ମୁମ୍ବାଇ: ମହାରାଷ୍ଟ୍ରରରେ ଭୟଙ୍କର ବିସ୍ଫୋରଣ । ଏକ ସେଞ୍ଚୁରୀ କମ୍ପାନୀରେ ବିସ୍ଫୋରଣ ହେବାକୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଥାନେ ଅଞ୍ଚଳର ଉଲହସନାଗରର ଶାହାଦରେ ଥିବା ସେଞ୍ଚୁରୀ କମ୍ପାନୀର ସିଏସ ୨ ବିଭାଗରେ ବିସ୍ଫୋରଣ ଘଟିଥିବା ଜଣାପଡିଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଆଜି ମଧ୍ୟାହ୍ନ ୧୨ଟା ସମୟରେ କେହି କିଛି ଜାଣିବା ଆଗରୁ କମ୍ପାନୀରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଫଳରେ କମ୍ପାନୀରେ କାମ କରୁଥିବା ୫ ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ସମସ୍ତ ଆହତଙ୍କୁ ସେଞ୍ଚୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ କେଉଁ କାରଣରୁ କମ୍ପାନୀରେ ବିସ୍ଫୋରଣ ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି । ତଦନ୍ତ ପରେ ବିସ୍ଫୋରଣର କାରଣ ଜଣାପଡିବ । ଚଳିତ ମାସ ୫ ତାରିଖରେ ଗୁଜୁରାଟର ଏକ କାରଖାନାରେ ବିସ୍ଫୋରଣ ହୋଇଥିଲା ।
ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିଲେ । ଭିରପୋର ଗ୍ରାମରେ ଥିବା ତାପି ନାମକ ଫ୍ରୁଟ ଜୁସ ତିଆରି କାରଖାନାରେ ଏହି ବିସ୍ଫୋରଣ ହୋଇଥିଲା । ଯନ୍ତ୍ରାଂଶରେ ବୈଷୟିକ ସମସ୍ୟା ଯୋଗୁଁ ବିସ୍ଫୋରଣ ହୋଇଥିଲା । ଅଗଷ୍ଟ ୨୭ ତାରିଖରେ ପଶ୍ଚିମବଙ୍ଗର ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲା । ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଥିବା ଏକ ବାଣ କାରଖାନରେ ବିସ୍ଫୋରଣ ହୋଇଥିଲା । ଜୁଲାଇ ୧୮ ତାରିଖରେ ଛତଶଗଡ଼ର ବାଲୋଦା ବଜାରରେ ଥିବା ଏକ ସିମେଣ୍ଟ କାରଖାନାରେ ବିସ୍ଫୋରଣ ଘଟି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଶ୍ରମିକ ମଧ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସିମେଣ୍ଟ ପ୍ଲାଣ୍ଟରେ ଏକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା ।