17.1 C
Bhubaneswar
Monday, November 18, 2024
Homeଓଡିଶାଦାଦନ ଖଟିବାକୁ ଯାଇ ଆଉ ଫେରିଲାନି ପୁଅ : ୧୦ବର୍ଷର ଅପେକ୍ଷାରେ ବୃଦ୍ଧ ବାପା ଓ...

ଦାଦନ ଖଟିବାକୁ ଯାଇ ଆଉ ଫେରିଲାନି ପୁଅ : ୧୦ବର୍ଷର ଅପେକ୍ଷାରେ ବୃଦ୍ଧ ବାପା ଓ ମା'

କେନ୍ଦ୍ରାପଡା : ଦୀର୍ଘ ୧୦ ବର୍ଷତଳେ ସ୍ଥାନୀୟ ଠିକାଦାର ସହିତ ସୁଦୂର ହାଇଦ୍ରାବାଦକୁ ଦାଦନ ଖଟିବାକୁଯାଇଥିବା ରାଜନଗର ବାରମାଣିଆ ଗ୍ରାମର ଧରଣିଧର ଦାସଙ୍କ ଏକମାତ୍ର ପୁଅ ବିନୋଦ ଆଉ ଘରକୁ ଫେରିନଥିବା ଜଣାପଡିଛି । ପୁଅ ସଂପର୍କରେ ଜାଣିବାକୁ ଗତ ୧୦ ବର୍ଷ ମଧ୍ୟରେ ଧରଣୀଧର ଠିକାଦାରଙ୍କଠାରୁ ଆରମ୍ଭ କରି ରାଜନଗର ଥାନା ଅଧିକାରୀ , କେନ୍ଦ୍ରାପଡା ପୁଲିସ ଆରକ୍ଷୀ ଅଧିକ୍ଷକ ଓ କେନ୍ଦ୍ରାପଡା ଜିଲା୍ଲପାଳଙ୍କୁ ଗୁହାରି କରିଥିଲେ ମଧ୍ୟ ଗଲା ୧୦ ବର୍ଷ ମଧ୍ୟରେ ତାଙ୍କୁ ସାମାନ୍ୟ ଫଳ ମିଳିନଥିବା ଜଣାପଡିଛି । ପୁଅକୁ ଝୁରି ଝୁରୀ ବିଚାର ବୃଦ୍ଧା ମା’ ମାନସିକ ଭାରସାମ୍ୟ ହରାଇଥିବା ବେଳେ ବିବାହ ଯୋଗ୍ୟ ଏକମାତ୍ର ଭଉଣୀ ଭାଇର ଫେରିବା ବାଟକୁ ଚାହିଁ ବିବାହ ଟାଳିଦେବା ସହିତ ଭାଇ ଆସିବାପରେ ବିବାହ କରିବାକୁ ଅପେକ୍ଷା କରିଛି । ପ୍ରତିଦିନ ନିଖୋଜ ବିନୋଦଙ୍କ ବାପା , ମା’ ଓ ଭଉଣି ବିନୋଦଙ୍କୁ ଝୁରି ହୋଇ ଆଖି ପାଣି ଆଖିରେ ମରିଥିବା ବେଳେ ଏ ବାବଦରେ ପ୍ରଶାସନ ସାମାନ୍ୟତମ ସହଯୋଗ କରୁନଥିବା ଅଭିଯୋଗ ହେଉଛି ।
ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବାରମାଣିଆ ବସ୍ତିର ରାସ୍ତାକଡ ଅନାବାଦୀ ଜାଗାରେ ନୁଆଣିଆ ଚାଳଛପର ଘରେ ରହନ୍ତି ଭିନ୍ନକ୍ଷମ ବୃଦ୍ଧ ଧରଣୀଧର ଦାସ ( ୬୫ ), ସ୍ତ୍ରୀ ପ୍ରତିମା(୫୫) ଓ ଝିଅ ଝୁନୀ (୨୩) । ପରିବାରର ଆର୍ଥିକ ଦୁର୍ଗତିର କାରଣରୁ ୨୦୧୦ ମସିହା ଜାନୁଆରୀ ୧୮ତାରିଖରେ ଧରଣୀଙ୍କ ପୁଅ ବିନୋଦ ବାପା ମା’ଙ୍କୁ ବୁଝାଇ ସ୍ଥାନୀୟ ବ୍ରାହ୍ମଣସାହି ପଚାଂୟତ ଅନ୍ତର୍ଗତ ବଡନାଉକଣା ଗ୍ରାମର ଠିକାଦାର ବିପ୍ରଚରଣ ପଢିହାରୀଙ୍କ ସହିତ ଦୈନିକ ୨୫୦ଟଙ୍କା ମଜୁରୀରେ ହାଇଦ୍ରାବାଦକୁ କାମ କରିବାକୁ ଯାଇଥିଲେ । ବିନୋଦ ଯିବାର ୫ଦିନ ପରେ ସେ ହାଇଦ୍ରାବାଦରେ ପହଂଚି କାମ କରୁଛି, ଖୁବଶୀଘ୍ର ଠିିକାଦାରକୁ କହି ଘରକୁ ଟଙ୍କା ପଠାଇବ କହି ବାପାଙ୍କ ନିକଟକୁ ଫୋନ କରିଥିଲେ । ବାସ୍ ଏହାପରେ ବିନୋଦଙ୍କର ଆଉ କିଛି ଖୋଜ ଖବର ନାହିଁ । ମାସକ ପରେ ଠିକାଦାର ପାଖକୁ ଫୋନ କଲେ ମଧ୍ୟ ଉତର ମିଳିଲା ନାହିଁ । ଏପରିକି ବର୍ଷକ ପରେ ଗାଁ’କୁ ଫେରିଥିବା ଠିକାଦାର ବିପ୍ରକୁ ପଚାରିବାରୁ ତୁମ ପୁଅ ହାଇଦ୍ରାବାଦ ଯିବାର ୮ା୧୦ଦିନ ପରେ ଆମ କ୍ୟାମ୍ପରୁ ଲୁଚି କୁଆଡେ ପଳାଇଛି ବୋଲି କହିବାପରେ ଧରଣିଙ୍କ ମନରେ ସନ୍ଦେହ ସୃଷ୍ଟିି ହୋଇଥିଲା । ତେବେ ନିରୁପାୟ ଧରଣୀ ଏ ବାଦରେ ବିଭିନ୍ନ ସମୟରେ ଭଦ୍ରଲୋକଙ୍କ ନିକଟରେ ପୁଅ ନିଖୋଜ ଓ ଠିକାଦାରର ଅସହଯୋଗ ସଂପର୍କରେ ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳିନଥିଲା ।
ଏହାର ୩ବର୍ଷ ପରେ ବାଧ୍ୟହୋଇ ଧରଣୀ ୨୦୧୩ ମସିହା ,ଏପ୍ରିଲ, ୧୯ତାରିଖରେ ରାଜନଗର ଥାନାରେ ଅଭିଯୋଗ କରିଥିଲେ । ମାତ୍ର ରାଜନଗର ପୁଲିସ ବିନୋଦକୁ ଖୋଜିବା ଦୂରେ ଥାଉ ଥାନାରେ ଏତଲା ମଧ୍ୟ ରେଜିଷ୍ଟ୍ରେସନ କରିନଥିଲେ । ପରେ ଏସଂପର୍କରେ ଧରଣୀ କେନ୍ଦ୍ରାପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇବାରୁ ଏସପି ତତ୍କାଳୀନ ରାଜନଗର ଆଇଆଇସିଙ୍କୁ ଏ ବାବଦରେ ଫୋନରେ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବହୁବାର ଧରଣୀ ଥାନାକୁ ଦୈାଡି ଦୈାଡି ନିରାଶ ହୋଇଥିଲେ ମଧ୍ୟ ଥାନା ଅଧିକାରୀ ଧରଣିଙ୍କ ଅଭିଯୋଗ ବୁଝିନଥିଲେ । ଶେଷରେ ଧରଣୀ ଜିଲ୍ଲାପାଳଙ୍କୁ କେନ୍ଦ୍ରାପଡାରେ ଭେଟି ପୁଅ ବିନୋଦର ସନ୍ଧାନ ପାଇଁ ନିବେଦନ କରିଥିଲେ । ଏବାବଦରେ ଜିଲ୍ଲାପାଳ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଦରଖାସ୍ତ ଅନୁମୋଦନ କରି ପଠାଇଲେ ମଧ୍ୟ ଧରଣିଙ୍କୁ ଏଥିରୁ କିଛି ସୁଫଳ ମିଳିନଥିଲା । ସେହିପରି ବିଭିନ୍ନ ସମୟରେ ରାଜନଗରଠାରେ ହୋଇଥିବା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଧରଣୀ ଅଭିଯୋଗ କରିଥିଲେ ମଧ୍ୟ ନିଦାବିଷ୍ଣୁ ପ୍ରଶାସନ ଉପରେ ଏହାର କୈାଣସି ପ୍ରଭାବ ପଡିନଥିଲା । । ଶେଷରେ ୨୦୧୭ମସିହା ଜୁଲାଇ ମାସ ୬ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧରଣି ନିଜ ପରିବାର ସହିତ ଅନଶନରେ ବସିବାପରେ ଜିଲ୍ଲାପାଳ ଧରଣୀକୁ ରାଜନଗର ଥାନାକୁ ପଠାଇଥିଲେ । ରାଜନଗର ଥାନାରେ ଘଟଣାର ୭ବର୍ଷପରେ ୨୦୧୭, ଜୁଲାଇ. ୧୮ତାରିଖରେ ଅଭିଯୋଗ ପଞ୍ଜିକୃତ ହୋଇଥିଲା । ତଦନ୍ତ କରି ବିନୋଦର ଖୋଜଖବର ନେବାର ବ୍ୟବସ୍ଥା କରାଯିବ ବୋଲି ଆଇଆଇସି ଧରଣୀକୁ କହିଥିଲେ । ମାତ୍ର ଏହାପରେ ମଧ୍ୟ ଅଭିଯୋଗର ତଦନ୍ତ ଅଗ୍ରଗତି କରିନଥିଲା ।
ତେବେ ସବୁଦିଗରୁ ନିରାଶ ହୋଇ ଧରଣୀ ଶେଷରେ ପୁଅ ପାଇଁ ମାଗି ଜାଚି ଅର୍ଥ ଯୋଗାଡ କରି ହାଇକୋର୍ଟରେ ୨୦୧୮ମସିହାରେ ଅଭିଯୋଗ କରିବା ପରେ ସେହିବର୍ଷ ମାର୍ଚ୍ଚ ମାସ ୨୩ ତାରିଖରେ ପ୍ରଥମ ଶୁଣାଣୀ ହୋଇଥିଲା । ପରବର୍ତୀ ସମୟରେ ହୋଇଥିବା ତାରିଖରେ ଟଙ୍କା ଅଭାବରୁ ଧରଣୀ କଟକରେ ପହଂଚି ନପାରିବାରୁ ମାମଲାର ଅଗ୍ରଗତି ସଂପର୍କରେ କିଛି ଜାଣି ପାରିନଥିଲେ । ଏପରିକି ଏବେ ନିଖୋଜ ପୁଅ ବିନୋଦ ପ୍ରକୃତରେ ବଂଚିଛି ନା ତାକୁ ମାରି ଦିଆଯାଇଛି, ସେ ସଂପର୍କରେ କିଛି ଜାଣିପାରୁନଥିବା ସେ କାନ୍ଦି କାନ୍ଦି କହିଛନ୍ତି । ପୁଅ ଚିନ୍ତାରେ ସ୍ତ୍ରୀ ପ୍ରତିମା ପାଗଳି ହୋଇଯାଇଛି । ମସ୍ତିଷ୍କ ବିକୃତି ହେତୁ କେତେବେଳେ କ’ଣ କରୁଛି, ସେ ନିଜେ ବି ଜାଣିପାରୁନି ବୋଲି ବିନୋଦଙ୍କ ପଡୋସୀମାନେ ପ୍ରକାଶ କରିଛନ୍ତି । ବିନୋଦଙ୍କ ନିଖୋଜ ରହସ୍ୟ ରାଜନଗର ଥାନା ଅଧିକାରୀ ତଦନ୍ତ ନକରି ଟାଳଟୁଳ ନୀତି ଗ୍ରହଣ କରିବା ପଛରେ ଠିକାଦାରଙ୍କ କାରସାଦି ଥିବା ଧରଣୀ ସନ୍ଦେହ ପ୍ରକାଶ କରୁଛନ୍ତି । ଜଣେ ଭୂମିହୀନ, ଭିନ୍ନକ୍ଷମ ଓ ବୃଦ୍ଧ ଧରଣୀ ପୁଅ ପାଇଁ ଦୀର୍ଘ ୧୦ ବର୍ଷଧରି ସଂଘର୍ଷ କରୁଥିବାବେଳେ ତାଙ୍କ ଦୁଃଖ ତୁରନ୍ତ ପ୍ରଶାସନ ଶୁଣିବାକୁ ସାଧାରଣରେ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking