କଟକ: ଶିଶୁମାନଙ୍କର ନାମ ଲେଖା ନିମନ୍ତେ ରାଜ୍ୟର ବିଭିନ୍ନ ଘରୋଇ ବିଦ୍ୟାଳୟରେ ସରକାରଙ୍କ ୨୫% ସଂରକ୍ଷଣ ନିୟମ କାର୍ଯ୍ୟକାରୀ ହେଉନଥିବା ନେଇ ରୁଜୁ ଜନସ୍ୱାର୍ଥ ମାମଲାର ଶୁଣାଣି ଆଜି ହୋଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ମୁରାହରି ଶ୍ରୀରମଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଭିଡିଓ କନ୍ଫରେନ୍ସି ଜରିଆରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପରବର୍ତ୍ତି ଶୁଣାଣି ନିମନ୍ତେ ମଙ୍ଗଳବାରକୁ ଧାର୍ଯ୍ୟ ହୋଇଛି । ମାମଲାର ବିବରଣୀ ଅନୁସାରେ, ସରକାରଙ୍କ ଶିକ୍ଷା ଅଧିକାର ଆଇନ ବଳରେ ନର୍ସରୀ,ଏଲ୍କେଜି,ୟୁକେଜି ଭଳି ଶ୍ରେଣୀରେ ଆର୍ôଥକ ଅନଗ୍ରସର ବର୍ଗର ଶିଶୁମାନଙ୍କୁ ନାମ ନ ଲେଖାଇବା ନିମନ୍ତେ ଲଟେରୀ ମାଧ୍ୟମରେ ଚୟନ କରାଯାଉଥିଲା । ଏଥିନିମନ୍ତେ ରାଜ୍ୟ ସରକାର ଏକ ପୋର୍ଟାଲ ମାଧ୍ୟମରେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକର ତାଲିକା ପ୍ରକାଶ କରୁଥିଲେ । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆଗତ ଆବେଦନଗୁଡ଼ିକ ମଧ୍ୟରୁ ଲଟେରୀ ମାଧ୍ୟମରେ ନାମଲେଖା ନିମନ୍ତେ ଶିଶୁମାନଙ୍କ ନାମ ଚୟନ କରାଯାଉଥିଲା ।
ଗତବର୍ଷ ଘରୋଇ ସ୍କୁଲ ସଂଖ୍ୟା ୪୨୬୪ ଥିବା ବେଳେ ଚଳିତ ବର୍ଷ ଏହି ସିଟ୍ ସଂଖ୍ୟା ପ୍ରାୟ ୨୭୦୦କୁ ଖସି ଆସିଥିଲା । ଏ ବାବଦରେ ଅଭିଭାବକ ମହାସଂଘ ପକ୍ଷରୁ ଅଭିଯୋଗ କରାଯିବା ପରେ ଘରୋଇ ବିଦ୍ୟାଳୟଗୁଡ଼ିକର ନାମ କ୍ରମେ ଯୋଡ଼ାଯାଇଥିଲା । ସ୍କୁଲଗୁଡ଼ିକ ବହୁତ ବିଳମ୍ବରେ ରେଜିଷ୍ଟ୍ରେସନ କରାଇବାରୁ ଅନେକ ପିଲାମାନେ ଉପକୃତ ହୋଇପାରିଲେ ନାହିଁ । ଏସଂକ୍ରାନ୍ତରେ ଲୋକେ ଜାଣି ନପାରିବାରୁ ନାମ ଲେଖାଇବାରେ ଅସୁବିଧା ହେଲା । ୩ ଥର ଲଟେରୀ କରିବାର ନିୟମ ଥିଲା ବେଳେ ଏଥର ୨ ଥର ଲଟେରୀ କରି ଉକ୍ତ ପ୍ରକ୍ରିୟାକୁ ବନ୍ଦ କରିଦିଆଯାଇଛି । ତୃତୀୟ ପର୍ଯ୍ୟାୟ ଲଟେରୀ ମାଧ୍ୟମରେ ନାମଲେଖା ସମେତ ସରକାରୀ ନିୟମର ଉଲ୍ଲଂଘନ କରାଯାଇଥିବାରୁ ଓଡ଼ିଶା ଅଭିଭାବକ ମହାସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଦିଶା ମହାନ୍ତି ମାମଲା ପରିଚାଳନା କରୁଛନ୍ତି ।