ରାୟପୁର: ଛତିଶଗଡ଼ କବିରଧାମ ଜିଲ୍ଲାର କବର୍ଧା ସହରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଅକାଳରେ ଆଖି ବୁଜିଲେ ୧୭ରୁ ଅଧିକ ଅନୁସୂଚିତ ଜନଜାତି ବର୍ଗର ଲୋକେ । ଜଙ୍ଗଲରୁ ଫେରିବା ସମୟରେ ଏମାନଙ୍କୁ ରାସ୍ତାରେ ପିକଅପ୍ ଭ୍ୟାନ ଧକ୍କା ଦେବା ପରେ ଏହି ବୈଗା ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ମୃତ୍ୟୁ ଘଟିଛି । ସେପଟେ ୨୫ ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ପିକଅପ୍ ଭ୍ୟାନଟି ଏମାନଙ୍କୁ ଧକ୍କା ଦେବା ପରେ ଏକ ୨୦ ଫୁଟ ଗାତରେ ଖସିପଡ଼ିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଏହି ଆଦିବାସୀ ସମ୍ପ୍ରଦାୟର ଲୋକେ ଜୀବନ ଜୀବିକା ପାଇଁ ଅଧିକାଂଶ ଜଙ୍ଗଲ ଉପରେ ନିର୍ଭରଶୀଳ । ତେବେ ସେମାନେ ପ୍ରତିଦିନ ପରି ଜଙ୍ଗଲକୁ ଯାଇଥିଲେ । ସେଠାରେ ନିଜର କାମ ସାରି ଘରକୁ ଫେରିବା ସମୟରେ ରାସ୍ତାରେ ଛକି ବସିଥିଲା ଯମ । ହଠାତ ଏକ ପିକଅପ୍ ଭ୍ୟାନଟି ସନ୍ତୁଳନ ହରାଇ ସେମାନଙ୍କୁ ଧକ୍କା ଦେଇଥିଲା । ଏହି ସଡ଼କ ଦୁର୍ଘଟଣା କବର୍ଧା କୁକଦୁର ଥାନା ଅଧିନସ୍ଥ ବାହପାନି ଗ୍ରାମ ନିକଟରେ ଘଟିଛି । ମୃତ୍ୟୁବରଣ କରିଥିବା ଆଦିବାସୀ ମାନେ ପାଖ ଗାଁ ସେମହାରାର ଜଣାପଡ଼ିଛି । ସେମାନେ କେନ୍ଦୁପତ୍ର ତୋଳି ଫେରିବା ସମୟରେ ଏହି ଅଘଟଣର ଶିକାର ହୋଇଥିଲେ । ଏହି ଦୁର୍ଘଟଣାରେ ୨୫ ରୁ ଅଧିକ ଲୋକ ଗୁରୁତର ମଧ୍ୟ ହୋଇଛନ୍ତି । ଦୁର୍ଘଟଣା ସମୟରେ ଏହି ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦା ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଲୋକଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ମୃତକ ବ୍ୟକ୍ତିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଥିବା ପୋଲିସ କହିଛି ।