ନୂଆଦିଲ୍ଲୀ : ଧାର୍ମିକ ସ୍ଥଳର କାନ୍ଥ ଭାଙ୍ଗିବାକୁ ବାରଣ କରିବାରୁ ନିଜର ଏକମାତ୍ର ପୁଅକୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଛି ବାପା । ଏହାପରେ ଅଭିଯୁକ୍ତ ବାପା ଫେରାର ହୋଇଯାଇଛି । ମୃତକଙ୍କ ପତ୍ନୀଙ୍କ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି । ଘଟଣା ଘଟିଛି ହରିୟାଣାର କୈଥଲ ଜିଲା ସ୍ଥିତ ଗୁହଲା ଅଞ୍ଚଳର ଖରକାନ ଗାଁରେ । ଏଠାରେ ଜଣେ ପିତା ନିଜ ପୁଅକୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଛି । ପୁଅର ଏକମାତ୍ର ଦୋଷ ଥିଲା ଯେ, ସେ ତାର ପିତାଙ୍କୁ ପୀରର କାନ୍ଥ ଭାଙ୍ଗନାହିଁ ବୋଲି କହି ଅଟକାଇଥିଲା । ମୃତକଙ୍କର ଦୁଇ ବର୍ଷ ପୂର୍ବେ ବିବାହ ହୋଇଥିଲା ଏବଂ ତାଙ୍କ ପତ୍ନୀ ସାତ ମାସର ଗର୍ଭବତୀ ଅଛନ୍ତି । ପୁଲିସ ମୃତକଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ପିତା ବିରୋଧରେ ହତ୍ୟା ଅଭିଯୋଗରେ ମାମଲା ରୁଜୁ କରିଛି । ଖରକାନ ଗାଁ ନିବାସୀ ସୁଷମା ରାନୀ କହିଛନ୍ତି ଯେ ଦୁଇ ବର୍ଷ ପୂର୍ବେ ଖରକାନ୍ ନିବାସୀ ଚନ୍ନପାଲ ଓରଫ୍ ବିଜୟଙ୍କ ସହ ତାଙ୍କର ବିବାହ ହୋଇଥିଲା । ମଙ୍ଗଳବାର ସେ ଓ ତାଙ୍କ ସ୍ୱାମୀ, ଶାଶୂ କନ୍ତୋ ଦେବୀ, ନଣଦ ପରୀ ଏବଂ ଶ୍ୱଶୁର ଜଗୀର ରାମଙ୍କ ସହ ଘରେ ଥିଲେ । ସନ୍ଧ୍ୟା ପ୍ରାୟ ୭ଟା ସମୟରେ ତାଙ୍କ ଶ୍ୱଶୁର ଘର ନିକଟରେ ଥିବା ପୀର(ଧାର୍ମିକ ସ୍ଥଳ)ର କାନ୍ଥ ଭାଙ୍ଗିବାକୁ ଲାଗିଥିଲେ । ତାଙ୍କ ଶାଶୂ କନ୍ତୋ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ମାନି ନଥିଲେ । ଏହାପରେ ସେ ଗାଳି ଗୁଲଜ କରିଥିଲେ । ଇତି ମଧ୍ୟରେ ସ୍ୱାମୀ ଚନ୍ନପାଲ(୨୪) ତାଙ୍କୁ ଅଟକାଇବାକୁ ଯିବାରୁ ଶ୍ୱଶୁର ହାତରେ ଧରିଥିବା ଛୁରୀରେ ତାଙ୍କ ଛାତିକୁ ଆକ୍ରମଣ କରିଥିଲେ । ଏହାପରେ ତାଙ୍କ ସ୍ୱାମୀ ତଳେ ପଡ଼ିଯାଇଥିଲେ ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ସେ ଚିତ୍କାର କରିବାକୁ ଲାଗିଲେ ଓ ତାଙ୍କ ପାଟି ଶୁଣି ପଡ଼ୋଶୀମାନେ ସେଠାରେ ଜମା ହୋଇଥିଲେ । ଏହା ଦେଖି ଶ୍ୱଶୁର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହାପରେ ପୋଲିସ ଅଭିଯୁକ୍ତ ଜଗୀର ରାମଙ୍କ ବିରୋଧରେ ହତ୍ୟା ଅଭିଯୋଗରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ।