମିନିଟ୍‌ରେ ଓସିନାଚି ଚାଲେ ଓ ୭୨ତମ ମିନିଟ୍‌ରେ ଆସିସାତ୍ ଓସୋଆଲା ଗୋଲ୍ ଦେଇଥିଲେ । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପାଇଁ ୪୫+୧ମ ମିନିଟ୍‌ରେ ଏମିଲି ଭାନ୍ ଏଗ୍‌ମଣ୍ଡ୍ ଓ ୯୦+୧୦ମ ମିନିଟ୍‌ରେ ଆଲାନା କେନେଡି ଗୋଲ୍ ସ୍କୋର୍ କରିଥିଲେ । ପ୍ରଥମ ବିଜୟ ସହ ନାଇଜେରିଆ ଗ୍ରୁପ୍‌ର ଶୀର୍ଷ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୩ ପଏଣ୍ଟ୍ ସହ ତୃତୀୟ ସ୍ଥାନରେ ରହିଛି । ଗ୍ରୁପ୍‌-ଇ’ର ଅନ୍ୟ ଏକ ମ୍ୟାଚ୍‌ରେ ୱେଲିଂଟନ୍‌ର ରିଜିଓନାଲ୍ ଷ୍ଟାଡିୟମ୍‌ଠାରେ ନେଦରଲାଣ୍ଡ୍‌ସ ବିପକ୍ଷ ମୁକାବିଲାରେ ଆମେରିକା ପଏଣ୍ଟ୍ ଭାଗ କରିଛି । ସପ୍ତଦଶ ମିନିଟ୍‌ରେ ଜିଲ୍ ରୁର୍ଡ ନେଦରଲାଣ୍ଡ୍‌ସ ପାଇଁ ଓ ୬୨ତମ ମିନିଟ୍‌ରେ ଲିଣ୍ଡସେ ହୋରାନ୍ ଆମେରିକା ପାଇଁ ଗୋଲ୍ ସ୍କୋର୍ କରିଥିଲେ । ପରେ ଆଉ କୌଣସି ଗୋଲ୍ ନ ହେବା ଫଳରେ ମ୍ୟାଚ୍‌ଟି ୧-୧ରେ ଅମୀମାଂସିତ ଭାବେ ଶେଷ ହୋଇଥିଲା । ୪ ପଏଣ୍ଟ୍ ସହ ଆମେରିକା ଶୀର୍ଷରେ ଓ ସମାନ ପଏଣ୍ଟ୍ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ପଛୁଆ ଥିବାରୁ ନେଦରଲାଣ୍ଡ୍‌ସ ଦ୍ୱିତୀୟ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking