28.1 C
Bhubaneswar
Tuesday, July 2, 2024
Homeଓଡିଶାମହିଳା କ୍ରିକେଟର୍‌ ରାଜଶ୍ରୀ ମୃତ୍ୟୁ ମାମଲା: ସୁଇସାଇଡ୍‌ ନୋଟ ବଢ଼ାଇଲା ଚର୍ଚ୍ଚା....

ମହିଳା କ୍ରିକେଟର୍‌ ରାଜଶ୍ରୀ ମୃତ୍ୟୁ ମାମଲା: ସୁଇସାଇଡ୍‌ ନୋଟ ବଢ଼ାଇଲା ଚର୍ଚ୍ଚା….

କଟକ: ଚୂଡ଼ାନ୍ତ ଚୟନ ପ୍ରକ୍ରିୟାରେ ଓଡ଼ିଶା ମହିଳା କ୍ରିକେଟ୍‌ ଟିମ୍‌ର ୧୬ ଜଣିଆ ଦଳରୁ ବାଦ୍‌ ପଡ଼ିବା ପରେ ହୋଟେଲ୍‌ ରୁମ୍‌ରୁ ରହସ୍ୟଜନକ ଭାବେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ଉଦୀୟମାନ ମହିଳା କ୍ରିକେଟର୍‌ ରାଜଶ୍ରୀ ସ୍ୱାଇଁ (୨୬) । ସାଥୀ ଖେଳାଳି ଓ ସାନ ଭଉଣୀଙ୍କ ସହ ନିଜ ଦୁଃଖ, ଅବସୋସ ବାଣ୍ଟିବା ପରେ ସୁଇଚ୍‌ଡ୍‌ ଅଫ୍‌ ହୋଇଯାଇଥିଲା ତାଙ୍କ ମୋବଇଲ୍‌ ଫୋନ୍‌ । ୧୧ ତାରିଖ ସକାଳୁ ନିଖୋଜ ହୋଇଯାଇଥିବା ଏହି ଅଲ୍‌ରାଉଣ୍ଡର୍‌ କ୍ରିକେଟର୍‌ଙ୍କୁ ନେଇ ତାଙ୍କ ପରିବାର ସଦସ୍ୟ ଏବଂ ସାଥୀ ଖେଳାଳିମାନେ ଗଲା ଦୁଇ ଦିନ ହେଲାଣି ଆଶଙ୍କାରେ ଘାରି ହେଉଥିବା ବେଳେ, ଶୁକ୍ରବାର ତାଙ୍କ ଝୁଲନ୍ତା ଶବ ଆଠଗଡ଼ ବନଖଣ୍ଡ କପୁରୀସିଂ ବ୍ରାହ୍ମଣବସ୍ତ ସୁବାସି ଜଙ୍ଗଲରୁ ମିଳିଥିଲା ।

ତାଙ୍କ ମୃତଦେହ ଏକ ଲୁଗାରେ ଗଛରେ ଝୁଲୁଥିବା ବେଳେ କଟକ ପୁଲିସ ମୃତଦେହ ଉଦ୍ଧାର କରିଛି । ତେବେ ଶବ ମିଳିଥିବା ସ୍ଥାନ, ପାରିପାଶ୍ୱର୍ିକ ସ୍ଥିତି, ପରିବେଶ ଏବଂ ମୃତ ରାଜଶ୍ରୀଙ୍କ ମୁହଁ ଓ ଶରୀରରେ ହୋଇଥିବା ଏକାଧିକ କ୍ଷତ ଚିହ୍ନକୁ ନେଇ ଏହି ମୃତ୍ୟୁ ଘଟଣା ସଂପୂର୍ଣ୍ଣ ରହସ୍ୟମୟ ମନେହେଉଛି । ଏହା ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ଆତ୍ମହତ୍ୟା ଥିଓରିକୁ କିନ୍ତୁ ପରିବାର ଲୋକେ ଏବଂ ସାଥୀ ଖେଳାଳିମାନେ ବିଶ୍ୱାସ କରୁନାହାନ୍ତି । ବରଂ ସନ୍ଦେହ ପ୍ରକଟ କରିଛନ୍ତି ।

ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଗଡ଼ବାଙ୍ଗର ପଞ୍ଚାୟତ ଅନ୍ତର୍ଗତ ଭୂଆଁ ଅଞ୍ଚଳର ଗୁଣନିଧି ସ୍ୱାଇଁଙ୍କ ବଡ଼ ଝିଅ ରାଜଶ୍ରୀଙ୍କ ମୃତଦେହ ଗୁରୁଡ଼ିଝାଟିଆ ଥାନାର ଏଭଳି ଏକ ଜଙ୍ଗଲ ଇଲାକାରୁ ଠାବ ହେବା ପରେ ଏହାକୁ ନେଇ ରାଜ୍ୟରେ କ୍ରୀଡ଼ାବିତ୍‌ଙ୍କଠାରୁ ଆରମ୍ଭ କରି କ୍ରିକେଟ୍‌ ସଂଗଠକଙ୍କ ଭିତରେ ବି ଦ୍ୱନ୍ଦ୍ୱ, ସଂଶୟ ଦେଖା ଦେଇଛି । ଚୟନ ପ୍ରକ୍ରିୟାକୁ ନେଇ ମୃତ ଖେଳାଳିଙ୍କ ମନରେ ଯଦି କ୍ଷୋଭ, ଅବସୋସ ଥିଲା ଏବଂ ସେ ମାନସିକ ଚାପ ବା ମନସ୍ତାପରେ ଥିଲେ, ତେବେ ଏହା ଏକ ଗୁରୁତର ପ୍ରସଂଗ ବୋଲି ଅନେକ ପୂର୍ବତନ କ୍ରିକେଟ୍‌ ଖେଳାଳି କହିଛନ୍ତି । ଏ ବାବଦରେ ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ଅନେକ ମତ ଦେଇଛନ୍ତି ।

ଦୁଇ ଦିନ ତଳୁ ନିଖୋଜ ଥିବା ରାଜଶ୍ରୀଙ୍କ ସ୍କୁଟି ଓ ହେଲମେଟ୍‌ ଗତକାଲି ଜଙ୍ଗଲରୁ ମିଳିଥିଲା । ଆଜି ଗାଡ଼ି ମିଳିଥିବା ସ୍ଥାନଠାରୁ ୫ଶହ ମିଟର ଦୂରରେ ଝୁଲନ୍ତା ମୃତଦେହ ଠାବ ହୋଇଥିଲା । ମୃତ ଦେହ ଜଙ୍ଗଲରେ ଝୁଲୁଥିବା ଖବର ପାଇ ଚୌଦ୍ୱାର ଏସଡିପିଓ ସତ୍ୟବ୍ରତ ଲେଙ୍କା, ଗୁରୁଡିଝାଟିଆ ଆଇଆଇସି ରଞ୍ଜନ କୁମାର ପ୍ରଧାନ, ମଙ୍ଗଳାବାଗ ଥାନାଧିକାରୀ ସୁଧାଂଶୁ ଜେନା, ଆଠଗଡ ତହସିଲଦାର ପ୍ରିୟବ୍ରତ ଦାସ ପ୍ରମୁଖ ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗୁରୁଡ଼ିଝାଟିଆ ଥାନା ପୁଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସହାୟତା ନେଇ ରାଜଶ୍ରୀଙ୍କ ମୃତଦେହ ଉଦ୍ଧାର କରାଯିବା ମଧ୍ୟରେ ତାଙ୍କ ପ୍ୟାଣ୍ଟ୍‌ ପକେଟ୍‌ରୁ ମୋବାଇଲ୍‌, ଏଟିଏମ୍‌ କାର୍ଡ, ଗାଡ଼ି ଚାବି ମିଳିଛି । ଉକ୍ତ ଚାବିକୁ ନେଇ ରାଜଶ୍ରୀଙ୍କ ଆକ୍ଟିଭା ଗାଡ଼ି ଡିକି ଖୋଲିବା ପରେ ସେଥିରୁ ଏକ ହାତ ଲେଖା କାଗଜ ଏବଂ ପେନ୍‌ ଜବତ କରାଯାଇଛି । ହାତ ଲେଖା କାଗଜଟି ସୁଇସାଇଡ୍‌ ନୋଟ୍‌ ବୋଲି ଚର୍ଚ୍ଚା ହେଉଛି । ମାତ୍ର ଏହାକୁ ନେଇ ତାଙ୍କ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି । ଏଥିରେ ଖେଳାଳି ଚୟନକୁ ନେଇ ରାଜଶ୍ରୀ ନିଜର ଅସନ୍ତୋଷ ସମ୍ପର୍କରେ ଲେଖିଥିବା ଶୁଣିବାକୁ ମିଳିଛି । ମାତ୍ର ତାହା ରାଜଶ୍ରୀଙ୍କ ହାତଲେଖା କି ନାହିଁ ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଚଳାଇଛି । ହାଣ୍ଡ୍‌ରାଇଟିଂ ଯାଞ୍ଚ୍‌ ହେବା ପରେ ସୁଇସାଇଡ୍‌ ନୋଟ୍‌ କଥା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।

ଅନ୍ୟପକ୍ଷରେ ମୃତଦେହ ମିଳିଥିବା ସ୍ଥାନ ଏବଂ ପାରିପାର୍ଶ୍ବିକ ସ୍ଥିତି ଦେଖିବା ପରେ ରାଜଶ୍ରୀଙ୍କୁ କେହି ମାରି ଟାଙ୍ଗି ଦେଇଥିବା ପରିବାର ଲୋକଙ୍କ ସମେତ ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି । ତାଙ୍କର ଦୁଇ ପଟ ଚପଲ ମଧ୍ୟରୁ ଗୋଟିଏ ଚପଲ ଅନ୍ୟତ୍ର ପଡ଼ିଥିବା ବେଳେ ତାଙ୍କ ମୁଣ୍ଡ, ଆଖି ଏବଂ ହାତ ସମେତ ଶରୀରର ଅନ୍ୟ କିଛି ସ୍ଥାନରେ କ୍ଷତ ସ୍ଥାନ ଥିବା ଦେଖିବାକୁ ମିଳିଛି । ରାଜଶ୍ରୀଙ୍କ ମୃତଦେହ ଯେଉଁଠି ମିଳିଛି ସେଠାରେ ସ୍ଥାନୀୟ ଲୋକେ ମଧ୍ୟ ଚଳପ୍ରଚଳ କରିବାକୁ ଭୟ କରନ୍ତି ବୋଲି କହିଛନ୍ତି । ଉକ୍ତ ଜଙ୍ଗଲିଆ ଅଞ୍ଚଳରେ ହାତୀ ଚଳାଚଳ କରୁଥିବାରୁ ସ୍ଥାନୀୟ ଲୋକଙ୍କର ଏଠାରେ ପାଦ ପଡୁନଥିବା ବେଳେ ଏହି ଅପରିଚିତ ଏବଂ ଅପହଞ୍ଚ ଜାଗାରେ କିପରି ରାଜଶ୍ରୀ ଆସି ପହଞ୍ଚିଲେ ତାହା ରହସ୍ୟମୟ ମନେହେଉଛି । ଏସବୁ ପାରିପାର୍ଶ୍ବିକ ସ୍ଥିତି ଏବଂ ଘଟଣାକୁ ଦେଖିବା ପରେ ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଗୁଣନିଧି ଓ ମା’ ସଞ୍ଜୁକ୍ତା ସ୍ୱାଇଁ ଅଭିଯୋଗ କରିଛନ୍ତି । ରାଜଶ୍ରୀଙ୍କ ମା’ ଅଭିଯୋଗ କରିଛନ୍ତି, ମୋ ଝିଅ ବହୁତ ଭଲ ଖେଳୁଥିଲା । ତାର ନାଁକୁ ୧୬ ଜଣିଆ ଦଳରୁ ମନଇଚ୍ଛା କାଟି, ଥିଲାବାଲା ଘର ଖେଳାଳିଙ୍କୁ ତାଲିକାରେ ରଖିଛନ୍ତି । ଏଥିପାଇଁ ମୋ ଝିଅ ଦୁଃଖରେ ବହୁତ ଭାଙ୍ଗି ପଡ଼ିଥିଲା । ୧୧ ତାରିଖ ଦିନ ଏକଥା ରାଜଶ୍ରୀ ତା ସାଙ୍ଗଙ୍କୁ ଜଣାଇବା ସହ ସାନଭଉଣୀ ଜୟଶ୍ରୀଙ୍କୁ କାନ୍ଦିକାନ୍ଦି ମଧ୍ୟ ଜଣାଇଥିଲା । ମୋ ଝିଅକୁ ଅପମାନିତ କରିବା ଭଳି କାମ ହୋଇଥିଲା । ତାକୁ ଜାଣିଶୁଣି ହଟାଇବା ପାଇଁ କେହି ଷଡ଼ଯନ୍ତ୍ର କରି ଜଙ୍ଗଲକୁ ଡାକି ନେଇ ଏଠାରେ ମାରି ଦେଇ ଗଛରେ ଟାଙ୍ଗି ଦେଇଛନ୍ତି ବୋଲି ସଞ୍ଜୁକ୍ତା ଅଭିଯୋଗ କରିଛନ୍ତି । ରାଜଶ୍ରୀଙ୍କ ମୃତ୍ୟୁ ପଛରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ)ର ମହିଳା ଖେଳାଳିଙ୍କ ଚୟନ ଏବଂ ଖେଳ ଦାୟିତ୍ୱରେ ଥିବା କର୍ମକର୍ତ୍ତା ଦାୟୀ ବୋଲି ରାଜଶ୍ରୀଙ୍କ ସାନ ଭଉଣୀ ଜୟଶ୍ରୀ ମଧ୍ୟ ଅଭିଯୋଗ କରିଛନ୍ତି । ତାଙ୍କ ବାପା ମଧ୍ୟ ଗଣମାଧ୍ୟମକୁ କହିଛନ୍ତି କି’ କେହି ମାରି ଟାଙ୍ଗିଦେଇଛି ।

ରାଜଶ୍ରୀଙ୍କ ନିଖୋଜ ଘଟଣା ନେଇ ମଙ୍ଗଳାବାଗ ଥାନା ପୁଲିସ ପୂର୍ବରୁ ଏକ ନିଖୋଜ ମାମଲା ରୁଜୁ କରିଥିବା ବେଳେ ମୃତଦେହ ଗୁରୁଡ଼ିଝାଟିଆ ଥାନା ଅଞ୍ଚଳରେ ଜବତ ହୋଇଥିବାରୁ ଆଇନଗତ ଦିଗକୁ ଦୃଷ୍ଟିରେ ରଖି ଉକ୍ତ ଥାନା ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏସ୍‌ସିବିରେ ଶବ ବ୍ୟବଚ୍ଛେଦ ହେବା ପରେ ପୁଲିସ ମୃତକଙ୍କ ପରିବାର ଲୋକଙ୍କୁ ମୃତଦେହ ଜିମା ଦେଇଛି । ରାଜଶ୍ରୀଙ୍କ ଶେଷକୃତ୍ୟ ପାଇଁ ପରିବାର ଲୋକେ ମୃତଦେହକୁ ନେଇ ପୁରୀ ସ୍ୱର୍ଗଦ୍ୱାର ଯାଇଛନ୍ତି । ରାଜଶ୍ରୀଙ୍କ ମୃତ୍ୟୁ ସମ୍ପର୍କରେ କଟକ ଡିସିପି ପିନାକ ମିଶ୍ର କହିଛନ୍ତି କି’ ମୃତ ଖେଳାଳିଙ୍କ ପରିବାର ଲୋକେ ଯାହା ଅଭିଯୋଗ କରିଛନ୍ତି ତାହାକୁ ଆଧାର କରି ଆମେ ତଦନ୍ତ କରିବୁ ।

ଉଭୟ ବ୍ୟାଟିଂ ଏବଂ ବୋଲିଂରେ ରାଜଶ୍ରୀ ନିଜର ଦକ୍ଷତା ପ୍ରଦର୍ଶନ କରି ଓଡ଼ିଶା ମହିଳା କିକ୍ରେଟ୍‌ରେ ଜଣେ ଚର୍ଚ୍ଚିତ ଅଲରାଉଣ୍ଡର୍‌ ଖେଳାଳି ଥିଲେ । ନିଜ ଘର ପୁରୀ ଜିଲ୍ଲା ଅଞ୍ଚଳରେ ହୋଇଥିଲେ ହେଁ କଟକ ସହରରେ ଭଡ଼ାରେ ରହି ଖେଳ ଅଭ୍ୟାସ କରିବା ସାଙ୍ଗକୁ ଓଡ଼ିଶା ମହିଳା କ୍ରିକେଟ୍‌ର ଏକଦିବସୀୟ ଟିମ୍‌ରେ ରହି ଖେଳିବାର ସୁଯୋଗ ପାଇଥିଲେ । ଗତବର୍ଷ ତାଙ୍କୁ ‘ଟି-୨୦’ ଚୟନରୁ ଉଦ୍ଦେଶ୍ୟମୂଳକ ଭାବେ ବାଦ୍‌ ଦିଆଯାଇଥିଲା ବୋଲି ତାଙ୍କର କିଛି ସାଙ୍ଗ କହିଛନ୍ତି । ଏବେ ମଧ୍ୟ ଏକ ଦିବସୀୟ ଟିମ୍‌ ଚୟନରେ ରାଜଶ୍ରୀଙ୍କୁ ଜାଣିଶୁଣି ବାଦ୍‌ ଦିଆଯାଇଥିବା ତାଙ୍କ ଭଉଣୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଓସିଏ ଅଧିକାରୀ ସୁବ୍ରତ ବେହେରା କହିଛନ୍ତି, ଖେଳାଳି ଚୟନରେ କୌଣସି ଅନିୟମିତତା ହୋଇନାହିଁ । ସବୁକିଛି ସ୍ୱଚ୍ଛ ଉପାୟରେ ହେଉଛି । ଉଲ୍ଲେଖ ଥାଉ କି, ଓସିଏ ପକ୍ଷରୁ ସିନିୟର ମହିଳା ଟିମ୍‌ ଚୟନ ଲାଗି ଡିସେମ୍ବର ୨୩ରୁ ଜାନୁଆରୀ ୧୦ ପର୍ଯ୍ୟନ୍ତ ଏକ ପ୍ରଶିକ୍ଷଣ ଶିବିର ଚାଲିଥିଲା ।

ଏଥିଲାଗି ସମ୍ପୃକ୍ତ ମହିଳା କ୍ରିକେଟର୍‌ମାନେ ଓସିଏ ତତ୍ତ୍ୱାବଧାନରେ ବଜ୍ରକବାଟିସ୍ଥିତ ଏକ ହୋଟେଲ୍‌ରେ ରହୁଥିଲେ । ୩୯ ଜଣ ମହିଳା କ୍ରିକେଟିୟରଙ୍କୁ ନେଇ ଚାଲିଥିବା ଉକ୍ତ ଶିବିରରେ ରାଜଶ୍ରୀ ମଧ୍ୟ ସାମିଲ୍‌ ଥିଲେ । ପ୍ରଥମ ପର୍ଯ୍ୟାୟ ଚୟନରେ ୨୬ ଜଣ ଖେଳାଳିଙ୍କୁ ନିଆଯାଇ ପ୍ରଶିକ୍ଷଣ ଚାଲିଥିଲା । ଏଥିରେ ରାଜଶ୍ରୀ ମଧ୍ୟ ସାମିଲ୍‌ ଥିଲେ । ଦ୍ୱିତୀୟ ପର୍ଯ୍ୟାୟ ଚୟନରେ ୧୬ ଜଣିଆ ଟିମ୍‌ରୁ ରାଜଶ୍ରୀ ବାଦ୍‌ ପଡ଼ିଥିଲେ । ୧୧ ତାରିଖ ଦିନ ନୋଟିସ୍‌ ବାହାରିବା ପରେ ରାଜଶ୍ରୀ ନିଜ ହୋଟେଲ୍‌ ଛାଡ଼ି ସିଡିଏ ଅଞ୍ଚଳରେ ରହୁଥିବା ଭଡା ଘର ଅଭିମୁଖେ ଯାଇଥିଲେ । ପରେ ଏଠାରୁ ସେ ଅନ୍ୟ କେଉଁଆଡ଼େ ନିଜ ଆକ୍ଟିଭା ଗାଡ଼ି ନେଇ ଚାଲିଯାଇଥିଲେ ବୋଲି ସୂଚନା ମିଳିଛି ।

ରାଜଶ୍ରୀଙ୍କ ମୃତ୍ୟୁ ବିଭିନ୍ନ ଦିଗରୁ ସନ୍ଦେହ ସୃଷ୍ଟି କରିଛି । ସବୁଠୁ ବଡ଼ ପ୍ରଶ୍ନ ହେଉଛି ମାନସିକ ଦୃଷ୍ଟିରୁ ଭାଙ୍ଗି ପଡ଼ିଥିବା ଜଣେ ଝିଅ ଆତ୍ମହତ୍ୟା କରିବା ପାଇଁ ଦୀର୍ଘ ୨୫ କିଲୋମିଟର ବାଟ କାହିଁକି ଆସିବ? ସେହିପରି ରାଜଶ୍ରୀ ଆତ୍ମହତ୍ୟା କରିଥିବା ସୁବାସୀ ଜଙ୍ଗଲ ତାଙ୍କ ପାଇଁ ଏକଦମ ଅପରିଚିତ । ଆସିବା ବାଟରେ ମହାନଦୀ ପଠା ସମେତ ଅନେକ ସ୍ଥାନରେ ଜଙ୍ଗଲ ରହିଛି । ତେଣୁ ଏତେ ଦୂର ଆସି ରାଜପଥଠାରୁ ଗୋଟେ କିଲୋମିଟର ଜଙ୍ଗଲ ଭିତରେ ପଶି ରାଜଶ୍ରୀ ଆତ୍ମହତ୍ୟା କରିବା ସନ୍ଦେହଜନକ ବୋଲି ଅନେକ କହୁଛନ୍ତି । ସ୍ଥାନୀୟ ଲୋକଙ୍କ କହିବା କଥା ଏହି ଜଙ୍ଗଲକୁ ଆସିବା ପାଇଁ ଅଞ୍ଚଳବାସୀ ଭୟ କରନ୍ତି । ତେଣୁ ଜଣେ ଝିଅ ଏତେ ଜଙ୍ଗଲ ଭିତରକୁ ଏକା ପଶିବା ଗ୍ରହଣୀୟ ନୁହେଁ ବୋଲି କୁହାଯାଉଛି ।

ରାଜଶ୍ରୀ ନିଜ ଭଉଣୀ ଜୟଶ୍ରୀଙ୍କ ସହ ଗତ ୧୧ ତାରିଖରେ ୪ଥର କଥା ହେବା ସହ ୩୦ଟି ଏସ୍‌ଏମ୍‌ଏସ୍‌ କରିଥିବା ପୁଲିସ ସୂଚନା ଦେଇଛି । ତେଣୁ ରାଜଶ୍ରୀ ମାନସିକ ଭାବେ ଭାଙ୍ଗିପଡ଼ିଥିବା ଆଶଙ୍କା କରାଯାଉଛି । ତେଣୁ ରାଜଶ୍ରୀ ଏସ୍‌ଏମ୍‌ଏସ୍‌ରେ କ’ଣ ସବୁ ଲେଖିଥିଲେ ଓ ଫୋନ୍‌ କଲ୍‌ରେ କ’ଣ କଥାବାର୍ତ୍ତା ହୋଇଥିଲେ ସେ ସଂପର୍କରେ ପୁଲିସ ଯାଞ୍ଚ୍‌ କରୁଛି । ବିଶେଷ କରି ଚୟନ କ୍ୟାମ୍ପ ସଂପର୍କରେ ରାଜଶ୍ରୀ କିଛି କହିଥିବା ପୁଲିସ ଆଶଙ୍କା କରୁଛି ।

ରାଜଶ୍ରୀ ବ୍ୟବହାର କରୁଥିବା ମୋବାଇଲର ଲୋକେସନ୍‌କୁ ଆଧାର କରି ପୁଲିସ ତାଙ୍କ ମୃତଦେହ ପାଖରେ ପହଞ୍ଚିବାରେ ସକ୍ଷମ ହୋଇଥିଲା । ରାଜଶ୍ରୀଙ୍କ ମୋବାଇଲ୍‌ ଲୋକେସନ୍‌ ୧୧ ତାରିଖ ଦିନ ୧୧ ଟା ୪୨ ମିନିଟ୍‌ରେ ଗୁରୁଡିଝାଟିଆ ଥାନା ୫୫ ନଂ ଜାତୀୟ ରାଜପଥର କପୁରସିଂ ସ୍ଥିତ ସୀତାରାମପୁର ପ୍ରାଥମିକ ସ୍କୁଲ ନିକଟରେ ଦେଖାଯାଇଥିଲା । ଏହା ପରେ ତାଙ୍କ ମୋବାଇଲ୍‌ ସୁଇଚ୍‌ଡ୍‌ ଅଫ୍‌ ହୋଇଯାଇଥିଲା । ତା’ ପର ଦିନ କପୁରସିଂ-ବ୍ରାହ୍ମଣବସ୍ତ ରାସ୍ତା ନିକଟବର୍ତ୍ତୀ ଅଞ୍ଚଳରୁ ତାଙ୍କ ଆକ୍ଟିଭା ଗାଡି ଦେଖାଯାଇଥିଲା । ତେଣୁ ରାଜଶ୍ରୀ ପାଶ୍ୱର୍ବର୍ତ୍ତୀ ଜଙ୍ଗଲରେ ଆତ୍ମହତ୍ୟା କରିଥିବା କିମ୍ବା କିଛି ଅଘଟଣ ଘଟିଥିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ସଂଧ୍ୟା ହୋଇଯିବାରୁ ଓ ହାତୀ ଭୟ ଥିବାରୁ ପୁଲିସ ଗୁରୁବାର ଜଙ୍ଗଲ ଭିତରକୁ ନଯାଇ ଫେରି ଆସିଥିଲା । ଶୁକ୍ରବାର ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ସୁବାସି ଜଙ୍ଗଲରୁ ଧବଳେଶ୍ୱର ଫାଣ୍ଡି ପୁଲିସ୍‌ ଜବତ କରିଥିବା ରାଜଶ୍ରୀଙ୍କ ଓଡ଼ି-୨-ବିଏସ୍‌-୩୦୧୧ କଳା ରଙ୍ଗର ହୋଣ୍ଡା ଆକ୍ଟିଭା ସ୍କୁଟି ଡିକିରୁ ଏକ ହାତଲେଖା କାଗଜ ଏବଂ କଲମ ଜବତ କରାଯାଇଛି । କାଗଜଟି ସୁଇସାଇଡ୍‌ ନୋଟ୍‌ ବୋଲି ଚର୍ଚ୍ଚା ହେଉଛି । ‘ମୋ ମୃତ୍ୟୁ ପାଇଁ ଓସିଏର ଦୁଇ ଜଣ ଦାୟୀ’ ବୋଲି ରାଜଶ୍ରୀ ଲେଖିଥିବା ଜଣେ ପୁଲିସ୍‌ କର୍ମଚାରୀଙ୍କଠାରୁ ଶୁଣିବାକୁ ମିଳିଛି । ନୋଟ୍‌ରେ ଜଣେ ପୁରୁଷ ଏବଂ ଆଉ ଜଣେ ମହିଳାଙ୍କ ନାଁ ଥିବା କୁହାଯାଉଛି । ଏମିତିକି ‘ମାଣ୍ଡେଲା ସାର୍‌’ ଓ ଅନ୍ୟ ଜଣେ ମହିଳା ପ୍ରଶିକ୍ଷକଙ୍କ ନାଁ ନୋଟ୍‌ରେ ଲେଖା ହୋଇଥିବା ଚର୍ଚ୍ଚା ବି ହେଉଛି । ଏନେଇ ପୁଲିସ ପକ୍ଷରୁ ବିଧିବଦ୍ଧ ଭାବେ କିଛି କୁହାଯାଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking