ଚିକିତ୍ସା ସେବାର ଗୁଣବତ୍ତା ବୃଦ୍ଧି କରିବା ଏବଂ ରୋଗୀ-କୈନ୍ଦ୍ରିକ ସ୍ୱାସ୍ଥ୍ୟସେବା ପ୍ରଦାନ ସୁନିଶ୍ଚିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ‘କର୍ମଚାରୀ ରାଜ୍ୟ ବୀମା ନିଗମ’ (ଇଏସ୍ଆଇସି), ଦେଶବ୍ୟାପୀ ଏହାର ସମସ୍ତ ହସ୍ପିଟାଲ ଏବଂ ଔଷଧାଳୟଗୁଡ଼ିକରେ ଏକ ବ୍ୟାପକ କେନ୍ଦ୍ରୀୟ ଅନଲାଇନ୍ ରୋଗୀ ମତାମତ ବ୍ୟବସ୍ଥା ସଫଳତାର ସହ କାର୍ଯ୍ୟକାରୀ କରିଛି।
ଏହି ଡିଜିଟାଲ ପଦକ୍ଷେପ ବୀମାଭୁକ୍ତ ବ୍ୟକ୍ତି (ଆଇପି) ଏବଂ ରୋଗୀମାନଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟସେବା ଅଭିଜ୍ଞତାକୁ ସହଜ ଭାବରେ ବାଣ୍ଟିବା, ନିର୍ଦ୍ଦିଷ୍ଟ ସମସ୍ୟା ସମ୍ପର୍କରେ କହିବା ଏବଂ ସଂସ୍ଥାଗତ ଉନ୍ନତି ପାଇଁ ପ୍ରୟୋଗଯୋଗ୍ୟ ପରାମର୍ଶ ପ୍ରଦାନ କରିବାକୁ ସକ୍ଷମ କରିଥାଏ। ସୁବିଧାର ପରିଷ୍କାର ପରିଚ୍ଛନ୍ନତା, ଚିକିତ୍ସା କର୍ମଚାରୀଙ୍କ ବ୍ୟବହାର ଏବଂ ଆବଶ୍ୟକୀୟ ଔଷଧର ଉପଲବ୍ଧତା ପରି ଗୁରୁତ୍ୱପୂର୍ଣ୍ଣ ସେବା ମାନଦଣ୍ଡଗୁଡ଼ିକ ଉପରେ ସିଧାସଳଖ ନାଗରିକମାନଙ୍କର ମତାମତ ଗ୍ରହଣ କରିବା ପାଇଁ ଏହି ପ୍ଲାଟଫର୍ମଟି ଡିଜାଇନ୍ କରାଯାଇଛି।
ନିର୍ବିଘ୍ନ ପହଞ୍ଚ ଏବଂ ବହୁଭାଷୀ ସମର୍ଥନ
ବ୍ୟାପକ ଅଂଶଗ୍ରହଣ ଏବଂ ସମ୍ପୂର୍ଣ୍ଣ ସୁଗମ ପହଞ୍ଚ ସୁନିଶ୍ଚିତ କରିବା ପାଇଁ, ଏହି ବ୍ୟବସ୍ଥା ରୋଗୀମାନଙ୍କ ପାଇଁ ବହୁବିଧ ମତାମତ ମାଧ୍ୟମ ପ୍ରଦାନ କରୁଛି:
•ସ୍ୱୟଂଚାଳିତ ଏସଏମଏସ୍ ଲିଙ୍କ୍: ଇଏସ୍ଆଇସି’ର ଏଚଆଇଏସ୍ (ଧନ୍ୱନ୍ତରୀ) ମଡ୍ୟୁଲ୍ ମାଧ୍ୟମରେ ସେବା ଗ୍ରହଣ କରିବା ପରେ ତୁରନ୍ତ ବୀମାଭୁକ୍ତ ବ୍ୟକ୍ତିଙ୍କୁ ଏସଏମଏସ୍ ମାଧ୍ୟମରେ ଏକ ସିଧାସଳଖ ମତାମତ ଲିଙ୍କ୍ ପଠାଯାଏ।
• ଅନ୍-ସାଇଟ୍ କ୍ୟୁଆର୍ କୋଡ୍: ସମସ୍ତ ଓପିଡି ଏବଂ ହସ୍ପିଟାଲର ବିଭିନ୍ନ ସ୍ଥାନରେ ପ୍ରମୁଖ ଭାବରେ ଲଗାଯାଇଥିବା ଅନୁକୂଳିତ, ବହୁଭାଷୀ ପୋଷ୍ଟରରେ ପ୍ରଦର୍ଶିତ କ୍ୟୁଆର୍ କୋଡ୍ ସ୍କାନ କରି ତୁରନ୍ତ ହିତାଧିକାରୀମାନେ ନିଜର ମତାମତ ସେୟାର କରିପାରିବେ।
• ୱେବ୍ ପୋର୍ଟାଲ୍: ଅଧିକୃତ ଇଏସ୍ଆଇସି ୱେବସାଇଟ୍ ମାଧ୍ୟମରେ ମଧ୍ୟ ସିଧାସଳଖ ଭାବେ ମତାମତ ଦାଖଲ କରାଯାଇପାରିବ।
ବ୍ୟବହାରକାରୀ-ଅନୁକୂଳ ଇଣ୍ଟରଫେସ୍ ଅଧୀନରେ ରୋଗୀମାନଙ୍କୁ ସେମାନଙ୍କର ମୋବାଇଲ୍ ଡିଭାଇସ୍ ବ୍ୟବହାର କରି କ୍ୟୁଆର୍ କୋଡ୍ ସ୍କାନ୍ କରିବା, ନିଜର ଆଇପି ନମ୍ବର ପ୍ରବେଶ କରିବା, ନିଜ ଅନୁଭବକୁ ମୂଲ୍ୟାଙ୍କନ କରିବା ଏବଂ କିଛି ସେକେଣ୍ଡ ମଧ୍ୟରେ ନିଜର ମତାମତ ଦାଖଲ କରିବା ଆବଶ୍ୟକ।
ସ୍ୱଚ୍ଛତା ଏବଂ ଦାୟିତ୍ୱ ପାଇଁ ଦୃଢ଼ ପ୍ରଯୁକ୍ତିବିଦ୍ୟା
ମତାମତ ପଦ୍ଧତିର ପ୍ରାମାଣିକତା ସୁନିଶ୍ଚିତ କରିବା ପାଇଁ, ଏହି ପ୍ରଣାଳୀରେ ଓଟିପି ଯାଞ୍ଚ ପ୍ରକ୍ରିୟା ମାଧ୍ୟମରେ ଆଇପି ବିବରଣୀର ପ୍ରକୃତ-ସମୟ ବୈଧିକରଣ ଏବଂ ଡୁପ୍ଲିକେଟ୍ ମତାମତକୁ ରୋକିବା ପାଇଁ କଠୋର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ, ଏହି ଫିଡ୍ବ୍ୟାକ୍ ପ୍ଲାଟଫର୍ମ ଦେଶର ବିବିଧ କର୍ମଜୀବୀଙ୍କ ଆବଶ୍ୟକତାକୁ ପ୍ରଭାବଶାଳୀ ଭାବରେ ପୂରଣ କରିବା ପାଇଁ ବ୍ୟାପକ ବହୁଭାଷୀ ସହାୟତା ପ୍ରଦାନ କରୁଛି।
ବହୁସ୍ତରୀୟ ତଦାରଖ ଏବଂ ତ୍ୱରିତ ଅଭିଯୋଗ ସମାଧାନ
ରୋଗୀମାନଙ୍କ ମତାମତ ଉପରେ ତୁରନ୍ତ ପ୍ରଶାସନିକ ପଦକ୍ଷେପ ନେବା ପାଇଁ, ଏହି ପ୍ରଣାଳୀରେ ଦୃଢ଼ ଏବଂ ଭୂମିକା-ଭିତ୍ତିକ ଡିଜିଟାଲ୍ ଡ୍ୟାସ୍ବୋର୍ଡଗୁଡ଼ିକୁ ସମନ୍ୱିତ କରାଯାଇଛି। ଏହା ଦ୍ୱାରା ତିନୋଟି ପୃଥକ ପ୍ରଶାସନିକ ସ୍ତରରେ ନିରନ୍ତର ଏବଂ ତତ୍କ୍ଷଣାତ୍ କାର୍ଯ୍ୟଦକ୍ଷତା ନିରୀକ୍ଷଣ ସମ୍ଭବ ହେଉଛି:
• ମୁଖ୍ୟାଳୟ ସ୍ତର
• ଆଞ୍ଚଳିକ କାର୍ଯ୍ୟାଳୟ ସ୍ତର
• ସ୍ଥାନୀୟ ଇଏସଆଇ ସ୍ୱାସ୍ଥ୍ୟ ସୁବିଧା ସ୍ତର
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସିଷ୍ଟମକୁ ୩ ରୁ କମ୍ ରେଟିଂ ଥିବା ଯେକୌଣସି ସେବାକୁ ସ୍ୱୟଂଚାଳିତ ଭାବରେ ଚିହ୍ନଟ କରିବା ପାଇଁ ପ୍ରୋଗ୍ରାମ କରାଯାଇଛି, ଯାହା ଦ୍ଵାରା ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକର ଚିହ୍ନଟ ସମ୍ଭବ ହୋଇପାରିବ। ଏହି ସ୍ୱୟଂଚାଳିତ ସତର୍କତା ସିଷ୍ଟମ ନିଶ୍ଚିତ କରେ ଯେ, ସମ୍ପୃକ୍ତ ଅଧିକାରୀମାନେ ସମୟୋଚିତ ଏବଂ ଉପଯୁକ୍ତ ଉପାୟରେ ସଂଶୋଧନମୂଳକ ପଦକ୍ଷେପ ନେଇପାରିବେ। ଏହା ବ୍ୟତୀତ, ଏହି ପ୍ଲାଟଫର୍ମ ସମସ୍ତ ସ୍ୱାସ୍ଥ୍ୟସେବା ସୁବିଧାଗୁଡ଼ିକର କାର୍ଯ୍ୟଦକ୍ଷତା ରାଙ୍କିଂକୁ ମଧ୍ୟ ସମର୍ଥନ କରେ, ଯାହା ଦ୍ଵାରା ନିରନ୍ତର ଉନ୍ନତି, ସୁସ୍ଥ ପ୍ରତିଯୋଗିତା ଏବଂ କଠୋର ସଂସ୍ଥାଗତ ଦାୟିତ୍ୱର ସଂସ୍କୃତିକୁ ପ୍ରୋତ୍ସାହନ ଦେଉଛି। ଦେଶର କର୍ମଜୀବୀଙ୍କ ପ୍ରତି ଏହାର ମୂଳ ଲକ୍ଷ୍ୟକୁ ପୁନଃନିଶ୍ଚିତ କରି, ଏହି ପଦକ୍ଷେପ ଇଏସ୍ଆଇସି’ର ଉତ୍ସର୍ଗତାର ପ୍ରମାଣ ବହନ କରୁଛି, ଯାହା “ଇଏସଆଇସି : ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ପ୍ରତିବଦ୍ଧ” ଏହି ମୂଳମନ୍ତ୍ରକୁ ପ୍ରତିଫଳିତ କରୁଛି।










