32.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଆଜି କୃଷକ ସଂଗଠନର ଦିଲ୍ଲୀ ଚଲୋ ଯାତ୍ରା

ଆଜି କୃଷକ ସଂଗଠନର ଦିଲ୍ଲୀ ଚଲୋ ଯାତ୍ରା

ନୂଆଦିଲ୍ଲୀ: ଆଜି କୃଷକ ସଂଗଠନର ଦିଲ୍ଲୀ ଚଲୋ ଯାତ୍ରା । କେନ୍ଦ୍ର ସରକାରଙ୍କ କୃଷକ ମାରଣନୀତିକୁ ବିରୋଧ କରି ଗର୍ଜିବେ ଚାଷୀ । ଆଜି ସକାଳ ୧୦ଟା ସମୟରେ ହରିୟାଣା ଓ ପଞ୍ଜାବରୁ ଦିଲ୍ଲୀରୁ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ହଜାର ହଜାର ଚାଷୀ । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଦିଲ୍ଲୀରେ ଏକ ମାସ ପର୍ୟ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଏଥିସହ ରାଜଧାନୀରେ ଭିଡ ଜମାଇବା ଓ ଟ୍ରାକ୍ଟର ପ୍ରବେଶ ଉପରେ କଟକଣା ଲାଗିଛି । ସମସ୍ତ ସୀମା ସିଲ୍ କରାଯାଇଛି । ସୋମବାର ରାତିରେ କୃଷକ ସଂଗଠନର ନେତାଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା । କିନ୍ତୁ ଏହି ଆଲୋଚନା ସଫଳ ହୋଇନାହିଁ । ପଞ୍ଜାବ କିଶାନ ମଜଦୁର ସଂଘର୍ଷ କମିଟିର ସାଧାରଣ ସମ୍ପାଦକ ସୌରଭ ସିଂ କହିଛନ୍ତି, ”ମନ୍ତ୍ରୀଙ୍କ ସହ ବୈଠକ ପ୍ରାୟ ୫ ଘଣ୍ଟା ଧରି ଚାଲିଥିଲା। ଆମେ ସେମାନଙ୍କ ସାମ୍ନାରେ ଏକ ଏଜେଣ୍ଡା ଉପସ୍ଥାପନ କରିଛୁ। କିନ୍ତୁ କେନ୍ଦ୍ର ସରକାର ଏହା ଉପରେ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନେଇ ପାରିନଥିଲେ। ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ସରକାର ଆମକୁ କହୁଛନ୍ତି ଏବଂ ଆଲୋଚନା ପାଇଁ ସମୟ ମାଗୁଛନ୍ତି । ୨ ବର୍ଷ ପୂର୍ବେ ସେମାନେ ଆମକୁ ସମୟ ମାଗିଥିଲେ, ଯେତେବେଳେ କୃଷକଙ୍କ ଆନ୍ଦୋଳନ ଶେଷ ହୋଇଥିଲା । ବର୍ତ୍ତମାନ କିନ୍ତୁ ଆମେ ସମୟ ଦେବୁ ନାହିଁ । ଯଦି ଦୃଢ ପ୍ରସ୍ତାବ ଅଛି ତେବେ ଆମେ ସମୟ ଦେବା ବିଷୟରେ ଚିନ୍ତା କରିବୁ । କିନ୍ତୁ କେନ୍ଦ୍ର ସରକାରଙ୍କ ପାଖରେ ସେମିତି କିଛି ପ୍ରସ୍ତାବ ନାହିଁ । ” କୃଷକଙ୍କ ଦିଲ୍ଲୀ ଚଲୋ ଘୋଷଣା ପରେ ଅନ୍ୟ ରାଜ୍ୟ ସହ ସଂଯୋଗ ଥିବା ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଗୋଟିଏ ପଟେ ବଦରପୁର ବୋର୍ଡରରେ ଦିଲ୍ଲୀର ସୀମା ହରିୟାଣାର ଫରିଦାବାଦ ସହ ମିଶିଛି। ୟୁପି ଏବଂ ହରିୟାଣା ସୀମାରେ ବ୍ଲକର୍ସ ସ୍ଥାପନ କରାଯାଇଛି । ଏହା ବ୍ୟତୀତ ପାଞ୍ଚ ହଜାରରୁ ଅଧିକ ସୁରକ୍ଷା କର୍ମୀଙ୍କୁ ସୀମାରେ ନିୟୋଜିତ କରାଯାଇଛି। ଉତ୍ତରପ୍ରଦେଶରୁ ଚାଷୀକୁ ନେଇ ଦିଲ୍ଲୀକୁ ଆସୁଥିବା ଟ୍ରାକ୍ଟର, ଟ୍ରଲି, ବସ୍, ଟ୍ରକ୍ ଆଦିକୁ ରାଜଧାନୀରେ ପ୍ରବେଶ ଉପରେ କଟକଣା ଲଗାଯାଇଛି । ସେହିପରି ଆନ୍ଦୋଳନକାରୀ ମାନେ ପଦଯାତ୍ରା ସମୟରେ ହାତରେ କୌଣସି ଅସ୍ତ୍ରଶସ୍ତ୍ର ଧରିବାକୁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking