17.1 C
Bhubaneswar
Friday, January 10, 2025
Homeଓଡିଶା‘ସମ୍ବଲପୁରୀ’ ସମେତ ସବୁ ହସ୍ତତନ୍ତ ସାମଗ୍ରୀରୁ ଛାଡ଼ ହେଉ ଜିଏସ୍‌ଟି, ଦୁଃଖରେ ୧.୨୬ ଲକ୍ଷ ବୁଣାକାର

‘ସମ୍ବଲପୁରୀ’ ସମେତ ସବୁ ହସ୍ତତନ୍ତ ସାମଗ୍ରୀରୁ ଛାଡ଼ ହେଉ ଜିଏସ୍‌ଟି, ଦୁଃଖରେ ୧.୨୬ ଲକ୍ଷ ବୁଣାକାର

ଭୁବନେଶ୍ୱର: ସମ୍ବଲପୁରୀ ଶାଢ଼ୀ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଆଉ ଏକ ପ୍ରତୀକ । ଦେଶ ବିଦେଶରେ ଗ୍ରାହକଙ୍କ ଚାହିହା ଢେର । ଓଡ଼ିଶାକୁ ପରିଚିତି କରିବାରେ ବି ସମ୍ବଲପୁରୀ ଭଳି ସବୁ ହସ୍ତତନ୍ତ କପଡ଼ାର ଭୂମିକା କିଛି କମ୍‌ନୁହେଁ । ହେଲେ ବାରମ୍ବାର ଅନୁରୋଧ ସତ୍ତ୍ୱେ ଭାରତ ସରକାର ତାହାକୁ ଗୁରୁତ୍ୱ ନଦେଇ ଜିଏସ୍‌ଟି ଲାଗୁ କରିଥିବାରୁ ବୁଣାକାରମାନେ ଏବେ ସମସ୍ୟାରେ ପଡ଼ିଛନ୍ତି । ଆର୍ଥିକ ସଙ୍କଟ କାରଣରୁ କିଛି ହସ୍ତତନ୍ତ ବନ୍ଦ ହେବାକୁ ବସିଛି । ତେଣୁ ସମ୍ବଲପୁରୀ କପଡ଼ା ସମେତ ସମସ୍ତ ବୟନସାମଗ୍ରୀ ଉପରୁ ‘ଦ୍ରବ୍ୟ ଓ ସେବା କର’ (ଜିଏସ୍‌ଟି) ଛାଡ଼ କରିବାକୁ ସଂସଦରେ ଦାବି ହୋଇଛି । ଗୃହ ଭିତରେ ଓ ବାହାରେ ଅଧିକାଂଶ ସଦସ୍ୟ ଏହାକୁ ସମର୍ଥନ କରିଥିବା ଜଣାପଡ଼ିଛି ।
ରାଜ୍ୟର ପ୍ରାୟ ୧୯ ଜିଲ୍ଲାରେ ଲକ୍ଷାଧିକ ସଂଖ୍ୟାରେ ବୁଣାକାର ଏବେ ଏହି କ୍ଷେତ୍ରରେ ବଂଶାନୁକ୍ରମିକ ଭାବେ କାର୍ଯ୍ୟରତ । ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ସମ୍ବଲପୁର, ସୋନପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, ବୌଦ୍ଧ, କଟକ, ଯାଜପୁର, ପୁରୀ, ନୟାଗଡ଼, ସୁନ୍ଦରଗଡ଼ ଅନ୍ୟତମ । ସରକାରୀ ହିସାବରେ ୧ ଲକ୍ଷ ୨୬ ହଜାର ପଞ୍ଜିକୃତ ବୁଣାକାର ଥିବାବେଳେ ବାସ୍ତବରେ ଏମାନଙ୍କ ସଂଖ୍ୟା ଢ଼େର ଅଧିକ । ହେଲେ ସମ୍ବଲପୁରୀ ଶାଢ଼ୀ ଓ ତତ୍‌ସଂଲଗ୍ନ ସମାଗ୍ରୀ ପ୍ରସ୍ତୁତ କରୁଥିବା ବୁଣାକରଙ୍କ ସଂଖ୍ୟା ପନ୍ଦର ହଜାରରୁ ଅଧିକ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ଗୁରୁବାର ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠିବା ପରେ ଚର୍ଚ୍ଚାର ବିଷୟ ହୋଇଛି।
ସାଂସଦ ସୁବାସ ଚନ୍ଦ୍ର ସିଂହ ହସ୍ତଶିଳ୍ପ କ୍ଷେତ୍ରରେ ଲାଗୁ ହୋଇଥିବା ଦ୍ରବ୍ୟ ଓ ସେବା କରକୁ ଛାଡ଼ କରିବା ପାଇଁ ପ୍ରଥମେ ଦାବି ଉପସ୍ଥାପନ କରିଥିଲେ । ଶ୍ରୀ ସିଂହ କହିଥିଲେ, ବୟନଶିଳ୍ପ କ୍ଷେତ୍ରରେ ଓଡ଼ିଶାର ବୁଣାକାରମାନେ କେବଳ ଦେଶ ନୁହେଁ ସାରା ବିଶ୍ୱରେ ପ୍ରସିଦ୍ଧିଲାଭ କରିଛନ୍ତି । ସମ୍ବଲପୁରୀ ଲୁଗାର ସୁଖ୍ୟାତି ସାରା ବିଶ୍ୱରେ ବି ରହିଛି । ହେଲେ ବୁଣାକାରମାନେ ଏବେ ଆର୍ଥକ ସଙ୍କଟରେ ରହିଛନ୍ତି । ଲୁଗା ବୁଣିବା ପାଇଁ ବ୍ୟବହ୍‌ୃତ ସମାଗ୍ରୀ ଅର୍ଥାତ- ସୂତା, ରଙ୍ଗ, ଅଠା ଆଦି ଉପରେ ଲାଗୁ ହୋଇଥିବା ଜିଏସ୍‌ଟି ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଛି । ତେଣୁ କେନ୍ଦ୍ର ସରକାର ଜିଏସ୍‌ଟିକୁ ସମ୍ପୂର୍ଣ୍ଣରୁପେ ଛାଡ଼ କରିବା ଦରକାର । ଫଳରେ ବୟନଶିଳ୍ପ ପ୍ରତି ଅଗ୍ରହ ପ୍ରକାଶ ପାଇବ ଏବଂ ବୁଣାକାରମାନେ ଆର୍ଥିକ ଦିଗରୁ ଲାଭବାନ ହୋଇପାରିବେ । ବଜାରକୁ ଭଲ ସମାଗ୍ରୀ ଆସିବା ସହ ଚାହିଦା ବି ବଢ଼ିପାରିବ।
ସଂସଦରେ ବୁଣାକାରଙ୍କୁ ନେଇ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବି ଉଠିଥିଲା । ତାହା ହେଉଛି ବୟନଶିଳ୍ପ ପାଠ୍ୟକ୍ରମକୁ ନେଇ । ସାଂସଦ ସୁବାସ ସିଂହ ଗୃହର ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ, ବରଗଡ଼ରେ ଥିବା ଇଣ୍ଡିଆନ ଇଷ୍ଟିଚ୍ୟୁଟ୍ ଅଫ ହ୍ୟାଣ୍ଡଲୁମରେରେ କେବଳ ବୟନଶିଳ୍ପ ଉପରେ ଡିପ୍ଲେମା ପାଠ୍ୟକ୍ରମ ରହିଛି । ଏହାକୁ ଡିଗ୍ରୀ ପାଠ୍ୟକ୍ରମରେ ସାମିଲ କରିବା ଜରୁରୀ । ତାହା ହେଲେ ବୟନଶିଳ୍ପ କ୍ଷେତ୍ରରେ ଉନ୍ନତମାନର ଶିକ୍ଷାର ବିକାଶ ସହ ଓଡ଼ିଶାର ବୟନଶିଳ୍ପର ଗୁରୁତ୍ୱ ବିଶ୍ୱ ଦରବାରରେ ବଢ଼ିବ । ଯଦି କେନ୍ଦ୍ର ସରକାର ହସ୍ତତନ୍ତ ଉପରୁ ଜିଏସ୍‌ଟି ଛାଡ଼ କରନ୍ତି ତାହାଲେ ଓଡ଼ିଶାରେ ୧.୨୬ ଲକ୍ଷ ବୁଣାକାର ସିଧାସଳଖ ଉପକୃତ ହେବେ । କରୋନା ମହାମାରୀ କାଳରେ ଏହି ଛାଡ଼ ନିଷ୍ପତ୍ତି କେବଳ ଓଡ଼ିଶା ନୁହେଁ ଭାରତର ଅନ୍ୟ ରାଜ୍ୟର ବୁଣାକାର ବି ଉପକୃତ ହେବେ ବୋଲି ଶ୍ରୀ ସିଂହ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking